Home General ୮୩ଲକ୍ଷ ସିଲିଣ୍ଡରର ମାଗଣା ରିଫିଲିଂ

୮୩ଲକ୍ଷ ସିଲିଣ୍ଡରର ମାଗଣା ରିଫିଲିଂ

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ହିତାଧିକାରୀଙ୍କୁ ମାଗଣାରେ ତିନିଟି ରନ୍ଧନଗ୍ୟାସ ସିଲିଣ୍ଡର ଗ୍ୟାସ ଭରିବାର ସୁଯୋଗ ମିଳିଥିବାବେଳେ ଓଡିଶାର ହିତାଧିକାରୀମାନେ ବିନା ମୂଲ୍ୟରେ ୮୩ଲକ୍ଷରୁ ଅଧିକ ଗ୍ୟାସି ସିଲିଣ୍ଡର ଭରିଛନ୍ତି । ତେବେ ପଡୋଶୀ ପଶ୍ଚିମବଙ୍ଗରେ ମାଗଣା ଗ୍ୟାସ ସିଲିଣ୍ଡର ସଂଖ୍ୟା ଏକ କୋଟିରୁ ଅଧିକ ରହିଥିଲା ।

ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା (ପିଏମୟୁୱାଇ)ରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସହିତ ଅନ୍ୟାନ୍ୟ କେତେକ ବର୍ଗର ଲୋକଙ୍କୁ ରିହାତି ଦରରେ ରନ୍ଧନଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି । ୨୦୧୯-୨୦ ରେ ଦେଶରେ ଏହି ଯୋଜନାର ହିତାଧିକାରୀମାନେ ମୁଣ୍ଡପିଛା ୩.୦୧ ଟି ୧୪.୨ କିଲୋର ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବାବେଳେ ୨୦୨୧-୨୨ ରେ ତାହାର ୩.୬୮କୁ ବୃଦ୍ଧି ପାଇଛି । ତେବେ ହିତାଧିକାରୀମାନେ କିଭଳି ଅଧିକରରୁ ଅଧିକ ରନ୍ଧନଗ୍ୟାସ ବ୍ୟବହାର କରିବେ ସେଥିପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିହାତି ଦିଆଯାଉଛି । ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ଏହି ରିହାତି ମିଳିବ ।

ତେବେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ପିଏମୟୁୱାଇ ହିତାଧିକାରୀଙ୍କୁ କରୋନା ସମୟରେ ଅର୍ଥାତ୍‍ ୨୦୨୦ ଏପ୍ରିଲ୍‍ରୁ ମାଗଣାରେ ୩ଟି ସିଲିଣ୍ଡର ରିଫିଲିଂ କରିବାର ସୁଯୋଗ ମିଳିଥିଲା । ଏହି ଯୋଜନାକୁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏଥିରେ ସମଗ୍ର ଦେଶରେ ୧୪.୧୭ କୋଟି ସିଲିଣ୍ଡର ମାଗଣାରେ ରିଫିଲିଂ ହୋଇଥିଲା ।

ଜଣାଯାଇଛି ଯେ ଏହି ମାଗଣା ରିଫିଲିଂ ସମୟ ମଧ୍ୟରେ ଓଡିଶାରେ ମୋଟ୍‍ ୮୩,୭୩,୦୭୩ଟି ସିଲିଣ୍ଡରକୁ ହିତାଧିକାରୀମାନେ ମାଗଣାରେ ପାଇଛନ୍ତି । ତେବେ ପଶ୍ଚିମବଙ୍ଗରେ ଏହି ସମୟରେ ହିତାଧିକାରୀମାନେ ପାଖାପାଖି ୧.୭୩ କୋଟି ସିଲିଣ୍ଡର ରିଫିଲିଂ କରିଥିଲେ । ହେଲେ ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ୭.୬୨ଲକ୍ଷରୁ ସାମାନ୍ୟ ଅଧିକ ଥିବାବେଳେ ଛତିଶଗଡରେ ୪୨ଲକ୍ଷରୁ ଅଧିକ ଓ ଝାଡଖଣ୍ଡରେ ୫୩.୮୦ଲକ୍ଷରୁ ସାମାନ୍ୟ ଅଧିକ ରହିଥିଲା । ତେବେ ସବୁଠାରୁ କମ୍‍ ଲକ୍ଷାଦ୍ୱୀପରେ ମାତ୍ର ୫୨୩ଟି ସିଲିଣ୍ଡର ମାଗଣାରେ ରିଫିଲିଂ ହୋଇଥିଲା ।

ତେବେ କରୋନା ପ୍ରକୋପ କମିବା ପରେ ଏହି ତିନିଟି ମାଗଣା ସିଲିଣ୍ଡର ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିଥିଲା । ଇତି ମଧ୍ୟରେ ରନ୍ଧନଗ୍ୟାସ ଦର ବୃଦ୍ଧି ପାଇ ହଜାରେ ଟଙ୍କାକୁ ଟପିଥିବାରୁ ଉଜ୍ୱଳା ହିତାଧିକାରୀମାନେ ପୂର୍ବଭଳି ରନ୍ଧନଗ୍ୟାସ ରିଫିଲିଂ ପାଇଁ ସେତେଟା ଆଗ୍ରହ କରୁ ନାହାନ୍ତି । ଅନେକ ହିତାଧିକାରୀ ପୂର୍ବଭଳି ପାରମ୍ପରିକ ଜାଳେଣି ଯଥା କାଠ, ଗୋବରଘଷି ଆଦିକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)