ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା -ସହରାଞ୍ଚଳ ଓଡିଶା ବର୍ତ୍ତମାନ ସୁଦ୍ଧା କେନ୍ଦ୍ରରୁ ୧୦୫୦.୨୮ କୋଟି ଟଙ୍କା ପାଇପାରି ନାହିଁ । କେନ୍ଦ୍ର ସରକାର ଏହି ଯୋଜନାରେ ୨୦୧୭ ରୁ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ୨୮୭୧.୬୬ କୋଟି ଟଙ୍କାର ଗୃହନିର୍ମାଣ ପ୍ରକଳ୍ପ ମଞ୍ଜୁର କରିଥିବାବେଳେ କେନ୍ଦ୍ରୀୟ ସହାୟତା ବାବଦରେ ମାତ୍ର ୧୮୨୧.୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ଛଅ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୨୮୭୧.୬୬ କୋଟି ଟଙ୍କାର ୧,୮୮,୩୧୪ ଟି ଗୃହ ନିର୍ମାଣ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ତେବେ ଏଥି ମଧ୍ୟରୁ ୧୮୨୧.୩୮ କୋଟି ଟଙ୍କା କେନ୍ଦ୍ର ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର କିନ୍ତୁ ୧,୧୮,୫୫୫ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି ।
୨୦୧୭-୧୮ରେ କେନ୍ଦ୍ର ସରକାର ପିଏମଏୱାଇ-ୟୁ ଅଧିନରେ ୩୧,୩୫୧ଟି ଘର ନିର୍ମାଣ ପାଇଁ ୪୬୪.୪୬ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ରାଜ୍ୟ ସରକାର ମାତ୍ର ୧୫୭.୩୮ କୋଟି ଟଙ୍କା ପାଇଥିଲେ । ଅନୁରୂପ ଭାବେ ୨୦୧୮-୧୯ରେ କେନ୍ଦ୍ର ୭୩୭.୩୮ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ରାଜ୍ୟ ପାଇଥିଲା ୪୧୧.୭୮କୋଟି ଟଙ୍କା । ତେବେ ରାଜ୍ୟ ସରକାର ୨୦୧୯-୨୦ ଓ ୨୦୨୦-୨୧ ରେ ଏହି ଯୋଜନା ବାବଦରେ କେନ୍ଦ୍ରରୁ ଯଥାକ୍ରମେ ୩୨୦.୯୭ କୋଟି ଏବଂ ୩୮୬.୩୯ କୋଟି ଟଙ୍କା ପାଇଛନ୍ତି ।
ତେବେ ୨୦୨୧-୨୨ ରେ ଓଡିଶା ପାଇଁ ସର୍ବାଧିକ ୧୧୧୯.୯୩ କୋଟି ଟଙ୍କା ପିଏମଏୱାଇ-ୟୁ ଯୋଜନାରେ ମଞ୍ଜୁର ହୋଇଛି । ତେବେ କେନ୍ଦ୍ର ମାତ୍ର ୩୩୩.୬୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଭଳି ଭାବେ ମନ୍ଥର ଗତିରେ ଅର୍ଥ ପ୍ରଦାନ ଯୋଗୁଁ ମଞ୍ଜୁର ହୋଇଥିବା ୭୪,୭୮୯ ଘର ବଦଳରେ ନିର୍ମାଣ ହୋଇଛି ମାତ୍ର ୧୦,୩୫୦ଟି ଘର ।
ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରରୁ ୨୧୧.୨୦ କୋଟି ଟଙ୍କା ପାଇଛନ୍ତି । ତେବେ କେନ୍ଦ୍ର ସରକାର ରାଜ୍ୟ ପାଇଁ ଚଳିତ ଆର୍ଥିକ ବର୍ଷରେ ମାତ୍ର ୨୮.୩୧ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି । କେନ୍ଦ୍ରରୁ ଅର୍ଥ ପ୍ରଦାନ ବୃଦ୍ଧି ପାଇଲେ ରାଜ୍ୟର ସହରାଞ୍ଚଳରେ ଅଧିକରୁ ଅଧିକ ଘର ନିର୍ମାଣ ହୋଇପାରିବ । ୨୦୨୨-୨୩ରେ ଓଡିଶା ପାଇଁ ମାତ୍ର ୧୪୧୩ଟି ଘର ମଞ୍ଜୁର ହୋଇଥିବାବେଳେ ଚଳିତବର୍ଷ ଫେବୃୟାରୀ ଛଅ ତାରିଖ ସୁଦ୍ଧା ରାଜ୍ୟ ସରକାର ୧୮,୯୪୭ଟି ଘର ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି ।
ଓଡିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମଞ୍ଜୁର ହୋଇଥିବା ଗୃହର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ସହିତ ଧାର୍ଯ୍ୟ ସମୟ ଭିତରେ ଏହା ସାରିବାପାଇଁ ପରାମର୍ଶ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ କିଶୋର କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ନିୟମିତ ଭାବେ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟ ଅଗ୍ରଗତିର ଅନୁଧ୍ୟାନ କରାଯାଉଛି । ପିଏମଏୱାଇ-ୟୁ ଯୋଜନାକୁ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । (ତଥ୍ୟ)