ଭୁବନେଶ୍ୱର : ରାଜ୍ୟରେ ଅମୃତ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରଦର୍ଶନ ଭଲ ରହିଛି । କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ଜରିଆରେ ସମଗ୍ର ଦେଶରେ ୫୦୦ଟି ସହରରେ ପାନୀୟଜଳ ଯୋଗାଣ ସହିତ ସ୍ୱରେଜ ପରିଚାଳନା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ଓଡିଶାର ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ୧୫୯୯ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ରାଜ୍ୟ ସରକାର ୧୭୧୪ କୋଟି ଟଙ୍କା ବ୍ୟୟରେ ୧୯୧ ଟି ପ୍ରକଳ୍ପ ହାତକୁ ନେଇଛନ୍ତି । ଏଥି ମଧ୍ୟରୁ ୧୬୮୦କୋଟି ଟଙ୍କା ମୂଲ୍ୟର ୧୮୬ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ।
ଏହି ଯୋଜନାର ଏକ ପ୍ରମୁଖ ଅଂଶ ହେଉଛି ସହରାଞ୍ଚଳରେ ଲୋକଙ୍କୁ ଟ୍ୟାପ୍ ଯୋଗେ ପାନୀୟଜଳ ଯୋଗାଣ । ଯୋଜନାର ଲକ୍ଷ୍ୟ ଅନୁଯାୟୀ ୪.୯୮ଲକ୍ଷ ଟ୍ୟାପ୍ ସଂଯୋଗ ଓ ୪.୧୪ଲକ୍ଷ ସ୍ୱରେଜ ସଂଯୋଗ ଯୋଗାଇ ଦିଆଯାଇଛି । ପରିବର୍ତ୍ତିତ ଯୋଜନାରେ ରାଜ୍ୟ ସରକାର ୧.୭୦ଲକ୍ଷ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇଛନ୍ତି ଯାହାଦ୍ୱାରା ୩.୭୧କୋଟି ୟୁନିଟ୍ ବିଦ୍ୟୁତ୍ ସଞ୍ଚୟ ହେବା ସହିତ ବାର୍ଷିକ ୦.୩୦ଲକ୍ଷ ଟନ୍ ଅଙ୍ଗାରକାମ୍ଳ ଗ୍ୟାନ ନିର୍ଗମନ ରୋକାଯାଇପାରୁଛି ।
ରାଜ୍ୟ ସରକାର ସମସ୍ତ ମିଶନ ସହରରେ ଓବିପିଏସ୍ କାର୍ଯ୍ୟକାରୀ କରୁଛନ୍ତି । କେନ୍ଦ୍ର ସରକାରଙ୍କ ୭୯୭ କୋଟି ଟଙ୍କାର ପ୍ରତିଶ୍ରୁତି ସ୍ଥଳେ ୭୮୫ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଏଥିରୁ ପ୍ରକଳ୍ପ ବାବଦରେ ୭୮୫ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମୋଟାମୋଟି ଭାବେ ରାଜ୍ୟକୁ ୯୧୩ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୮୯୮ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ସମଗ୍ର ଦେଶ ପାଇଁ ୭୭,୬୪୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୮୨,୨୨୨ କୋଟି ଟଙ୍କା ମୂଲ୍ୟର ୫୮୭୩ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିରୁ ୩୨,୭୯୩ କୋଟି ଟଙ୍କା ମୂଲ୍ୟର ୪୬୭୬ଟି ପ୍ରକଳ୍ପ ସମାପ୍ତ ହୋଇଛି । ମୋଟାମୋଟି ଭାବେ ୬୬,୧୬୩ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟ ସରିଥିବାବେଳେ ୫୯,୬୧୫ କୋଟି ଟଙ୍କାର ପ୍ରକଳ୍ପ ବୃଦ୍ଧି ପାଇଛି ।
ସେହିଭଳି ଅମୃତ ଯୋଜନାରେ ସମଗ୍ର ଦେଶରେ ୧୩୯ଲକ୍ଷ ଟାର୍ଗେଟ ଥିବାବେଳେ ୧୩୪ ଲକ୍ଷ ପାଣି ଟ୍ୟାପ୍ ସଂଯୋଗ ହୋଇଥିବାବେଳେ ୧୪୫ଲକ୍ଷ ଧାର୍ଯ୍ୟ ସ୍ଥଳେ ୧୦୨ ଲକ୍ଷ ସ୍ୱେରେଜ ସଂଯୋଗ ଦିଆଯାଇଛି । ଏହି ଯୋଜନାରେ ମୋଟ୍ ୬୩୪୦ ଏମଏଲଡି କ୍ଷମତା ବିଶିଷ୍ଟ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବିକଶିତ ହୋଇଛି । ଏଥିରୁ ନୂତନ ଭାବେ ୨୮୪୦ ଏମଏଲ୍ଡି ସ୍ଥାପନ ହୋଇଥିବାବେଳେ ୧୪୩୭ ଏମଏଲ୍ଡିର ବିକାଶ କରାଯାଇଛି ।
ଅମୃତ ଯେଜାନାରେ ୪୪୮୦ ଏକର ଅଞ୍ଚଳରେ ୨୨୯୯ ସବୁଜ ପାର୍କ ପ୍ରତିଷ୍ଠା କରାଯାଇଛି । ଏହାଦ୍ୱାରା ବିସ୍ତୃତ ଅଞ୍ଚଳରେ ସବୁଜ ବଳୟ ପ୍ରତିଷ୍ଠା ସମ୍ଭବ ହୋଇଛି । ଆହୁରି ୯୫୧ ଏକରରେ ପାର୍କ ପ୍ରତିଷ୍ଠା ଜରିଆରେ ସବୁଜ ବଳୟ ସୃଷ୍ଟି ପ୍ରକ୍ରିୟା ଜାରି ରହିଛି । ସେହିଭଳି ଏହି ଯୋଜନାରେ ୬୬୬ଟି ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଛି ।
ଏହାଦ୍ୱାରା ୨୪୩୪ ସ୍ଥାନରେ ଜଳ ବନ୍ଦୀ ଅବସ୍ଥା ଦୂର ହୋଇଥିବାବେଳେ ୧୩୦୭ ସ୍ଥାନରେ ଏହି କାର୍ଯ୍ୟ ଜାରି ରହିଛି । ଅମୃତ ଯୋଜନାରେ ପରିବେଶ ଅନୁକୂଳ ପରିବହନ ଏବଂ ଭିତ୍ତିଭୂମି ପାଇଁ ୨୫୦ଟି ସବୁଜ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଥିବା ଜଣାଯାଇଛି । (ତଥ୍ୟ)