ଭୁବନେଶ୍ୱର : କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରିଥିବା ଜଳ ପରୀକ୍ଷାରୁ ଦେଶର ୨୭୯ଟି ନଦୀର ୩୧୧ ସ୍ଥାନରେ ଜଳ ପ୍ରଦୂଷଣ ଥିବା ପାଇଛନ୍ତି । ଏହି ତାଲିକାରେ ଓଡିଶାର ୭ଟି ନଦୀ ରହିଛି ।
ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ବିଭିନ୍ନ ନଦୀର ଜଳର ମାନ ପରୀକ୍ଷା ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ ୨୭୯ଟି ନଦୀର ୩୧୧ଟି ସ୍ଥାନରେ ଜଳ ପ୍ରଦୂଷଣ ସ୍ତର ଅଧିକ ରହିଛି । ଜଳରେ ଥିବା ବାୟୋ କେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ଆଧାରରେ ଏହା ଚିହ୍ନିତ ହୋଇଛି ।
ତେବେ ଏହି ତାଲିକାରେ ଓଡିଶାର ୭ଟି ନଦୀ ରହିଛି । ଏଥି ମଧ୍ୟରେ ରାଜଧାନୀ ନିକଟରେ ଥିବା ଗଙ୍ଗୁଆ, ଦୟା, କୁଆଖାଇ ସମେତ ମଙ୍ଗଳା, ବ୍ରାହ୍ମଣୀ, କାଠଯୋଡି ଓ ସେରୁଆ ନଦୀ ରହିଛି । ତେବେ ଗଙ୍ଗୁଆରେ ବିଓଡିର ମାତ୍ରା ସବୁଠାରୁ ଅଧିକ ୩୯.୨ ରେକର୍ଡ ହୋଇଥିବାବେଳେ ମଙ୍ଗଳାରେ ୭.୪. କୁଆଖାଇରେ ୭.୩ ଓ ଦୟାରେ ଏହା ୭.୧ ରହିଛି ।
କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ନଦୀକୁ ପରିଷ୍କାର କରିବା ଏକ ନିୟମିତ ଧାରା । ତେବେ ନଦୀ ଏବଂ ଅନ୍ୟାନ୍ୟ ଜଳ ଉତ୍ସଗୁଡିକ ସହରାଞ୍ଚଳରୁ ବାହାରୁଥିବା ନର୍ଦ୍ଦମା ଜଳ, ଶିଳ୍ପରୁ ବାହାରୁଥିବା ବର୍ଜ୍ୟ ଆଦି ଯୋଗୁଁ ପ୍ରଦୂଷଣ ହେବାରେ ଲାଗିଛି । ତେଣୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ସରକାର, ପୌରସଂସ୍ଥା ଓ ଶିଳ୍ପସଂସ୍ଥାଗୁଡିକର ଦାୟିତ୍ୱ ହେଉଛି ଯେ ସେମାନଙ୍କ ଇଲାକାରୁ ବାହାରୁଥିବା ବର୍ଜ୍ୟଜଳକୁ ବିଶୋଧନ କରି ନଦୀ ଓ ଅନ୍ୟାନ୍ୟ ଜଳ ଉତ୍ସକୁ ଛାଡିବା ।
ତେବେ ବିଭିନ୍ନ ରାଜ୍ୟରେ ନଦୀଜଳକୁ ପରିଷ୍କୃତ କରିବାପାଇଁ କେନ୍ଦ୍ର ସରକାର ନଦୀ ସଂରକ୍ଷଣ ଓ ଗଙ୍ଗା ସଫେଇ ଅଭିଯାନରେ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଜାତୀୟ ନଦୀ ସଂରକ୍ଷଣ ଯୋଜନା (ଏନଆରସିପି)ରେ ୧୬ଟି ରାଜ୍ୟରେ ୩୬ଟି ନଦୀ ଯାହା କି ୮୦ଟି ସହରାଞ୍ଚଳ ଦେଇ ପ୍ରବାହିତ ହେଉଛି ସେଠାରେ ୬୨୪୮ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।
ସେହିଭଳି ନମାମି ଗଙ୍ଗେ ଯୋଜନାରେ ୪୦୯ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରେ ୫୨୬୯ ଏମଏଲ୍ଡି କ୍ଷମତା ବିଶିଷ୍ଟ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ଓ ୫୨୧୩ କିଲୋମିଟର ସ୍ୱରେଜ ନିର୍ମାଣ ପାଇଁ ୧୭୭ଟି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପର ମୂଲ୍ୟ ୩୨,୯୧୨ କୋଟିରୁ ଅଧିକ ଟଙ୍କା ରହିଛି ।
ଶିଳ୍ପାନୁଷ୍ଠାନଗୁଡିକ ଯେଭଳି ସେମାନଙ୍କର ଉଦ୍ବୃତ୍ତ ଜଳକୁ ବିଶୋଧନ କରି ନଦୀ ଓ ଅନ୍ୟାନ୍ୟ ଜଳାଶୟକୁ ଛାଡିବେ ସେଥିପାଇଁ ଏକ ମାନଦଣ୍ଡ ଧାର୍ଯ୍ୟ କରିବା ସହିତ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡିକୁ କୁହାଯାଇଛି । ଏଥି ସହିତ ଶିଳ୍ପସଂସ୍ଥାମାନେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଉଦ୍ବୃତ୍ତ ଜଳକୁ ବିଶୋଧନ କରିବା ଏବଂ ବିଶୋଧିତ ଜଳକୁ ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । (ତଥ୍ୟ)