Home General ଟିଭି ଚ୍ୟାନେଲଗୁଡିକୁ ଚେତାବନୀ

ଟିଭି ଚ୍ୟାନେଲଗୁଡିକୁ ଚେତାବନୀ

ନୂଆଦିଲ୍ଳୀ : ଦୁର୍ଘଟଣା, ମୃତ୍ୟୁ ଓ ମହିଳା, ଶିଶୁ ବୟସ୍କଙ୍କ ପ୍ରତି ହିଂସା ଭଳି ଆଚରଣ ଅରୁଚିକର ଓ ଶିଷ୍ଟତା ସହ ସାଲିସ ଭଳି ହୋଇଥିବାରୁ ଏଭଳି ଖବର ପ୍ରସାର ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଟିଭି ଚ୍ୟାନେଲଗୁଡିକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଟେଲିଭିଜନ ଚ୍ୟାନେଲଗୁଡିକ ପକ୍ଷରୁ ସାବଧାନତା ଅବଲମ୍ବନ ନ କରିବାର ଅନେକ ଘଟଣା ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡିକ ଲୋକମାନଙ୍କ ମୃତ ଶରୀର, ଆହତ ବ୍ୟକ୍ତିମାନଙ୍କର ରକ୍ତ ଜୁଡୁବୁଡୁ ଶରୀରର ଫଟୋ ଏବଂ ଭିଡିଓ, ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନିର୍ଦ୍ଦୟଭାବେ ମାଡ ମରାଯାଉଥିବାର ଖୁବ୍ ନିକଟରୁ ନିଆଯାଉଥିବା ଚିତ୍ର, ଶିକ୍ଷକଙ୍କ ଦ୍ୱାରା ମାଡ ଖାଇଥିବା ଶିଶୁର କ୍ରନ୍ଦନ ଓ ଚିତ୍କାର ଇତ୍ୟାଦି ବାରମ୍ବାର ଅନେକ ସମୟ ପର୍ଯ୍ୟନ୍ତ ଦେଖାଉଛନ୍ତି ।

ଏଗୁଡିକୁ ଝାପ୍ସା କରି ବା ଦୂରରୁ ନ ଦେଖାଇବା ଯୋଗୁଁ ଏହି ସଟ୍ ଗୁଡିକ ଆହୁରି ଭୟଙ୍କର ହେଉଛି । ଯେଭଳି ଏହାର ଖବର ପ୍ରସାରିତ ହେଉଛି ତାହା ଦର୍ଶକମାନଙ୍କ ନିମନ୍ତେ ଅତ୍ୟନ୍ତ ଅରୁଚିକର ଓ ଦୁଃଖଦାୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ବିଭିନ୍ନ ଶ୍ରେଣୀର ଦର୍ଶକଙ୍କ ଉପରେ ଏଭଳି ସମ୍ବାଦ କିପରି ପ୍ରଭାବ ପକାଉଛି ତା’ ଉପରେ ମାର୍ଗଦର୍ଶିକାରେ ଆଲୋଚନା କରାଯାଇଛି । ଏଭଳି ଖବର ପିଲାମାନଙ୍କ ଉପରେ ଖରାପ ମନସ୍ତାତ୍ତ୍ୱିକ ପ୍ରଭାବ ପକାଇବ ବୋଲି ମଧ୍ୟ କୁହାଯାଇଛି । ଏଥିରେ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପଡୁଥିବାରୁ ଏହା ମାନହାନୀ କାରକ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।

ଟେଲିଭିଜନ ସାଧାରଣତଃ ପୂରା ପରିବାର ମିଳିମିଶି ଦେଖୁଥାନ୍ତି । ଏଥିରେ ବୟସ୍କ, ମଧ୍ୟବୟସ୍କ, ଛୋଟ ପିଲା ଓ ବିଭିନ୍ନ ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ଦେଖୁଥିବାରୁ ପ୍ରସାରଣକାରୀମାନଙ୍କ ଦାୟିତ୍ୱ ବୋଧ ଓ ଶୃଙ୍ଖଳାଜ୍ଞାନ ରହିବା ଆବଶ୍ୟକ ଯାହା କାର୍ଯ୍ୟକ୍ରମ ଓ ବିଜ୍ଞାପନ ସଂହିତାରେ ମଧ୍ୟ ଦର୍ଶାଯାଇଛି ।

ମନ୍ତ୍ରଣାଳୟ ଏକଥା ମଧ୍ୟ ହୃଦୟଙ୍ଗମ କରିଛି ଯେ ଅଧିକାଂଶ କ୍ଷେତ୍ରରେ ଭିଡିଓଗୁଡିକୁ ସାମାଜିକ ଗଣମାଧ୍ୟମରୁ ନିଆଯାଇଥିବା ବେଳେ କାର୍ଯ୍ୟକ୍ରମ ସଂହିତାର ନିର୍ଦ୍ଦେଶାବଳୀ ଅନୁସାରେ ଖାପ ଖୁଆଇବା ପାଇଁ ଏଗୁଡିକ ବିନା ସମ୍ପାଦକୀୟ ହସ୍ତକ୍ଷେପ ଓ ସଂଶୋଧନରେ ପ୍ରସାରିତ ହେଉଛି ।