Home Excise ନଅ ମାସରେ ୪୪ହଜାର ଅବକାରୀ ମାମଲା

ନଅ ମାସରେ ୪୪ହଜାର ଅବକାରୀ ମାମଲା

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସ ଶେଷ ଅର୍ଥାତ୍‍ ନଅ ମାସ ମଧ୍ୟରେ ରାଜ୍ୟରେ ୪୪ ହଜାରରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି । ଗତବର୍ଷର ଏହି ସମୟ ତୁଳନାରେ ମାମଲା ସଂଖ୍ୟା ୫୪ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ସମୀକ୍ଷାରୁ ଏହା ଜଣାଯାଇଛି ।

ଭର୍ଚୁଆଲରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଅବକାରୀ କମିଶନର ଶ୍ରୀ ରାମଚନ୍ଦ୍ର ପାଲଟା, ଯୁଗ୍ମ ଅବକାରୀ କମିଶନର ଡ. ଦିବ୍ୟ ଲୋଚନ ମହନ୍ତ, ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଉପ ଅବକାରୀ କମିଶନର, ଶ୍ରୀ ରାମ ଚନ୍ଦ୍ର ମିଶ୍ର, ଶ୍ରୀଯୁକ୍ତ ରଜତ କୁମାର ପ୍ରହାରାଜ, ଶ୍ରୀ ଦଣ୍ଡପାଣି ବେହେରା, ଶ୍ରୀ ଡମ୍ବରୁଧର ଖଣ୍ଡା ଏବଂ ସମସ୍ତ ଅଧୀକ୍ଷକ ଉପସ୍ଥିତ ଥିଲେ ।

ବୈଠକରେ ନିରନ୍ତର ଚଢାଉ ଜାରି ରଖିବା ଓ ବେଆଇନ୍‍ ମଦ ତଥା ନିଶା କାରବାରକୁ ପ୍ରତିହତ କରିବା ଉପରେ ଜୋର ଦିଆଯାଇଛି । ସମୀକ୍ଷାରୁ ଜଣାଯାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷର ଡିସେମ୍ବର ମାସ ଶେଷସୁଦ୍ଧା ୪୪୬୩୮ ରେକର୍ଡ ସଂଖ୍ୟକ ମୋକୋଦ୍ଦମା ରୁଜୁ କରାଯାଇଥିବାବେଳେ ୨୦୨୧-୨୨ ମସିହାରେ ଏହି ସମୟରେ ୨୯୦୩୮ଟି ମୋକୋଦ୍ଦମା ରୁଜୁ କରାଯାଇଥିଲା । ଗତ ଆର୍ଥିକ ବର୍ଷ ତୁଳନାରେ ମୋକୋଦ୍ଦମା ରୁଜୁ ୫୪% ବୃଦ୍ଧି ପାଇଛି ।

ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ନାର୍କୋଟିକ୍ସ ଡ୍ରଗ୍ ଏବଂ ସାଇକୋଟ୍ରୋପିକ ପଦାର୍ଥ ଅଧିନିୟମ ଅନୁଯାୟୀ ୧୨୯୪ଟି ମାମଲାରେ ରେକର୍ଡ ୧୪୬୦ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗତବର୍ଷ ୫୭୫ଟି ମାମଲାରେ ୬୬୭ ଜଣଙ୍କୁ ଗିରଫ କରାଯାଇଥିଲା । ଗତବର୍ଷ ତୁଳନାରେ ଏ ବର୍ଷ ଗିରଫଦାରୀ ସଂଖ୍ୟାରେ ୧୨୫% ବୃଦ୍ଧି ହୋଇଛି । ସେହିଭଳି ଡିସେମ୍ବର ଶେଷ ସୁଦ୍ଧା ୨୫୩୮୮ଗ୍ରାମ ହେରୋଇନ ଜବତ କରାଯାଇଥିବାବେଳେ, ଗତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ୧୦୧୯୩ଗ୍ରାମ ହେରୋଇନ ଜବତ ହୋଇଥିଲା । ଗତବର୍ଷ ୨୨୪୮୯ କେଜି ଗଞ୍ଜେଇ ଜବତ ହୋଇଥଲାବେଳେ ଏ ବର୍ଷ ୨୭୮୦୧ କେଜି ଗଞ୍ଜେଇ ଜବତ କରାଯାଇଛି ।

ସମୀକ୍ଷା ବୈଠକରେ ଅବକାରୀ କମିଶନର ଶ୍ରୀ ସିଂହ ସମସ୍ତ ଅଧୀକ୍ଷକଙ୍କୁ ଆଗାମି ଦିନରେ ବେଆଇନ ମଦରନ୍ଧା ଓ ବିକ୍ରୟ, ନକଲିମଦ, ଗଞ୍ଜେଇ, ହେରୋଇନ ବିରୁଦ୍ଧରେ ଧରପଗଡ ଅଭିଯାନକୁ ଜୋରଦାର କରିବା ସହିତ ମୋକଦ୍ଦମା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଗଞ୍ଜେଇ ଚାଷର ଖବର ନେଇ ଆଗାମି ଦିନରେ ଏହାର ମୁଳୋତ୍ପାଟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।