Home Agriculture କୃଷକଙ୍କ ଆୟ ବୃଦ୍ଧି ପାଇଁ କମିଟି ରିପୋର୍ଟ

କୃଷକଙ୍କ ଆୟ ବୃଦ୍ଧି ପାଇଁ କମିଟି ରିପୋର୍ଟ

ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ରାଜ୍ୟର କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଥିବାବେଳେ ଏହାକୁ ଆହୁରି ବଢାଇବାପାଇଁ ଓଡିଶାର ସରକାର ୨୦୩୦ ରୋଡ ମ୍ୟାପ୍‍ ପ୍ରସ୍ତୁତ କରୁଛନ୍ତି । ତଦନୁଯାୟୀ ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧି ଲାଗି ଗଢାଯାଇଥିବା ରାଜ୍ୟ ସ୍ତରୀୟ କମିଟି ଏକାଧିକ ରଣନୀତି ପ୍ରସ୍ତୁତ କରିଛନ୍ତି ।

କମିଟିର ଅଧ୍ୟକ୍ଷ ସଞ୍ଜୀବ କୁମାର ଚଢା ନିକଟରେ ଏ ସଂକ୍ରାନ୍ତୀୟ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ଚଢା ଏବେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସହିତ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଓଡିଶାର କୃଷକମାନଙ୍କର ଆୟ ବିଭିନ୍ନ କ୍ଷେତ୍ରରେ ଦୁଇଗୁଣରୁ ଅଧିକ ହୋଇଥିବା ନେଇ ଅଶୋକ ଦଳଭାଇଙ୍କ ଅଧ୍ୟକ୍ଷତାରେ ଥିବା ଦୁଇଗୁଣ କୃଷକଙ୍କ ଆୟ (ଡିଏଫ୍‍ଆଇ) ତାହାର ରିପୋର୍ଟରେ ଉଲ୍ଲେଖ କରିଛି । ଡିଏଫ୍‍ଆଇର ନେତୃତ୍ୱ ନେଇଥିବା ଡକ୍ଟର ଦଳଭାଇ ମିଲେଟ ମିଶନକୁ ପ୍ରଶଂସା କରିଛନ୍ତି ଯାହାର ଉତ୍ପାଦନ ପ୍ରାୟ ଅଢେଇଗୁଣ ବୃଦ୍ଧି ପାଇଛି । ଉଲ୍ଲେଖନୀୟ ଯେ ମିଲେଟ ମିଶନ ହେଉଛି ଓଡିଶା କୃଷି ବିଭାଗର ବହୁ ଆଙ୍କାକ୍ଷିତ ଯୋଜନା ଯାହା ସଫଳ ହୋଇଛି ।

କୃଷକଙ୍କ ଆୟ ବୃଦ୍ଧି ପାଇଁ ଗଠିତ କମିଟି ତାହାର ରିପୋର୍ଟରେ ବିସ୍ତୃତ ଭାବେ ଉତ୍ପାଦନ, ଉତ୍ପାଦିକତା, ସମ୍ପଦ ବୃଦ୍ଧି, ଉଦ୍ୟୋଗ ବିବିଧତା, ଜଳବାୟୁ ଅନୁକୂଳ କୃଷି, ଜୈବିକ ଚାଷ, ବଜାର ରଣକୌଶଳ, ଋଣ ସହାୟତା, ବୀମା ସହାୟତା ଏବଂ ଜ୍ଞାନକୌଶଳର ବ୍ୟବହାର ସହିତ ଅନ୍ୟାନ୍ୟ ଦିଗ ଉପରେ ଦର୍ଶାଇଛି । ଉତ୍ପାଦନ କ୍ଷେତ୍ରରେ ଓଡିଶା ବହୁ ଆଗକୁ ଯାଇଥିବାବେଳେ ଜାତୀୟ ସ୍ତରର ସହିତ ସମକକ୍ଷ ଆବଶ୍ୟକ ହେଉଛି ।

ଚାଉଳ ଉତ୍ପାଦନ କ୍ଷେତ୍ରରେ ଓଡିଶାରେ ହେକ୍ଟର ପିଛା ୨୪୭୫ କିଲୋ ଉତ୍ପାଦନ ହେଉଥିବାବେଳେ ଜାତୀୟ ସ୍ତରରେ ଏହା ୨୭୨୨ କିଲୋ ରହିଛି । ପଞ୍ଜାବରେ ହେକ୍ଟର ପିଛା ୪୦୩୪ କିଲୋ ଚାଉଳ ଉତ୍ପାଦନ ହେଉଛି । ସେହିଭଳି ଓଡିଶାରେ ହେକ୍ଟର ପିଛା ଡାଲି ଉତ୍ପାଦନ ୫୪୪ କିଲୋ ଥିବାବେଳେ ଗୁଜୁରାଟରେ ୧୧୭୨ କିଲୋ ଏବଂ ଜାତୀୟ ସ୍ତରରେ ଏହା ୮୨୩ କିଲୋ ରହିଛି ।

ମୋଟ୍‍ ଖାଦ୍ୟ ଶସ୍ୟ ଉତ୍ପାଦନ ଓଡିଶାରେ ହେକ୍ଟର ପିଛା ୧୮୬୨ କିଲୋ ଥିବାବେଳେ ଜାତୀୟ ସ୍ତରରେ ଏହା ୨୩୪୩ କିଲୋ ଏବଂ ପଞ୍ଜାମରେ ୪୫୨୭ କିଲୋ ରହିଛି । ଓଡିଶାରେ ହେକ୍ଟର ପିଛା ତୈଳବୀଜ ଉତ୍ପାଦନ ୯୪୫ କିଲୋ ଥିବାବେଳେ ତାମିଲନାଡୁରେ ଏହା ୨୬୨୬ କିଲୋ ଏବଂ ଜାତୀୟ ସ୍ତରରେ ୧୨୨୪ କିଲୋ ରହିଛି ।

ସେହିଭଳି ରାଜ୍ୟରେ ମୋଟ ପନିପରିବା ଉତ୍ପାଦନ ହେକ୍ଟର ପିଛା ୧୪,୧୯୭ କିଲୋ ଥିବାବେଳେ ସର୍ବଭାରତୀୟ ସ୍ତରରେ ୧୮,୨୬୨ କଲୋ ଏବଂ ଉତ୍ତରପ୍ରଦେଶରେ ଏହା ୧୯,୪୩୧ କିଲୋ ରହିଛି । ଓଡିଶାରେ ଫଳ ଉତ୍ପାଦନ ହେକ୍ଟର ପିଛା ୮.୩୧ ମେଟ୍ରିକ ଟନ୍‍ ଥିବାବେଳେ ଜାତୀୟ ସ୍ତରରେ ଏହା ହାରାହାରି ୧୫.୦୭ ଟନ୍‍ ଏବଂ ଆନ୍ଧ୍ରପ୍ରଦେଶରେ ୨୩.୪୧ ଟନ୍‍ ରହିଛି । ଏଭଳି ସ୍ଥିତିରେ ଉତ୍ପାଦନ ବୃଦ୍ଧି ସହିତ ରାଜ୍ୟର କୃଷକଙ୍କ ଆୟ ବହୁଗୁଣିତ କରିବାପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାଯାଇଛି । (ତଥ୍ୟ)