ଭୁବନେଶ୍ୱର : ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କର ସମ୍ମିଳନୀ ଆୟୋଜିତ ହେବ । ପ୍ରଥମ ଦିନ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ଦିନ କୋଣାର୍କ ଇକୋ ରିଟ୍ରିଟ୍ରେ ଏହା ଆୟୋଜିତ ହେବ । ଏଥିରେ ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଉଛନ୍ତି ।
ଏହି ସମ୍ମିଳନୀରେ ସରକାରୀ ବ୍ୟବସ୍ଥାରେ ଅଣାଯାଉଥିବା ରୂପାନ୍ତରୀକରଣ, ସହରାଞ୍ଚଳରେ ସେବା ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ମିଶନ ଶକ୍ତି ଓ କ୍ଷୁଦ୍ରଶିଳ୍ପ, ଫସଲ ବିବିଧକରଣ, ସରକାରୀ ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ପ୍ରୟୋଗ, ଦକ୍ଷତା ବିକାଶ ଭଳି ପ୍ରସଙ୍ଗ ଉପରେ ପ୍ରଥମ ଦିନ ଆଲୋଚନା ହେବ । ଏଥି ସହିତ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଏବଂ ପ୍ରଶାସନରେ ୫-ଟି ଜରିଆରେ ଆସୁଥିବା ରୂପାନ୍ତରଣ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହେବ ।
କୋଣାର୍କ ଠାରେ ଦ୍ୱିତୀୟ ଦିନରେ ଷ୍ଟାର୍ଟଅପ୍ ଓ ଏମଏସଏମଇ, ବିଦ୍ୟାଳୟରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା, କୃଷି ଜରିଆରେ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା, ପର୍ଯ୍ୟଟନର ବିକାଶ, ଗ୍ରାମାଞ୍ଚଳରେ ସେବା ପ୍ରଦାନ ତଥା ପାନୀୟଜଳ ଯୋଗାଣ, ରାଜ୍ୟରେ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତିକରଣ, ବ୍ୟାଙ୍କିଂ ସେବା ଯୋଗାଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ରାଜ୍ୟରେ ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ ଓ ଏହାର ସୁଦୃଢୀକରଣ ସହିତ ଜନଜାତି ସଶକ୍ତିକରଣ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରାଯିବ । ସମସ୍ତ ଜିଲ୍ଲାପାଳ, ବିଭାଗୀୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଫିସରମାନେ ଏହି ଦୁଇ ଦିନିଆ ଆଲୋଚନାଚକ୍ରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କୋଭିଡ ଯୋଗୁଁ ପ୍ରତ୍ୟକ୍ଷ ଭାବେ ଜିଲ୍ଲାପାଳ ସମ୍ମିଳନୀ ହୋଇପାରୁ ନଥିଲା କିନ୍ତୁ ଜିଲ୍ଲାପାଳମାନଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭର୍ଚୁଆଲରେ ଆଲୋଚନା ହେଉଥିଲା । ଏବେ ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ବରିଷ୍ଠ ଅଧିକାରୀମାନଙ୍କର ସମ୍ମିଳନୀ ଆୟୋଜିତ କରୁଛନ୍ତି ।
ରାଜ୍ୟରେ ୫-ଟି କାର୍ଯ୍ୟକ୍ରମ ଜରିଆରେ ଗ୍ରହଣ କରାଯାଉଥିବା ରୂପାରନ୍ତରୀକରଣ ପଦକ୍ଷେପ ସଂକ୍ରାନ୍ତରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଜିଲ୍ଲାପାଳ ଓ ଶାସନ ସଚିବମାନଙ୍କ ସହିତ ସୁବିସ୍ତୃତ ଆଲୋଚନା କରିବେ ବୋଲି ଜଣାଯାଇଛି । ସେହିଭଳି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ କିଭଳି ଅଗ୍ରାଧିକାର ଦିଆଯାଇ ପାରିବ ସେଥିପାଇଁ ପ୍ରସ୍ତୁତ ହେଉଥିବା କାର୍ଯ୍ୟ ଯୋଜନା ସଂକ୍ରାନ୍ତରେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ଆଲୋଚନା କରିବେ ବୋଲି ଜଣାଯାଇଛି । ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ ବ୍ୟବସ୍ଥା ଉପରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଲୋକପାତ କରିବେ । ରାଜ୍ୟରେ ବ୍ୟାଙ୍କିଂ ବ୍ୟବସ୍ଥାର ସମ୍ପ୍ରସାରଣ ସଂକ୍ରାନ୍ତରେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ବୋଲି ଜଣାଯାଇଛି ।
ଜଳସେଚନ ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିର ସୁଦୃଢୀକରଣ ଉପରେ ଜଳସମ୍ପଦ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଲୋଚନା କରିବେ । ସେହିଭଳି ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ଅତରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଆଲୋକପାତ କରିବାକୁ ଥିବାବେଳେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ନଗର ଉନ୍ନୟନ ସେବାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ସୁବିସ୍ତୃତ ଆଲୋଚନା କରିବେ ବୋଲି ଜଣାଯାଇଛି । (ତଥ୍ୟ)