ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଜମିଜମା ଆବଣ୍ଟନ ଓ ମୂଲ୍ୟାୟନରେ ହୋଇଥିବା ଅନିୟମିତତା ଅଭିଯୋଗରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ଏହି ଦାୟିତ୍ୱ ସହ ଆଦୌ ସମ୍ପୃକ୍ତ ନଥିବା ଅନ୍ୟଜଣେ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବା ଫଳରେ ସେ ଦୀର୍ଘକାଳ ଧରି ପଦୋନ୍ନତି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏ ପ୍ରସଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କ ସପକ୍ଷରେ ୩ବର୍ଷ ତଳୁ ସ୍ୟାଟ୍ ଓ ହାଇକୋର୍ଟ ରାୟ ଦେଇଥିଲେ ମଧ୍ୟ ତାହାକୁ ବି କାର୍ଯ୍ୟକାରୀ କରାଯାଉନଥିବା ଘେନି ପୁଣି ଅଭିଯୋଗ ଉଠିଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ବିଡିଏର ସ୍ୱତନ୍ତ୍ର ଜମି ଅଧିକାରୀ ଭାବେ ଜଣେ ଓଏଏସ୍ ଅଫିସରଙ୍କୁ ଡେପୁଟେସନରେ ପଠାଯାଇଥିଲା । ସେ ବିଡିଏରୁ ଫେରି ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ପାଇ ସଚିବାଳୟରେ କାର୍ଯ୍ୟ କରୁଥିବାବେଳେ ୨୦୧୪ ମସିହାରେ ତାଙ୍କ ବିରୁଦ୍ଧରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଜଣକ ଜମିଜମା ଆବଣ୍ଟନ କିମ୍ବା ମୂଲ୍ୟାୟନ ଦାୟିତ୍ୱରେ ନଥିବା କଥା ବିଡିଏ ଜଣାଇଥିଲେ ମଧ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ ନକରି ତଦନ୍ତକାରୀ ଅଧିକାରୀ ଭାବେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ନିଯୁକ୍ତ କରିଥିଲେ ।
ବିଡିଏର ଉପାଧ୍ୟକ୍ଷ ମାର୍ଶାଲିଂ ଅଫିସର ଭାବେ ତାଙ୍କ ବକ୍ତବ୍ୟରେ ମଧ୍ୟ ସମ୍ପୃକ୍ତ ଅଧିକାରୀ ଜମିଜମା ଆବଣ୍ଟନ କିମ୍ବା ମୂଲ୍ୟାୟନ କଥା ବୁଝୁ ନଥିଲେ ବୋଲି ଉଲ୍ଲେଖ କରିବାରୁ କାଗଜପତ୍ର ଓ ସାକ୍ଷ୍ୟପ୍ରମାଣ ଆଧାରରେ ତଦନ୍ତକାରୀ ଅଫିସର ତାଙ୍କୁ ଦୋଷମୁକ୍ତ କରିଥିଲେ । ଏହାସତ୍ତ୍ୱେ ବି ସମ୍ପୃକ୍ତ ଅଧିକାରୀଙ୍କୁ ଅତିରିକ୍ତ ଶାସନସଚିବ ପାହ୍ୟାକୁ ପଦୋନ୍ନତି ନଦେଇ ତାଙ୍କ ପ୍ରତି ସାମାନ୍ୟ ଦଣ୍ଡବିଧାନ ଆକାରରେ ଭର୍ସନା କରାଯାଇଥିଲା ।
ଏଭଳି ସ୍ଥିତିରେ ସମ୍ପୃକ୍ତ ଅଧିକାରୀ ଆଇନ ଅଦାଲତର ଆଶ୍ରୟ ନେବାରୁ ସ୍ୟାଟ୍ ଉଭୟ ପକ୍ଷଙ୍କ ଯୁକ୍ତ ଶୁଣିବା ପରେ ଦଣ୍ଡବିଧାନକୁ ନାକଚ କରିଦେବା ସହ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ କନିଷ୍ଠ ବ୍ୟକ୍ତିମାନେ ଯେବେଠାରୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ସେବେଠାରୁ ତାଙ୍କୁ ସେହି ପଦବୀର ଦରମା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାସତ୍ତ୍ୱେ ବି ସମ୍ପୃକ୍ତ ଅଧିକାରୀଙ୍କୁ ନୋସନାଲ ପ୍ରମୋସନ ପିଛିଲା ତାରିଖରୁ ଦିଆଯାଇ ତାଙ୍କୁ କିନ୍ତୁ ପିଛିଲା ତାରିଖରୁ ଅତିରିକ୍ତ ଶାସନ ସଚିବ ପାହ୍ୟାର ବେତନ ଦିଆଯାଇନଥିଲା । ସ୍ୟାଟ୍ଙ୍କ ଆଦେଶ ବିରୁଦ୍ଧରେ ସରକାର ହାଇକୋର୍ଟକୁ ଯାଇ ୨୦୨୦ ମସିହାରେ ହାରିଥିଲେ । ସେତେବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି ସରକାରଙ୍କ ରିଟ୍ ଆବେଦନକୁ ଖାରଜ କରି ସ୍ୟାଟ୍ର ଆଦେଶ ଯଥାର୍ଥ ଏବଂ ତାଙ୍କ ପ୍ରତି ଦିଆଯାଇଥିବା ଦଣ୍ଡବିଧାନକୁ ସ୍ୟାଟ୍ ବାତିଲ କରିଥିବା ଓ ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇନଥିବାରୁ ସେ ଅତିରିକ୍ତ ଶାସନସଚିବ ପାହ୍ୟାର ଆର୍ଥିକ ସୁବିଧା ୨୦୧୬ ମସିହାରୁ ପାଇବାକୁ ହକ୍ଦାର ବୋଲି ସ୍ପଷ୍ଟ ଉଲ୍ଲେଖ କରିଥିଲେ ।
ହାଇକୋର୍ଟ ଓ ସ୍ୟାଟ୍ଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାନଯିବାରୁ ସମ୍ପୃକ୍ତ ଅଧିକାରୀ ଆଉଥରେ ପୁଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୟାଟ୍ଙ୍କ ନିର୍ଦ୍ଦେଶର ଦୃଢୀକରଣ ହାଇକୋର୍ଟ କରିଥିବାବେଳେ ଏହି ଆଦେଶନାମା ପାଳନ ନହେବା ଘେନି ବିଚାରପତି ଆଶ୍ଚର୍ଯ୍ୟ ବ୍ୟକ୍ତ କରିବାରେ ସରକାର ବୋଧହୁଏ ଏହା କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ସୀମିତ ସମୟ ମଧ୍ୟରେ ଅବସରପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ବିଭାସ କାନୁନ୍ଗୋଙ୍କୁ ତାଙ୍କ ଆବେଦନ ଏବଂ ଆଇନଅଦାଲତର ପୂର୍ବ ନିର୍ଦ୍ଦେଶ ଆଧାରରେ ସୀମିତ ସମୟ ମଧ୍ୟରେ ପ୍ରାପ୍ୟ ପ୍ରଦାନ କରିବାକୁ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଛନ୍ତି । (ତଥ୍ୟ)