Home Infrastructure ସଡକ ପାଇଁ କେନ୍ଦ୍ର ଦେଇଛି ୧୯୩୮କୋଟି

ସଡକ ପାଇଁ କେନ୍ଦ୍ର ଦେଇଛି ୧୯୩୮କୋଟି

ଭୁବନେଶ୍ୱର : ରାଜ୍ୟରେ ସଡକର ବିକାଶ ଏବଂ ରକ୍ଷଣା ବେକ୍ଷଣ ପାଇଁ ଗତ ୫ବର୍ଷ ମଧ୍ୟରୁ କେନ୍ଦ୍ରରୁ ୧୯୩୮.୩୩ କୋଟି ଟଙ୍କା ମିଳିଛି । ଏହି ଅର୍ଥ ପରିମାଣ ଗତ ଦୁଇବର୍ଷ ଧରି ବଢିବାରେ ଲାଗିଛି ।

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ରାସ୍ତାଘାଟର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରୀୟ ସଡକ ଏବଂ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ୍‍) ଏବଂ ଆର୍ଥିକ ଗୁରୁତ୍ୱପୂର୍ଣ୍ଣ ଏବଂ ଆନ୍ତଃରାଜ୍ୟ ଯୋଗାଯୋଗ (ଇଆଇଆଣ୍ଡଆଇଏସ୍‍ସି) ଯୋଜନାରେ ଅର୍ଥ ପ୍ରଦାନ କରାଯାଇଥାଏ ।

୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ଓଡିଶା ସିଆରଆଇଏଫ୍‍ରୁ ୧୬୯୮.୬୯ କୋଟି ଟଙ୍କା ପାଇଥିବାବେଳେ ଇଆଇଅ।।ଣ୍ଡଆଇଏସ୍‍ସିରୁ ୨୩୯.୬୪ କୋଟି ଟଙ୍କା ପାଇଛି । ସିଆରଆଇଏଫ୍‍ରୁ ଅଧିକ ଅର୍ଥ ମିଳୁଥିବାବେଳେ ରାଜ୍ୟ ମଧ୍ୟ ଏହାକୁ ଅଧିକରୁ ଅଧିକଭାବେ ଖର୍ଚ୍ଚ କରୁଥିବା ଜଣାପଡିଛି ।

୨୦୧୭-୧୮ ରେ ସିଆରଆଇଏଫ୍‍ ରୁ ୨୩୦.୫୪ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ଏହା ୧୧୧.୯୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ସେହିଭଳି ୨୦୧୯-୨୦ ବର୍ଷରେ ୨୮୬.୯୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୫୪୩.୧୯କୋଟି ଟଙ୍କାକୁ ଏବଂ ୨୦୨୧-୨୨ ବର୍ଷରେ ୫୩୫.୦୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ।

ରାଜ୍ୟ ସରକାର ଭିତ୍ତିଭୂମି ପ୍ରକଳ୍ପରେ ଅଧିକ ପୁଞ୍ଜି ଖଟାଉଛନ୍ତି ଯାହା ଫଳରେ କେନ୍ଦ୍ରରୁ ମିଳୁଥିବା ଅର୍ଥ ବ୍ୟୟ ହୋଇପାରିବ । ସିଆରଆଇଏଫ୍‍ ପକ୍ଷରୁ ପରିବହନ କ୍ଷେତ୍ରରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ସଡକ ଏବଂ ସେତୁ, ବନ୍ଦର, ସିପୟାର୍ଡ, ଆନ୍ତଃରାଜ୍ୟ ଜଳପଥ, ବିମାନବନ୍ଦର, ରେଳପଥ, ସହରାଞ୍ଚଳ ପରିବହନ ଆଦିକୁ ଚିହ୍ନଟ କରାଯାଇଛି । ସେହିଭଳି ବିଦ୍ୟୁତ୍‍, ଜଳ ଏବଂ ପରିମଳ, ଯୋଗାଯୋଗ, ସାମାଜିକ ଓ ବ୍ୟବସାୟିକ ଭିତ୍ତିଭୂମି ଆଦି କ୍ଷେତ୍ର ରହିଛି ।

କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ମନ୍ତ୍ରାଳୟ ସହ ବିଚାର ଆଲୋଚନା କରି ସିଆରଆଇଏଫ୍‍ ଏବଂ ଇଆଇଏବଂଆଇଏସ୍‍ସି ଯୋଜନାରେ ସଡକର ବିକାଶ ଏବଂ ରକ୍ଷଣା ବେକ୍ଷଣ ପାଇଁ ପାଣ୍ଠି ମଞ୍ଜୁର କରିଥାନ୍ତି । ସୂଚନା ଅନୁଯାୟୀ ୩୦ ପ୍ରତିଶତଅର୍ଥ ତୈଳ ସଞ୍ଚୟ ଓ ୭୦ ପ୍ରତିଶତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭୌଗଳିକ ସ୍ଥିତିକୁ ଦେଖି ମଞ୍ଜୁର କରାଯାଏ । ମନ୍ତ୍ରାଳୟ ତାହାର ଆଞ୍ଚଳିକ ଦପ୍ତର ଜରିଆରେ ଠିକାଦାରମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ବାବଦୀୟ ଅର୍ଥ ସିଧାସଳଖ ପ୍ରଦାନ କରିଥାଏ । (ତଥ୍ୟ)