ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କୁ ଡିଜିଟାଲ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସଶକ୍ତ ଅଭିଯାନ (ପିଏମଜିଦିଶା)ରେ ଓଡିଶାରୁ ୨୬ଲକ୍ଷରୁ ଅଧିକ ଲୋକ ତାଲିମ ପାଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଲକ୍ଷରୁ ଅଧିକ ଲୋକଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
୨୦୧୭ ମସିହାରୁ କେନ୍ଦ୍ର ସରକାର ଗାଁ ଗହଳର ଲୋକଙ୍କୁ ଡିଜିଟାଲ ସାକ୍ଷର କରିବାପାଇଁ ପିଏମଜିଦିଶା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ହିତାଧିକାରୀମାନଙ୍କୁ ୫ଟି ବିଷୟରେ ୨୦ଘଣ୍ଟାର ତାଲିମ ପ୍ରଦାନ କରାଯାଉଛି । ଏଥି ମଧ୍ୟରେ ଡିଜିଟାଲ ଡିଭିଇସ୍ ସଂକ୍ରାନ୍ତରେ ଜାଣିବା, ଏହାର ଚଳାଚଳ ବିଷୟରେ ଅବଗତ ହେବା, ଇଣ୍ଟରନେଟ୍ ସଂକ୍ରାନ୍ତରେ ଜାଣିବା, ଇଣ୍ଟରନେଟ୍ର ବ୍ୟବହାର ଏବଂ ଇଣ୍ଟରନେଟ୍ ମାଧ୍ୟମରେ ନାଗରିକ ସେବାଗୁଡିକ କିଭଳି ପାଇବେ ତାହା ରହିଛି । ଏଥିରେ ବିଶେଷକରି ଲୋକଙ୍କୁ ନଗଦ ରହିତ ବା କ୍ୟାଶ୍ଲେସ୍ କାରବାର ବିଷୟରେ ତାଲିମ ଦିଆଯାଉଛି । ଇଂରାଜୀ ସମତେ ଅନ୍ୟ ୨୨ଟି ଭାଷାରେ ଗାଁ ଗହଳର ଲୋକଙ୍କୁ ଏହି ତାଲିମ ମିଳୁଛି ।
ଏହାବାଦ୍ ଏହି ତାଲିମ ସମୟରେ ଲୋକଙ୍କୁ ମୋବାଇଲ ଫୋନ୍ ଜରିଆରେ ଆର୍ଥିକ କାରବାର, ଡିଜିଟାଲ ୱାଲେଟ, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ ଜରିଆରେ କାରବାର, ଆଧାର ସଂଯୁକ୍ତ ଦେୟ ବ୍ୟବସ୍ଥା ଏବଂ ପୋସ୍ ମେସିନ୍ ବ୍ୟବହାର ସଂକ୍ରାନ୍ତରେ ବି ଅବଗତ କରାଯାଉଛି । ହିତାଧିକାରୀମାନଙ୍କୁ ତାଲିମ ଦେବାପରେ ତୃତୀୟପକ୍ଷ ଦ୍ୱାରା ସେମାନଙ୍କର ତାଲିମ ବିଷୟରେ ସମୀକ୍ଷା କରାଯାଉଛି । ଏଥିପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ନିୟୋଜିତ କରାଯାଉଛି ।
ଡିଜିଟାଲ ସାକ୍ଷର ହେବାପାଇଁ ଓଡିଶାରୁ ୩୨,୨୨,୨୯୯ ଜଣ ପଞ୍ଜିକରଣ କରିଥିବାବେଳେ ସେଥିରୁ ୨୬,୮୫,୩୯୮ ଜଣ ତାଲିମ ପାଇଥିଲେ । ଏହି ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨୦,୨୭,୬୮୩ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସାର୍ଟିଫିକେଟ ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ୧୨,୧୯,୫୮୯ ଜଣ ପୁରୁଷ ଥିବାବେଳେ ୮,୦୮,୦୬୧ ଜଣ ମହିଳା ଓ ୩୨ ଜଣ କିନ୍ନର ଥିବା ଜଣାଯାଇଛି ।
ତେବେ ଓଡିଶାରେ ଡିଜିଟାଲ ତାଲିମ ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ପଡୋଶୀ ରାଜ୍ୟ ତୁଳନାରେ ଅଧିକ ରହିଛି । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ୧୪.୮୦ଲକ୍ଷ ତାଲିମ ପାଇଥିବାବେଳେ ଛତିଡଗଡରେ ୨୧.୭୦ଲକ୍ଷ, ଝାଡଖଣ୍ଡରେ ପ୍ରାୟ ୨୦ଲକ୍ଷ ଓ ପଶ୍ଚିମବଙ୍ଗରେ ୨୦.୩୫ଲକ୍ଷ ଡିଜିଟାଲ ସଶକ୍ତ ହୋଇଛନ୍ତି । ସମଗ୍ର ଦେଶରେ ଏହି ସମୟରେ ମୋଟ୍ ୫,୬୮,୫୫,୯୦୧ ଜଣ ଡିଜିଟାଲ ସଶକ୍ତ ତାଲିମ ପାଇଥିବାବେଳେ ୪,୨୨,୧୫,୩୯୮ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
ସମଗ୍ର ଦେଶରେ ପିଏମଜିଦିଶା ଯୋଜନା ସହିତ କେନ୍ଦ୍ର ଇଲେକଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନରେ ଥିବା ଏନ୍ଆଇଇଏଲ୍ଇଟି ଡିଜିଟାଲ ସାକ୍ଷରତା ତାଲିମ ପ୍ରଦାନ କରୁଛି । ଏହି ସଂସ୍ଥାର ୪୭ଟି କେନ୍ଦ୍ର ଏବଂ ୪୧୭୮ଟି ସୁବିଧା କେନ୍ଦ୍ର ଜରିଆରେ ଗତ ୧୦ବର୍ଷ ମଧ୍ୟରେ ୭୫ଲକ୍ଷ ହିତାଧିକାରୀଙ୍କୁ ତାଲିମ ଦେଇଥିବା ଜଣାଯାଇଛି । (ତଥ୍ୟ)