Home General ଓଡିଆ ଛାଡି ଦେଲେଣି ଧୋତି, ଶାଢୀ

ଓଡିଆ ଛାଡି ଦେଲେଣି ଧୋତି, ଶାଢୀ

ଭୁବନେଶ୍ୱର : ଧୋତି ଓ ଶାଢୀ ଏକଦା ଓଡିଆ ଲୋକଙ୍କର ପାରମ୍ପରିକ ପୋଷାକ ଥିଲା । ଏହା ସହିତ ଗାମୁଛାର ପ୍ରଚଳନ ବି ବ୍ୟାପକ ଥିଲା । ଆବଶ୍ୟକତାକୁ ଆଖିଆଗରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧୋତି ଓ ଶାଢୀ ବୁଣାଯିବା ସହ ଚାହିଦା ମେଣ୍ଟାଇବାପାଇଁ ରାଜ୍ୟ ଭିତରେ ଓ ବାହାରେ ମିଲ୍‍ରେ ବୁଣା ଧୋତି ଶାଢୀ ମଧ୍ୟ ବ୍ୟବହାର କରାଯାଉଥିଲା । କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଓଡିଆ ଲୋକଙ୍କର ଧୋତି ଓ ଶାଢୀପିନ୍ଧା ଅଭ୍ୟାସ ଢେର କମିଯାଇଥିବାରୁ ଏବେ ବଜାରରେ ଏହି ବୟନ ସାମଗ୍ରିର ଚାହିଦା ହ୍ରାସ ପାଇଛି ।

ଓଡିଶାପାଇଁ ବାର୍ଷିକ ପ୍ରାୟ ୨୫ହଜାର କୋଟି ଟଙ୍କାର କପଡା ଆବଶ୍ୟକ ଥିବାବେଳେ ରାଜ୍ୟ ଭିତରେ ପ୍ରାୟ ହଜାରେ କୋଟି ଟଙ୍କାର କପଡା ଉତ୍ପାଦିତ ହେଉଛି । ଅବଶିଷ୍ଟ କପଡା ପାଇଁ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । କର୍ମଜୀବୀ ମହିଳାମାନେ ପ୍ରାୟତଃ ଶାଢୀ ବଦଳରେ ଡ୍ରେସ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ସେହିଭଳି ପୂର୍ବରୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ବହୁ ଛାତ୍ରୀ ଶାଢୀ ପିନ୍ଧୁଥିବାବେଳେ ଡ୍ରୋସ କୋଡ୍‍ ଲାଗୁ ହେବାପରେ ପ୍ରାୟତଃ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରୀ ମହଲରେ ଆଉ କେହି ଶାଢୀ ପିନ୍ଧୁ ନାହାନ୍ତି ।

ଉଚ୍ଚ ଶିକ୍ଷିତ ବର୍ଗର ବହୁ ମହିଳା ଘରେ ଓ ବାହାରେ ଶାଢୀ ବଦଳରେ ଡ୍ରେସ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଏମିତିକି ବିଭିନ୍ନ ସାମାଜିକ ଉତ୍ସବରେ ଏବେ ଶାଢୀ ବଦଳରେ ଡ୍ରେସ ଉପଢୌକନ ଦିଆଗଲାଣି । ଏ ପରିପ୍ରେକ୍ଷୀରେ ଦୋକାନମାନଙ୍କରେ ଶାଢୀ ବିକ୍ରି ଢେର ହ୍ରାସ ପାଇଛି । କେବଳ ସହରାଞ୍ଚଳରେ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଶାଢୀର ବ୍ୟବହାର ବେଶ୍‍ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି ।

ସେହିଭଳି ପୁରୁଷମାନଙ୍କ କ୍ଷେତ୍ରରେ ଏବେ ଧୋତି ଓ ଗାମୁଛାର ବ୍ୟବହାର ବେଶ୍‍ କମିବାରେ ଲାଗିଛି । ଗୋଟିଏ ସମୟରେ ବିଧାନସଭାକୁ ସଂଖ୍ୟାଧିକ ସଦସ୍ୟ ଧୋତି ପିନ୍ଧି ଆସୁଥିଲେ । ବାଚସ୍ପତି ଓ ମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଅନେକ ଧୋତି ପିନ୍ଧୁଥିଲେ । ବିଭିନ୍ନ ଦଳର ରାଜନେତାମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପରିଧାନ ଅତୀତରେ ଧୋତି ଥିଲା । କିନ୍ତୁ ଏବେ ବିଧାନସଭାଭିତରେ ଧୋତି ପିନ୍ଧା ସଦସ୍ୟଙ୍କ ସଂଖ୍ୟା ଅତି ନଗଣ୍ୟ । ସେହିଭଳି ରାଜ୍ୟ ସଚିବାଳୟ ଠାରୁ ଆରମ୍ଭକରି ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ବିଭିନ୍ନ ଦପ୍ତରରେ ଆଉ ପ୍ରାୟ ଧୋତି ପିନ୍ଧା କର୍ମଚାରୀ ଦୃଶ୍ୟମାନ ହେଉନାହାନ୍ତି । ଏମିତିକି ସହରାଞ୍ଚଳର ସଂଖ୍ୟାଧିକ ଶ୍ରମଜୀବୀ ଧୋତି ବଦଳରେ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି । ଗାଁ ଗହଳରେ ବି ବହୁ କୃଷି ଶ୍ରମିକ ଏବେ ପ୍ୟାଣ୍ଟ ପିନ୍ଧି କାମ କରିବାକୁ ଯାଉଛନ୍ତି ।

ଏ ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ ଠାରୁ ଆରମ୍ଭ କରି ରାଜ୍ୟର ଛୋଟ ବଡ ପ୍ରାୟ ସବୁ ସହରରେ ଥିବା ଲୁଗାଦୋକାନଗୁଡିକରେ ଧୋତି ବେପାର ଖୁବ୍‍ ମାନ୍ଦା ରହିଛି । ତେବେ ଗାଧୁଆ ପାଧୁଆ ପାଇଁ ଗାମୁଛାର ଆବଶ୍ୟକତା ଥିବାରୁ ଧୋତି ତୁଳନାରେ ଅଧିକ ଗାମୁଛା ବିକ୍ରି ହେଉଛି । ବିବାହ, ବ୍ରତୋପନୟନ, ଶୁଦ୍ଧିକ୍ରିୟା ଆଦିର ବିଧିବିଧାନରେ ଅବଶ୍ୟ ଧୋତି, ଶାଢୀ, ଗାମୁଛା ଆଦି ବ୍ୟବହୃତ ହେଉଛି ।

ଆଧୁନିକ ସଭ୍ୟତାରେ ତାମିଲନାଡୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଆଦି ରାଜ୍ୟରେ ତଥାପି ବି ସେଠାକାର ମୁଣ୍ଡୁ (ଧୋତି)ର ବହୁଳ ବ୍ୟବହାର ହେଉଥିବାବେଳେ ପଡୋଶୀ ପଶ୍ଚିମବଙ୍ଗରେ ବି ଧୋତି ଓ ସୂତାଶାଢୀର ଚାହିଦା ଢେର ରହିଛି । କିନ୍ତୁ ଓଡିଶାର ଲୋକେ ନିଜର ପାରମ୍ପରିକ ପୋଷାକ ଶାଢୀ, ଧୋତି, ଲୁଙ୍ଗି ଆଦିକୁ ଦୂରେଇବା ଫଳରେ ଏହାର ଚାହିଦା ଉଦ୍‍ବେଗଜନକ ଭାବେ କମି ଚାଲିଛି । ଏହାର ସିଧାସଳଖ ପ୍ରଭାବ ରାଜ୍ୟର ହସ୍ତତନ୍ତ ପଡୁଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଶାଢୀର ବଜାର ତେଣୁ ଦିନକୁ ଦିନ ଲୁପ୍ତପ୍ରାୟ ହେବାକୁ ଯାଉଛି । (ତଥ୍ୟ)