Home General ପ୍ରଚାରସର୍ବସ୍ୱ ନହେଉ ୫ଜି

ପ୍ରଚାରସର୍ବସ୍ୱ ନହେଉ ୫ଜି

ଭୁବନେଶ୍ୱର : ଆଜି ଓଡ଼ିଶାର ଦୁଇଟି ସହର କଟକ ଓ ଭୁବନେଶ୍ୱରରେ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ । କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଏଯାଏଁ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ । ଫଳରେ ଲୋକେ ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି ୫-ଜି ସେବା କେବଳ ପ୍ରଚାରସର୍ବସ୍ୱ ହୋଇ ନଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ଓଡ଼ିଶାର ସମସ୍ତ ଅଞ୍ଚଳକୁ ମୋବାଇଲ ଓ ଇଣ୍ଟରନେଟ୍ ସେବା ତୁରନ୍ତ ଯୋଗାଇ ଦେବାକୁ ବିଜୁ ଜନତା ଦଳ ଦାବି କରିଛି ।

ଆଜି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉତଥାପନ କରି କହିଲେ ଯେ ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ସବୁଠାରୁ ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ । ଗତ ୨୦୨୨ ଜୁଲାଇ ମାସରେ ‘ଟ୍ରାଇ’ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟର ତଥ୍ୟ ଅନୁଯାୟୀ ଦେଶର ହାରାହାରି ଟେଲି ଘନତ୍ୱ ୮୫% ରହିଥିବା ବେଳେ ଓଡ଼ିଶାରେ ଏହା ହାରାହାରି ୭୫% ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ମାତ୍ର ୬୭% ରହିଛି ।

ଏପରିକି ଦେଶର ସର୍ବାଧିକ ପଛୁଆ ଅଞ୍ଚଳ ଭାବେ ବିବେଚିତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଟେଲି ଘନତ୍ୱ ଓଡ଼ିଶା ଠାରୁ ଅଧିକ ୭୮% ଏବଂ ଜାମ୍ମୁ-କାଶ୍ମୀରରେ ୮୦% ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଓଡ଼ିଶାର ୬୨୭୮ ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବା ପହଞ୍ଚି ପାରୁନାହିଁ । ଏହି ସେବା ପହଞ୍ଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ରହିଥିବା ବେଳେ ଏଯାଏଁ ମାତ୍ର ୪୮୮ଟି ଟାୱାର ମଞ୍ଜୁର ହୋଇଛି । ମୁଖ୍ୟତଃ ଆଦିବାସୀ ବର୍ଗର ଲୋକେ ରହୁଥିବା ନକ୍ସଲ ପ୍ରବଣ ଇଲାକାରେ ଟାୱାର ନଥିବାରୁ ଲୋକେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଅର୍ଥ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ପାରୁନାହିଁ ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ୫-ଟି ଆଜି ପ୍ରଶାସନର ଏକ ଆଦର୍ଶ ମଡ଼େଲ ଭାବରେ ଆଦୃତ ହୋଇଛି । ସେଥିରେ ଏକ ସ୍ତମ୍ଭ ହେଉଛି ଟେକ୍ନୋଲୋଜି । ତେଣୁ ଟେକ୍ନୋଲୋଜିକୁ ଗ୍ରହଣ କରି ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବା ମୂଳ ଲକ୍ଷ୍ୟ ହେବା ଉଚିତ୍ । ମାତ୍ର ଟେଲିକମ୍ ଓ ଇଣ୍ଟରନେଟ୍ ସେବା କ୍ଷେତ୍ରରେ ସବୁଠାରୁ ଅବହେଳିତ ରହିଆସିଥିବା ଓଡ଼ିଶାରେ ଟେକ୍ନୋଲୋଜିର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରୁ ନାହିଁ ।

ଏବେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ମିଳୁଥିବା ଟେଲି ସେବା ମଧ୍ୟ ଅତ୍ୟନ୍ତ ଦୁର୍ବଳ । ନେଟୱାର୍କ ନଥିବାରୁ କୋଭିଡ୍ ସମୟରେ ପିଲାମାନେ ଅନ୍‌ଲାଇନ୍‌ରେ ପାଠପଢ଼ା ପାଇଁ କେମିତି ହଇରାଣ ହେଉଥିଲେ ଏବଂ ନେଟୱାର୍କ ପାଇବା ଲାଗି ପାହାଡ଼ ଓ ଗଛ ଉପରକୁ ଚଢୁଥିଲେ, ତାହା ସମସ୍ତେ ଜାଣିଛନ୍ତି ।

ଏହି ପରିପ୍ରେକ୍ଷୀରେ କେବଳ ଦୁଇଟି ସହରରେ ୫-ଜି ସେବା ଆରମ୍ଭ କରିଦେଲେ ଓଡ଼ିଶା ଏଥିରୁ ଲାଭବାନ ହୋଇପାରିବ ନାହିଁ । ଯେଉଁ ଓଡ଼ିଶାରେ ଆଜି ବି ଏତେ ସଂଖ୍ୟକ ଗାଁରେ ଲୋକେ ୨-ଜି ଓ ୩-ଜି ସେବା ପାଇପାରୁ ନାହାନ୍ତି, ସେଠାରେ ୫-ଜି ସେବା ପହଞ୍ଚାଯିବ କିପରି ? ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଆନ୍ତରିକତା ଥିବା ଭଳି ଜଣାପଡୁ ନାହିଁ । ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ, ସାଧାରଣ ଜନତା ଏବଂ ସାମଗ୍ରୀକ ଭାବେ ରାଜ୍ୟବାସୀ ଟେଲିକମ୍ ଓ ଇଣ୍ଟରନେଟ୍ କ୍ଷେତ୍ରରେ ଏହାଠାରୁ ଅଧିକ ଉତ୍ତମ ସେବା ପାଇବାକୁ ହକଦାର । ତେଣୁ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଏଭଳି ଦିନରେ ଲଣ୍ଠନ ନ ଦେଖାଇ ଲୋକଙ୍କ ହକ୍ ଏବଂ ସେବା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।