ଭୁବନେଶ୍ୱର : ଉନ୍ନୟନ ବାବଦରେ ରାଜ୍ୟରେ ୪୬ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି । ବିକାଶମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଏହା ସମ୍ଭବ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍ ପରିମାଣ ୨ଲକ୍ଷ କୋଟି ଟଙ୍କା ଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ଏକ ଲକ୍ଷ କୋଟି ଟଙ୍କା ବରାଦ ହୋଇଥିଲା ଏବଂ ଏଥିରୁ ୪୬.୩ ପ୍ରତିଶତ ଅର୍ଥ ବ୍ୟୟ ହୋଇପାରିଛି ।
ଉନ୍ନୟନ ବ୍ୟୟ ବାବଦରେ ହୋଇଥିବା ସର୍ବଶେଷ ସମୀକ୍ଷାରୁ ଜଣାଯାଇଛି ଯେ ଗତବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ଭିତ୍ତିଭୂମି କ୍ଷେତ୍ରରେ ଉନ୍ନୟନ ବ୍ୟୟ ପରିମାଣ ୧୦୩ ପ୍ରତିଶତରୁ ଅଧିକ ରହିଛି ଯାହା କି ଚଳିତ ଆର୍ଥିକ ବର୍ଷରେ ଏକ ରେକର୍ଡ । ସମୀକ୍ଷାରୁ ଜଣାଯାଇଛି ଯେ ଚଳିତ ବାର୍ଷିକ ଓ ଅତିରିକ୍ତ ବଜେଟ୍ରେ ଅଧିକ ଅର୍ଥ ବ୍ୟୟ କରାଯାଇଥିବାବେଳେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ ବି ଅଧିକ ଦେଖିବାକୁ ମିଳୁଛି ।
ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଜଳସେଚନ, ଗ୍ରାମ୍ୟ ସଂଯୋଗ, ପରିମଳ ଏବଂ ସହରାଞ୍ଚଳରେ ବିଭିନ୍ନ ସେବା କ୍ଷେତ୍ରରେ ଅଧିକ ପୁଞ୍ଜି ବ୍ୟୟ କରାଯାଉଛି । ସମସ୍ତଙ୍କ ପାଇଁ ସାର୍ବଜନିକ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବିକା ଯୋଜନା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି ।
ପୁଞ୍ଜି ବ୍ୟୟ ଦର୍ଶାଉଛି ଯେ ଏହି ସମୟରେ ଅଭିବୃଦ୍ଧି ୧୫ ପ୍ରତିଶତ ହୋଇଛି । ଅଧିକ ପୁଞ୍ଜି ବ୍ୟୟର ଫଳ ସ୍ୱରୂପ ଚଳିତ ବର୍ଷ ଜିଏସ୍ଡିପି ଅନୁପାତ ବୃଦ୍ଧି ପାଇଛି । ବଜେଟ୍ରେ ବରାଦ ଅର୍ଥରୁ ଡିସେମ୍ବର ଶେଷ ସୁଦ୍ଧା ଭିତ୍ତିଭୂମି କ୍ଷେତ୍ରରେ ଉନ୍ନୟନ ବ୍ୟୟ ୫୪.୭ ପ୍ରତିଶତ ଥିଲା । ପୂର୍ବ ଆର୍ଥିକ ବର୍ଷରେ ଏହି ସମୟରେ ବ୍ୟୟ ପରିମାଣ ୩୨.୭ ପ୍ରତିଶତ ରେକର୍ଡ ହୋଇଥିଲା । ତେଣୁ ଚଳିତବର୍ଷ ଏହି କ୍ଷେତ୍ରରେ ବ୍ୟୟ ପରିମାଣ ୧୦୩.୧ ପ୍ରତିଶତ ରହିଛି । ଅନୁରୂପ ଭାବେ ଡିସେମ୍ବର ଶେଷ ସୁଦ୍ଧା କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନୟନ ବ୍ୟୟ ୫୩.୨ ପ୍ରତିଶତ ହୋଇଥିବାବଳେ ପୂର୍ବବର୍ଷ ଏହା ୫୨.୫ ପ୍ରତିଶତ ରହିଥିଲା ।
ସେହିଭଳି କୃଷି ପ୍ରଧାନ ରାଜ୍ୟ ଓଡିଶାରେ ଏହି କ୍ଷେତ୍ରରେ ବଜେଟ୍ ବ୍ୟୟ ବରାଦ ୨୦.୨ ପ୍ରତିଶତ ବୃଦ୍ଧି ପାଇଛି ଯାହାକି ରାଜ୍ୟ ଅର୍ଥନୀତିକୁ ସୁଦୃଢ କରିବ ବୋଲି ଅଧିକାରୀମାନେ ବିଚାରୁଛନ୍ତି । ଏଥିଯୋଗୁଁ କୃଷକମାନଙ୍କ ଆୟ ବୃଦ୍ଧି ପାଇବା ସହିତ ମତ୍ସ୍ୟ, ପଶୁପାଳନକୁ ପ୍ରୋତ୍ସାହନ ଓ ବଜାର ଭିତ୍ତିଭୂମି, ମୂଲ୍ୟ ସହାୟତା, ଫସଲ ବିବିଧତା, ଯାନ୍ତ୍ରିକ କୃଷି ଆଦିକୁ ସହାୟତା ଦ୍ୱାରା କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେବ ।
ସେହିଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଫଳରେ ଏହିସବୁ ସାମାଜିକ କ୍ଷେତ୍ରରେ ବ୍ୟୟ ମଧ୍ୟ ବୃଦ୍ଧି ପାଇଛି । ଡିସେମ୍ବର ଶେଷ ସୁଦ୍ଧା ସାମାଜିକ କ୍ଷେତ୍ରରେ ବ୍ୟୟ ୪୬.୫ ପ୍ରତିଶତରେ ପହଞ୍ଚିଥିବାବେଳେ ଆଗାମୀ ଦିନରେ ଏହାର ପରିମାଣ ଢେର ଅଧିକ ରହିବ । ତେଣୁ ମୋଟ ଉନ୍ନୟନ ବ୍ୟୟ ଡିସେମ୍ବର ଶେଷ ସୁଦ୍ଧା ୪୬.୩ ପ୍ରତିଶତ ରହିଛି ଯାହାକି ପୂର୍ବ ଆର୍ଥିକ ବର୍ଷରେ ୪୫.୨ ପ୍ରତିଶତ ଥିଲା । ଏହି ସମୟରେ ଯୋଜନା ବ୍ୟୟ କ୍ଷେତ୍ରରେ ୨୫.୬ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । (ତଥ୍ୟ)