ଭୁବନେଶ୍ୱର : ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ଗତ ୪ବର୍ଷ ମଧ୍ୟରେ ଓଡିଶାର ୧୯,୦୫୪ଟି ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଏମ୍ଇକୁ ୧୦୬୦.୦୨ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ବର୍ମା କହିଛନ୍ତି ଯେ ଓଡିଶାରେ ମହିଳାଙ୍କ ଦ୍ୱାରା ପରିଚାଳିତ ୫୯,୦୦୩ଟି ଅତିକ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଜୁଲାଇ ୨୦୨୦ରୁ ୨୦୨୩ ଫେବୃୟାରୀ ୭ତାରିଖ ମଧ୍ୟରେ ଉଦ୍ୟମ ପଞ୍ଜିକରଣ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି । ଏଥି ମଧ୍ୟରୁ ୫୭,୯୨୨ଟି ଅତିକ୍ଷୁଦ୍ର ଉଦ୍ୟୋଗ ହୋଇଥିବାବେଳେ ୧୦୪୪ଟି କ୍ଷୁଦ୍ର ଏବଂ ୩୭ଟି ମଧ୍ୟମ ଉଦ୍ୟୋଗ ରହିଛି ।
ସେହିଭଳି ୨୦୧୯-୨୦ ରୁ ୨୦୨୨-୨୩ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଋଣ ଗ୍ୟାରେଣ୍ଟି ଯୋଜନାରେ ମହିଳାଙ୍କ ଦ୍ୱାରା ପରିଚାଳିତ ୧୯,୦୫୪ଟି ଏମ୍ଏସ୍ଏମ୍ଇକୁ ୧୦୬୦.୦୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ୨୦୧୯-୨୦ ବର୍ଷରେ ୪୨୧୪ଟି ମହିଳା ଉଦ୍ୟୋଗୀଙ୍କୁ ୧୯୫.୭୧ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୨୦୨୦-୨୧ରେ ଋଣ ସହାୟତା ପାଇଥିବା ଉଦ୍ୟୋଗୀଙ୍କ ସଂଖ୍ୟା ୪୩୧୭ରେ ପହଞ୍ଚିଥିଲା । କିନ୍ତୁ ସେହିବର୍ଷ ମହିଳା ଉଦ୍ୟୋଗୀଙ୍କୁ ଋଣ ସହାୟତା ପରିମାଣ ୧୯୨.୮୮ କୋଟି ଟଙ୍କାକୁ ହ୍ରାସ ପାଇଥିଲା ।
ଅନୁରୂପ ଭାବେ ୨୦୨୧-୨୨ ବର୍ଷରେ ମହିଳାଙ୍କ ଦ୍ୱାରା ପରିଚାଳିତ ୫୦୩୨ଟି ଏମଏସଏମଇକୁ ୩୦୮.୧୩ କୋଟି ଟଙ୍କାର ଋଣ ସହାୟତା ମିଳିଥିଲା । ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଏହିଭଳି ୫୪୯୧ ଟି ଏମଏସଏମଇ ୟୁନିଟ୍କୁ ୩୬୩.୩୦ କୋଟି ଟଙ୍କାର ସହାୟତା ମଞ୍ଜୁର ହୋଇଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଏମଇଗୁଡିକୁ ଦିଆଯାଉଥିବା ପ୍ରୋତ୍ସାହନ ବାବଦରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ବ୍ୟବସାୟ ପାଇଁ ୫ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ଗ୍ୟାରେଣ୍ଟି ଯୋଜନା ଆରମ୍ଭ ହୋଇଛି । ଏଥି ସହିତ ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ଅଂଶଧନ ସୁବିଧା ରହିଛି ।
ସେହିଭଳି ୨୦୦ କୋଟି ଟଙ୍କାର ସାମଗ୍ରୀ ଖରିଦ ପାଇଁ ଆର୍ନ୍ତଜାତୀୟ ଟେଣ୍ଡରର ଆବଶ୍ୟକତା ନଥିବାବେଳେ ଅଣ ଟିକସ ରିହାତି ସୁବିଧାକୁ ୩ବର୍ଷ ବୃଦ୍ଧି କରାଯାଇଛି । ଏହାଛଡା ସାଧାରଣ ଖରିଦ ନୀତି ଅନୁଯାୟୀ ମହିଳାଙ୍କ ଦ୍ୱାରା ପରିଚାଳିତ ଏମଏସଇରୁ ୩ ପ୍ରତିଶତ ସାମଗ୍ରୀ ଖରିଦର ବ୍ୟବସ୍ଥା ରହିଛି । ମହିଳା ଉଦ୍ୟୋଗୀଙ୍କୁ ସହାୟତା ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ଅଧିନରେ ୧୦ ପ୍ରତିଶତ ଗ୍ୟାରେଣ୍ଟି ଫି ଛାଡ ଏବଂ ଗ୍ୟାରେଣ୍ଟି ପରିମାଣ ୭୫ ରୁ ୮୫ ପ୍ରତିଶତକୁ ବୃଦ୍ଧି ଗତବର୍ଷ ଡିସେମ୍ବରରୁ ଲାଗୁ ହୋଇଛି । (ତଥ୍ୟ)