ଭୁବନେଶ୍ୱର : ମଦ ବ୍ୟବସାୟକୁ ସୁନିୟନ୍ତ୍ରିତ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ରାଜ୍ୟ ପାନୀୟ ନିଗମର ବ୍ୟବସାୟିକ କାରବାର ବଢୁଥିବାବେଳେ ଏହି ନିଗମ ରାଜ୍ୟ ସରକାରଙ୍କୁ ଦେଉଥିବା ଡିଭିଡେଣ୍ଡ ବା ଲାଭାଂଶର ପରିମାଣ କିନ୍ତୁ କମୁଛି । ରାଜ୍ୟରେ ଅବକାରୀ ରାଜସ୍ୱ ୨୦ ବର୍ଷରେ ପ୍ରାୟ ୪୦ଗୁଣ ବଢିଥିବାବେଳେ ଡିଭିଡେଣ୍ଡ କିନ୍ତୁ ୨୦୧୨-୧୩ ପରଠାରୁ କମିବାରେ ଲାଗିଛି ।
୨୦୧୧-୧୨ ବେଳକୁ ବର୍ଷରେ ରାଜ୍ୟ ପାନୀୟ ନିଗମର କାରବାର ଥିଲା ୨୩୨୦କୋଟି ଟଙ୍କା । ଏହା ବଢି ବଢି ୨୦୧୬-୧୭ ବର୍ଷରେ ୩୭୨୭ କୋଟି ଟଙ୍କାରେ ପହଞ୍ôଚଥିବାବେଳେ ୨୦୧୯-୨୦ ବର୍ଷରେ ୫୧୫୩ କୋଟି ଥିଲା ଏବଂ ୨୦୨୧-୨୨ ବର୍ଷରେ ଏହି ପରିମାଣ ୬୦୧୧ କୋଟିରେ ପହଞ୍ôଚବ ବୋଲି ଲକ୍ଷ୍ୟ ରହିଥିଲା । ଏଥିରୁ ମୋଟାମୋଟି ଭାବେ ସ୍ପଷ୍ଟ ଧାରଣା ହେଉଛି ଯେ, ଓଡିଶାରେ ମଦୁଆଙ୍କ ସଂଖ୍ୟା ବୃଦ୍ଧି ସହିତ ମଦ ବେପାର ବି ବଢି ଚାଲୁଛି ।
ପାନୀୟ ନିଗମର ହିସାବ ମୁତାବକ ୨୦୧୨-୧୩ ବର୍ଷରେ ଅବକାରୀ ଶୁଳ୍କ ଏବଂ ଭ୍ୟାଟ୍ ଓ ପ୍ରବେଶ କର ଆଦି ବାବଦରେ ରାଜ୍ୟକୁ ୧୫୨୩କୋଟି ଟଙ୍କା ମିଳିଥିବାବେଳେ ୨୦୧୬-୧୭ରେ ଏହା ୩୦୯୨କୋଟି ଓ ୨୦୨୦-୨୧ରେ ସ୍ୱତନ୍ତ୍ର କୋଭିଡ୍ ଫି’କୁ ମିଶାଇ ୫୦୭୨କୋଟି ହୋଇଥିଲା । ଗତ ଆର୍ଥିକ ବର୍ଷରେ ଏ ବାବଦରେ ରାଜ୍ୟ ସରକାରଙ୍କୁ ୬୫୧୬ କୋଟି ଟଙ୍କା ମିଳିଥିଲା । ଲାଇସେନ୍ସ ଫି’ ବାବଦରେ ରାଜ୍ୟ ପାନୀୟ ନିଗମ ୨୦୧୩-୧୪ବର୍ଷରେ ୧୦୦କୋଟି ଓ ୨୦୧୪-୧୫ ବର୍ଷରେ ୧୫୨କାଟି ଟଙ୍କା ଦେଇଥିବାବେଳେ ଏବେ କିନ୍ତୁ ଏହି ପରିମାଣ ବାର୍ଷିକ ୧୦କୋଟି ଟଙ୍କା ବି ହେଉନାହିଁ । ରାଜ୍ୟ ପାନୀୟ ନିଗମ ୨୦୧୦-୧୧ ବର୍ଷରେ ୧୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଡିଭିଡେଣ୍ଡ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବାବେଳେ ଏହା ୨୦୧୧-୧୨ ବର୍ଷରେ ୧୯କୋଟି ୮୦ଲକ୍ଷ ଓ ୨୦୧୨-୧୩ବର୍ଷରେ ୪୨କୋଟି ୯୦ଲକ୍ଷ ଟଙ୍କାକୁ ଟପିଥିଲା । ତେବେ ମଦ ବେପାର, ମଦ ବ୍ୟବହାର ଓ ମଦୁଆଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ତ୍ୱେ ରାଜ୍ୟ ପାନୀୟ ନିଗମ ପରବର୍ତ୍ତୀ ବର୍ଷ ମାନଙ୍କରେ ରାଜ୍ୟ ସରକାରଙ୍କୁ ଢେର କମ୍ ପରିମାଣର ଡିଭିଡେଣ୍ଡ ଦେଉଛି ।
୨୦୧୩-୧୪ ବର୍ଷରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ନିୟନ୍ତ୍ରଣରେ ଥିବା ପାନୀୟ ନିଗମ ୧୬କୋଟି ୮୮ଲକ୍ଷ ଟଙ୍କାର ଡିଭିଡେଣ୍ଡ ଦେଇଥିବାବେଳେ ୨୦୧୯-୨୦ରେ ତାହା ୭କୋଟି ୫୮ଲକ୍ଷ ଓ ୨୦୨୦-୨୧ରେ ୬କୋଟି ୨୬ଲକ୍ଷ ଟଙ୍କା ହ୍ରାସ ପାଇଥିଲା । ୨୦୧୨-୧୩ ବର୍ଷରେ ରାଜ୍ୟ ପାନୀୟ ନିଗମ ୨୨ କୋଟି ୯୦ଲକ୍ଷ ଟଙ୍କାର ଡିଭିଡେଣ୍ଡ ଓଡିଶା ସରକାରଙ୍କୁ ଦେଇଥିବାବେଳେ ଏବେ ଏହି ପରିମାଣ କିନ୍ତୁ ବଢିବା ପରିବର୍ତ୍ତେ କମି ଚାଲିଛି । ତେବେ ସରକାରୀ ତଥ୍ୟ ମୁତାବକ ରାଜ୍ୟ ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିନ୍ତୁ ପ୍ରାୟ ପ୍ରତିବର୍ଷ ମୋଟା ଅଙ୍କର ଅର୍ଥ ଦାନ କରିଆସୁଛି । ୨୦୦୨-୦୩ ବର୍ଷରେ ଏହି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାତ୍ର ୫୦ଲକ୍ଷ ଟଙ୍କା ଦେଇଥିବାବେଳେ ତାହା ବଢି ବଢି ୨୦୧୨-୧୩ରେ ୧୫କୋଟି ଟଙ୍କାରେ ପହଞ୍ôଚଥିଲା । ନିଗମ ୨୦୧୩-୧୪ରେ ୧୫କୋଟି ଓ ୨୦୧୪-୧୫ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫କୋଟି ଟଙ୍କା ଦେଇଥିଲା । ତେବେ ୨୦୧୬-୧୭ରେ ଏହି ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ଦେଇଥିବାବେଳେ ୨୦୧୯-୨୦ରେ ୧୫କୋଟି ଓ ୨୦୨୧-୨୨ ବର୍ଷରେ ୧୦କୋଟି ଟଙ୍କା ଦାନ ଦେଇଛି ।
ଅନ୍ୟପକ୍ଷରେ ଓଡିଶାର ଅବକାରୀ ରାଜସ୍ୱ ୨୦୦୦-୦୧ ବର୍ଷରେ ମାତ୍ର ୧୩୫କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ତାହା ୫୫୨୮କୋଟି ଟଙ୍କାରୁ ଅଧିକ ଥିଲା । ଚଳିତ ଆର୍ଥିକ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ୬ହଜାର କୋଟି ଟଙ୍କାକୁ ଟପିବ ବୋଲି ଆଶା ରଖାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ, ବିଗତ କିଛିବର୍ଷ ମଧ୍ୟରେ ଓଡିଶାରେ ଖଣି ଓ ଅବକାରୀ ରାଜସ୍ୱ ପରିମାଣ ଢେର ବୃଦ୍ଧି ପାଇଛି । (ତଥ୍ୟ)