ଭୁବନେଶ୍ୱର : ରାଜଧାନୀରେ ମଦୁଆ ଧରପଗଡ ଅଭିଯାନ ଏବେ ଜୋରଦାର ହୋଇଛି । ନିଶାଡ଼ିମାନେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଉପରେ ଆକ୍ରମଣ କରିବା ସହ ଦାଦାବଟି ଆଦାୟରେ ବ୍ୟସ୍ତ ରହୁଛନ୍ତି । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଯାଉଥିବା ପୁଲିସ କର୍ମଚାରୀଙ୍କ ଉପରେ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଆଗକୁ ବିଶ୍ୱକପ୍ ହକି ପ୍ରତିଯୋଗିତା ଆସୁଥିବାବେଳେ ନିଶାଡିମାନଙ୍କୁ ଜବତ କରିବା ଲାଗି କମିଶନରେଟ ପୋଲିସ ଅଧିକ ସକ୍ରିୟ ହେଉଥିବା ଲକ୍ଷ କରାଯାଉଛି ।
ଆଜି ନୀଳାଦ୍ରିବିହାର ଅଞ୍ଚଳରେ ଥିବା ବୁଦ୍ଧ ପାର୍କ ନିକଟରେ ରାସ୍ତାକଡରେ ମଦ୍ୟପାନ କରୁଥିବା ଦଳେ ଯୁବକଙ୍କୁ ପୋଲିସ ଉତ୍ତମ ମଧ୍ୟମ ଦେଇ ଘଉଡାଇଛି । ନିଶାଡିଙ୍କ ଉତ୍ପାତରେ ଅତିଷ୍ଠ ହୋଇ ପଡିଥିବା ସ୍ଥାନୀୟ ଲୋକେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହିତ ସାଧାରଣ ପ୍ରଶାସନ ବିଭାଗ ନୀଳାଦ୍ରିବିହାର ଜିଏ ପ୍ଲଟ ଅଞ୍ଚଳରେ ଫାଣ୍ଡି ପାଇଁ ଯେଉଁସ୍ଥାନ ପ୍ରାୟ ୩୦ବର୍ଷ ତଳୁ ଚିହ୍ନିତ କରି ରଖିଛନ୍ତି ସେଠାରେ ତୁରନ୍ତ ଥାନା ପ୍ରତିଷ୍ଠା ଲାଗି ଜୋରଦାର ଦାବି ହେଉଛି ।
ଜାଭିୟର ଛକରୁ ଉକ୍ରଳ ହସ୍ପିଟାଲକୁ ସଂଯୋଗ କରୁଥିବା ନୂଆ ରାସ୍ତା କଡରେ ଦିନରାତି ନିଶାଡିଙ୍କ ଆଡ୍ଡା ଜମୁଛି । ଏମିତିକି ଅନେକ ସମୟରେ ପୋଲିସ ପାଟ୍ରୋଲିଂ ଗାଡିକୁ ମଧ୍ୟ ସେମାନେ ଖାତିର କରୁନାହାନ୍ତି । ଧରାପଡି ଜରିମାନା ଦେବାକୁ ଏମାନେ ଅତି ହାଲୁକା ଭାବେ ନେଉଥିବା ଦୃଷ୍ଟିରୁ ଏବେ ପୋଲିସ ସେମାନଙ୍କ ଉପରେ ବଳପ୍ରୟୋଗ କରିବାକୁ ବାଧ୍ୟ ହେଉଛି ।
ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ, ରାଜଧାନୀର ସଂଖ୍ୟାଧିକ ପାର୍କ କଡ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ସଞ୍ଜ ନଇଁବା ପରେ ନିଶାଡିମାନଙ୍କ ଆଖଡା ଜମୁଛି । ଏମିତିକି କେତେକ ଶିକ୍ଷାନୁଷ୍ଠାନରେ ମଧ୍ୟ ଦିନବେଳାବି ଖୋଲାଖୋଲି ନିଶା ସେବନ ଚାଲୁଛି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତାଗିଦା କଲେ ଏମାନେ ଖଣ୍ଡା ତଲୱାର ଉଠାଉଛନ୍ତି । ଏ ପରିପ୍ରେକ୍ଷୀରେ କେବଳ ଜରିମାନା ନକରି ନିଶାଡିମାନଙ୍କୁ ଗିରଫ କରି ମାମଲା ଦେଇ ଜେଲ ପଠାଇବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ, ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଅଞ୍ଚଳର ଏକ ବାର୍ରେ ବହୁ ସଂଖ୍ୟକ ଯୁବକ ଏକତ୍ରିତ ହୋଇ ଭଙ୍ଗାରୁଜା କରିବା ସହ ପୋଲିସକୁ ମଧ୍ୟ ଗୋଡାଇ ଗୋଡାଇ ପିଟିଛନ୍ତି । କମିଶନରେଟ ପୁଲିସ ପାଇଁ ଏହା ମର୍ଯ୍ୟାଦାର ପ୍ରଶ୍ନ ହୋଇଥିବାରୁ ୧୨ଘଣ୍ଟା ଭିତରେ ୩୦ରୁ ଊଦ୍ଧ୍ୱର୍ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ଛାତ୍ର ବୋଲି ଜଣାପଡିଛି ।
ରାଜଧାନୀର ବିଭିନ୍ନ ଅଞ୍ଚଳରେ ମଦ, ଗଞ୍ଜେଇ, ଚରସ, ହେରୋଇନ, ବ୍ରାଉନ୍ସୁଗାର ଭଳି ନିଶାସାମଗ୍ରୀର ବ୍ୟାପକ ବେପାର ଚାଲିଛି । ଅବଶ୍ୟ ମଝିରେ ମଝିରେ ଚୋର ନିଶାବେପାରୀଙ୍କ ସମେତ ନିଶା ପାନ କରି ଗାଡି ଚଳାଉଥିବା ବ୍ୟକ୍ତିମାନଙ୍କୁ ପୋଲିସ ଧରୁଛି । ଏହାସତ୍ତ୍ୱେ ବି, ଚୋରା ନିଶା କାରବାର କମିବା ପରିବର୍ତ୍ତେ ରାଜଧାନୀରେ ବଢି ବଢି ଚାଲିଛି । ନିଶା ପ୍ରସାର ସହିତ ତାଳଦେଇ ବିଭିନ୍ନ କିସମର ଅପରାଧ, ଦୁର୍ଘଟଣା, ଆତ୍ମହତ୍ୟା ଆଦି ମଧ୍ୟ ବଢି ଚାଲୁଛି । ବିଶେଷ କରି ଯୁବପିଢି ପାଇଁ ଏହା ଏକ ବଡ ଆହ୍ୱାନ ହୋଇଛି ।
ବହୁ ଔଷଧ ଦୋକାନରେ ଏବେ ପ୍ରଚୁର ପରିମାଣର ନିଶାଯୁକ୍ତ କଫ ସିରପ ବିନା ପ୍ରେସ୍କ୍ରିପ୍ସନରେ ବିକ୍ରି ହେଉଛି । ଏହାଛଡା କେତେକ କିସମର ଅଠା ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ଶୁଙ୍ଘି ପିଲାମାନେ ବି ନିଶାସକ୍ତ ହେଉଛନ୍ତି । ସଂଖ୍ୟାଧିକ ଓମ୍ଫେଡ୍ ପାର୍ଲରରେ ନିଷିଦ୍ଧାଦେଶ ସତ୍ତ୍ୱେ ତମାଖୁ, ଗୁଟ୍ଖା ଆଦି ଖୋଲା ଖୋଲି ଭାବେ ବିକ୍ରି ଚାଲୁଛି ଓ କର୍ତ୍ତୃପକ୍ଷ ଏହା ଦେଖୁଥିଲେ ବି ନୀରବ ରହୁଛନ୍ତି । ଏମିତିକି ‘କୋଟ୍ପା’ ଆଇନର ଉଲ୍ଲଂଘନ କରାଯାଇ ଅନେକ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ଚାଲୁଥିବା ଦେଖିବାକୁ ମିଳୁଛି । (ତଥ୍ୟ)