Home Agriculture ହଳଦୀ ଉତ୍ପାଦନ ଉତ୍ସାହଜନକ ନୁହେଁ

ହଳଦୀ ଉତ୍ପାଦନ ଉତ୍ସାହଜନକ ନୁହେଁ

ଭୁବନେଶ୍ୱର : ସମସ୍ତ ପ୍ରକାର ଅନୁକୂଳ ପାଣିପାଗ ସତ୍ୱେ ରାଜ୍ୟରେ ହଳଦୀ ଉତ୍ପାଦନ ସେତେଟା ଉତ୍ସାହଜନକ ନୁହେଁ । ତେଲେଙ୍ଗାନା ଭଳି ରାଜ୍ୟରେ ବର୍ଷକୁ ୩୧ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ହଳଦୀ ଉତ୍ପାଦନ ହେଉଥିବାବେଳେ ଆମ ରାଜ୍ୟରେଏହା ୫ଲକ୍ଷ ଟନ୍‍ ତଳେ ରହିଛି ।

ହଳଦୀ ଉତ୍ପାଦନ ନେଇ କେନ୍ଦ୍ରୀ କୃଷି ମନ୍ତ୍ରାଳୟ ସୂଚନାରୁ ଜଣାଯାଇଛି ଯେ ୨୦୧୧-୧୨ ରେ ସମଗ୍ର ଦେଶରେ ୧୧୬ ଲକ୍ଷ ୬୦ହଜାର ଟନ୍‍ରୁ ଅଧିକ ହଳଦୀ ଉତ୍ପାଦିତ ହୋଇଥିବାବେଳେ ଏଥିରେ ଓଡିଶାର ଅଂଶ ଥିଲା ୩ଲକ୍ଷ ୬୦ହଜାର ଟନ୍‍ । ସେହିବର୍ଷ ଆନ୍ଧ୍ରରେ ୪୮ଲକ୍ଷ ଟନ୍‍ରୁ ଅଧିକ ହଳଦୀ ଉତ୍ପାଦନ ହୋଇଥିବାବେଳେ ତାମିଲନାଡୁରେ ୩୨ଲକ୍ଷ, କର୍ଣ୍ଣାଟକରେ ୧୦ଲକ୍ଷ ଟନ୍‍ରୁ ଅଧିକ ହଳଦୀ ମିଳିଥିଲା ।

ତେବେ ୨୦୨୦-୨୧ ବର୍ଷରେ ହଳଦୀ ଉତ୍ପାଦନରେ ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟ ଢେର ଆଗେଇ ଯାଇଥିବାବେଳେ ଓଡିଶାର ହଳଦୀ ଚାଷ ସେତେଟା ଆଗେଇ ପାରିନାହିଁ । ଏହି ବର୍ଷ ସମଗ୍ର ଦେଶରେ ୧୧୨ଲକ୍ଷ ୩୦ହଜାର ମେଟ୍ରିକ ଟନ୍‍ରୁ ଅଧିକ ହଳଦୀ ଉତ୍ପାଦିତ ହୋଇଥିଲା । ଏଥି ମଧ୍ୟରେ ତେଲେଙ୍ଗାନାରୁ ସର୍ବାଧିକ ପ୍ରାୟ ୩୨ଲକ୍ଷ ମେଟ୍ରିକ ଟନ୍‍ ହଳଦୀ ଉତ୍ପାଦିତ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୩ଲକ୍ଷ ଓ କର୍ଣ୍ଣାଟକରେ ୧୩ଲକ୍ଷ ଟନ୍‍ ହଳଦୀ ଉତ୍ପାଦିତ ହୋଇଛି । ଓଡିଶାରେ ଏହି ବର୍ଷ ଉତ୍ପାଦିତ ହଳଦୀର ପରିମାଣ ୪ଲକ୍ଷ ୩୦ହଜାର ଟନ୍‍ରୁ ସାମାନ୍ୟ ଅଧିକ ରହିଛି ।

ହଳଦୀ ଉତ୍ପାଦନରେ ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଓଡିଶା ଠାରୁ ଢେର ଆଗରେ ରହିଛନ୍ତି । ଏପରିକି ଦଶବର୍ଷ ତଳେ ହଳଦୀ ଉତ୍ପାଦନରେ ଢେର ପଛରେ ପଡିଥିବା ମହରାଷ୍ଟ୍ର ଏବେ ଦେଶର ଅନ୍ୟତମ ପ୍ରମୁଖ ହଳଦୀ ଉତ୍ପାଦନକାରୀ ରାଜ୍ୟ ଭାବେ ଉଭା ହୋଇଛି ।

ସେହିଭଳି ଦଶ ବର୍ଷ ତଳେ ଓଡିଶାରେ ୭୩୪ କୋଟି ଟଙ୍କାର ହଳଦୀ ଉତ୍ପାଦିତ ହୋଇଥିବାବେଳେ ୨୦୧୯-୨୦ ତାହା ୨୪୫ କୋଟି ଟଙ୍କାକୁ ଖସି ଆସିଛି । ୨୦୧୯-୨୦ ବର୍ଷରେ ସମଗ୍ର ଦେଶରେ ୭୬୬୨ କୋଟି ୪୯ଲକ୍ଷ ଟଙ୍କାର ହଳଦୀ ଉତ୍ପାଦନ ହୋଇଥିବାବେଳେ ଏଥିରେ ଓଡିଶାର ଅବଦାନ ହେଉଛି ୨୪୫ କୋଟି ୭୭ଲକ୍ଷ ଟଙ୍କା । ଏହି ସମୟରେ ତେଲେଙ୍ଗାନାରେ ୧୮୧୭କୋଟି ଟଙ୍କାର ହଳଦୀ ଉତ୍ପାଦିତ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୬୧୩ କୋଟି ଟଙ୍କାର ହଳଦୀ ମିଳିଛି ।

ଓଡିଶାର ଉପକୂଳ ଠାରୁ ଆରମ୍ଭ କରି ଆଦିବାସୀ ଅଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଜିଲ୍ଲା ହଳଦୀ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ଥିବା ଏବଂ ହଳଦୀ ଚାଷକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଥିବାବେଳେ ଅନ୍ୟ ରାଜ୍ୟ ଭଳି କିନ୍ତୁ ଏଠାରେ ହଳଦୀ ଚାଷ ଆଗେଇ ପାରୁନାହିଁ । ଉଲ୍ଲେଖନୀୟ ଯେ ଅନ୍ୟ ହଳଦୀ ତୁଳନାରେ ଓଡିଶାରୁ ଉତ୍ପାଦିତ ଜୈବିକ ହଳଦୀର ଦେଶ ବିଦେଶରେ ବ୍ୟାପକ ଚାହିଦା ରହିଥିବାବେଳେ ଅଧିକ ହଳଦୀ ଉତ୍ପାଦନ ରାଜ୍ୟ ପାଇଁ ଅଧିକ ବୈଦେଶିକମୁଦ୍ରା ଆଣିବାରେ ସହାୟକ ହୋଇପାରିବ । (ତଥ୍ୟ)