Home Mining ଡିଏମ୍‍ଏଫ୍‍ ବ୍ୟୟ ୫୫ ପ୍ରତିଶତ

ଡିଏମ୍‍ଏଫ୍‍ ବ୍ୟୟ ୫୫ ପ୍ରତିଶତ

ଭୁବନେଶ୍ୱର : ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‍ଏଫ୍‍)ରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ମାସରେ ୨୦,୪୦୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଏହି ସମୟରେ ୧୧ ହଜାର ୪୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ସରକାରୀ ସଥ୍ୟ ମୁତାବକ ଏହି ୮ମାସ ମଧ୍ୟରେ ଅନୁଗୁଳ, ଯାଜପୁର, ଝାରସୁଗୁଡା,କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ ଭଳି ୮ଟି ଜିଲ୍ଲାର ୨୫,୦୮୪ଟି ପ୍ରକଳ୍ପ ମଞ୍ଜୁର କରାଯାଇ ୨୨,୮୭୫ଟିର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏଥିମଧ୍ୟରୁ ୧୭,୮୭୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି । ମୋଟାମୋଟି ଭାବେ ଆର୍ଥିକ ବର୍ଷର ପ୍ରଥମ ୮ମାସ ମଧ୍ୟରେ ଡିଏମ୍‍ଏଫ୍‍ରୁ ମଞ୍ଜୁର ଅର୍ଥ ଭିତରୁ ପ୍ରାୟ ୫୫ ପ୍ରତିଶତ ଖର୍ଚ୍ଚ ହୋଇଛି ।

ମୟୂରଭଞ୍ଜ ଜିଲ୍ଲାରେ ଡିଏମ୍‍ଏଫ୍‍ ପାଣ୍ଠିରୁ ମଞ୍ଜୁର ଅର୍ଥ ମଧ୍ୟରୁ ୮ମାସ ଭିତରେ ପ୍ରାୟ ୭୯ ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ କୋରାପୁଟରେ ୭୦, ଅନୁଗୁଳରେ ୬୭, ରାୟଗଡାରେ ୬୩ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । ତେବେ ୮ଟି ଜିଲ୍ଲା ମଧ୍ୟରେ ଡିଏମ୍‍ଏଫ୍‍ ପାଣ୍ଠି ବ୍ୟୟ କ୍ଷେତ୍ରରେ ଯାଜପୁର ଜିଲ୍ଲା ପଛରେ ପଡିଛି । ଏହି ଜିଲ୍ଲା ପାଇଁ ଡିଏମ୍‍ଏଫ୍‍ ପାଣ୍ଠିରୁ ୨୦୪୫କୋଟି ଟଙ୍କା ବ୍ୟୟ ଅଟକଳରେ ୪୫୬୪ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ସେଥିରୁ ୩୮୫୫ଟିର କାମ ଆରମ୍ଭ ହୋଇଥିଲା ଏବଂ ୯୦୨ କୋଟି ଟଙ୍କା ବ୍ୟୟରେ ୨୯୭୫ଟି ପ୍ରକଳ୍ପର କାମ ଶେଷ ହୋଇଛି । ମୋଟାମୋଟି ଭାବେ ବରାଦ ଅର୍ଥର ମାତ୍ର ୪୪ ପ୍ରତିଶତ ଏହି ଜିଲ୍ଲାରେ ଖର୍ଚ୍ଚ ହୋଇଛି ।

ଜିଲ୍ଲା ଖଣିଜ ପାଣ୍ଠି ପାଇଁ ସମଗ୍ର ରାଜ୍ୟରେ ଯେତେ ଅର୍ଥ ଆସିଛି ସେଥିରୁ ପ୍ରାୟ ୯୮ପ୍ରତିଶତ ମିଳିଛି ଏହି ୮ଟି ଜିଲ୍ଲାରୁ । ମୋଟାମୋଟି ଭାବେ ଡିଏମ୍‍ଏଫ୍‍ରୁ ଏହି ୮ଟି ଜିଲ୍ଲା ପାଇଁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪୯୭୪କୋଟି ଟଙ୍କା ବ୍ୟୟ ଅଟକଳରେ ୧୨୫୪୬ଟି ପ୍ରକଳ୍ପ ପୂର୍ତ୍ତ ବିଭାଗକୁ ୪୯୫୭କୋଟି ଟଙ୍କା ଅଟକଳରେ ୭୨୧ଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୫୭୬ କୋଟି ଟଙ୍କାର ୨୬୪୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା । ଏହାଛଡା ଗ୍ରାମାଞ୍ଚଳ ବିକାଶ ବିଭାଗକୁ ୮୩୮ଟି ପ୍ରକଳ୍ପ ପାଇଁ ୧୩୮୩କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୫୫୬ଟି ପ୍ରକଳ୍ପ ପାଇଁ ୧୧ଶହ କୋଟି, ଜଳସମ୍ପଦ ବିଭାଗକୁ ୯୫୧ଟି ପ୍ରକଳ୍ପ ପାଇଁ ୮୧୬କୋଟି, ଗୃହ ଓ ସହରାଞ୍ଚଳ ବିକାଶକୁ ୫୦୪ଟି ପ୍ରକଳ୍ପ ଲାଗି ୭୦୫କୋଟି ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ୩୭୮ଟି ପ୍ରକଳ୍ପ ପାଇଁ ୪୮୮କୋଟି ଟଙ୍କା ଏହି ୮ଟି ଜିଲ୍ଲା ଲାଗି ମଞ୍ଜୁର କରାଯାଇଥିଲା । ଏଥିମଧ୍ୟରୁ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ଜଳସମ୍ପଦ ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ଦିଆଯାଇଥିବା ଅର୍ଥର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଅର୍ଥ ୮ମାସ ମଧ୍ୟରେ ଖର୍ଚ୍ଚ କରିଥିବାବେଳେ ଅନ୍ୟ ବିଭାଗଗୁଡିକ ୮୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରିବାରେ ସମର୍ଥ ହୋଇଛନ୍ତି ।

ମୋଟାମୋଟି ଭାବେ ଖଣିଖାଦାନ ଭରା ଏହି ୮ଟି ଜିଲ୍ଲାର ଭିତ୍ତିଭୂମି ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟଜଳ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନତି ଲାଗି ଜିଲ୍ଲା ଖଣିଜ ପାଣ୍ଠିଗୁଡିକରୁ ପ୍ରକଳ୍ପୱାରୀ ସହାୟତା ଯୋଗାଇ ଦିଆଯାଉଛି । ଜିଲ୍ଲା ଓ ରାଜ୍ୟସ୍ତରରେ ଖଣିଜ ପାଣ୍ଠି ପରିଚାଳନା ପାଇଁ ଉଚ୍ଚସ୍ତରୀୟ କମିଟିମାନ ଗଠନ କରାଯାଇ ନିୟମିତ ବ୍ୟବଧାନରେ ପାଣ୍ଠିର ପରିଚାଳନା ସହ ପ୍ରକଳ୍ପ ମଞ୍ଜୁରୀ ଓ ଏ ବାବଦ ଖର୍ଚ୍ଚ ସଂକ୍ରାନ୍ତରେ ସମୀକ୍ଷା କରାଯାଉଥିବା ବରିଷ୍ଠ ଅଧିକାରୀମାନେ କହୁଛନ୍ତି । (ତଥ୍ୟ)