Home Agriculture ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ୱ

ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ୱ

ଭୁବନେଶ୍ୱର : କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ରାଜ୍ୟର ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକ ଜଡ଼ିତ ହୋଇଥିବାରୁ କୃଷିର ଉନ୍ନତି ବିନା ରାଜ୍ୟର ପ୍ରଗତି କରାଯାଇପାରିବ ନାହିଁ । ରାଜ୍ୟ ସରକାର କୃଷିର ସର୍ବାଙ୍ଗୀନ ବିକାଶ ନିମନ୍ତେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଥିବାବେଳେ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଜୟପୁରଠାରେ ଆୟୋଜିତ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ କୃଷିର ବିକାଶ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍‌ କରାଯାଇଛି । ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରାୟ ୭ ହଜାର କୋଟି ଟଙ୍କା କୃଷି ବଜେଟ ଥିବାବେଳେ ଏହା ବୃଦ୍ଧି ପାଇ ଆଜି ୨୧ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

ବିଗତ ଦୁଇ ଦଶନ୍ଧିରେ ସମୟୋପଯୋଗୀ କୃଷି ଯୋଜନା ଓ ଚାଷୀଭାଇ ଓ ଭଉଣୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ ରାଜ୍ୟ ଏବେ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି । ସେହିପରି ମାଛ, ମାଂସ, ଅଣ୍ଡା ଓ କ୍ଷୀର ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥି ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ରାଜ୍ୟର ପ୍ରତ୍ୟେକ ଚାଷୀଭାଇ ଓ ଭଉଣୀଙ୍କ ନିକଟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସମସ୍ତ କାର୍ଯ୍ୟକ୍ରମ ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାଗୁଡ଼ିକ ବିଷୟରେ ସଚେତନ କରାଇବା ଓ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଓ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଆଧୁନିକ ଜ୍ଞାନକୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ ଉତ୍ପାଦନ ଖର୍ଚ୍ଚକୁ କମ୍‌ କରାଯାଇପାରିବା ସହିତ ସମୟ ମଧ୍ୟ ସଂଚୟ ହୋଇପାରୁଥିବାରୁ ରାଜ୍ୟ ସରକାର କୃଷି ଯନ୍ତ୍ରପାତି ନିମନ୍ତେ ଅନେକ ରିହାତି ଦେଉଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା ମଧ୍ୟ ରହିଛି । ଏଥି ସହିତ ଅଧିକରୁ ଅଧିକ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିର ବ୍ୟବହାରକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଏଥି ସହିତ ରାଜ୍ୟ ସରକାର ଚାଷୀମାନଙ୍କୁ ବିନା ସୁଧରେ କୃଷି ଋଣ ଯୋଗାଇଦେବା ସହିତ ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ଭୂମୀହୀନ ଓ ଭାଗଚାଷୀମାନଙ୍କୁ ଋଣ ଯୋଗାଇ ଦେଉଛନ୍ତି । କୃଷି ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଓ କାର୍ଯ୍ୟାନ୍ୱୟନ ତ୍ୱରିତ କରିବା ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି । ଜଳବାୟୁ ସହନଶୀଳ ପୁଷ୍ଟିଶସ୍ୟ ମାଣ୍ଡିଆ ଚାଷର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍‌ ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

କୃଷି ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ସମେତ ବିଭିନ୍ନ ବିଭାଗର ୧୦୭ଟି ଷ୍ଟଲକୁ ନେଇ ଏହି କୃଷି ମେଳା ଆୟୋଜିତ କରାଯାଇଛି ଓ ଏଥିରେ କୃଷି ଯନ୍ତ୍ରପାତିର ବ୍ୟବହାର ଓ କାର୍ଯ୍ୟକାରିତା ସଂପର୍କରେ ପ୍ରଦର୍ଶନ କରାଯାଉଛି । ଉଦ୍‌ଘାଟନୀ ଅବସରରେ ଜିଲ୍ଲାର ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଚାରୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନକଳ, ମାଣ୍ଡିଆ ଚୂନାକଳ, ପାଣି ପମ୍ପସେଟ୍‌ ଓ ଅନ୍ୟାନ୍ୟ କୃଷି ଉପକରଣ ଦିଆଯାଇଥିଲା ଓ ଚାଷୀଭାଇମାନଙ୍କୁ ଚାରିଟି ଟ୍ରାକଫର ମଧ୍ୟ ପ୍ରଦାନ କରାଯାଇଥିଲା । କୃଷି ମହୋତ୍ସବରେ କୃଷି ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ବିଭିନ୍ନ ବିଷୟରେ କର୍ମଶାଳାର ଆୟୋଜନ ସହିତ ଚାଷୀମାନଙ୍କ ସହିତ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୦ ତାରିଖ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହେବ ।