Home General ଜନ୍ମପୀଠ ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାର

ଜନ୍ମପୀଠ ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାର

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ପାଇଁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ସରକାର ଗୁରୁତ୍ୱଆରୋପ କରୁଛନ୍ତି । ଚଳିତବର୍ଷ ଭିତରେ ଏହି ପ୍ରକଳ୍ପ ଦୁଇଟି ଯେଭଳି କାର୍ଯ୍ୟକ୍ଷମ ହୁଏ ତାହା ଉପରେ ତେଣୁ ଏବେ ବିଭାଗୀୟ ଅଧିକାରୀମାନେ ବିଶେଷ ତତ୍ପରତା ପ୍ରକାଶ କରୁଛନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ଥିବା ପୈତୃକ ଘର ବିକ୍ରି ହୋଇଯାଉଥିବାବେଳେ ସର୍ବୋଦୟ ନେତ୍ରୀ ରମାଦେବୀଙ୍କ ଉଦ୍ୟମରେ ତାହା ରକ୍ଷା କରାଯାଇ ସେଠାରେ କସ୍ତୁରବାଗାନ୍ଧୀ ଜାତୀୟ ସ୍ମାରକନିଧିର ରାଜ୍ୟଶାଖା କାର୍ଯ୍ୟାଳୟ ସହିତ ଏକ କନ୍ୟାଶ୍ରମ ଚାଲୁଛି । ଏହାଛଡା ଏହି ସଂସ୍ଥା ନିୟନ୍ତ୍ରଣରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କେନ୍ଦ୍ରମାନ ଖୋଲାଯାଇ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନିଆଯାଇଛି ।

ସତ୍ୟଭାମାପୁରରେ ଥିବା ଉତ୍କଳ ଗୌରବଙ୍କ ପରିବାରର ଶ୍ମଶାନଘାଟ ଓ ପୈତୃକ ଗୃହ ପରିସରରେ ଥିବା ରସକୁଣ୍ଡ ପୋଖରୀର ପୁନରୁଦ୍ଧାର ସହ ଏଠାରେ ଯେଉଁ ଛାତ ଉପରେ ମହାତ୍ମା ଗାନ୍ଧୀ ତାଙ୍କ ପଦଯାତ୍ରା ସମୟରେ ବିନିଦ୍ର ରଜନୀ ଯାପନ କରିଥିଲେ ତାହାର ମଧ୍ୟ ସ୍ମାରକୀ ରଖାଯାଉଛି । ଏହାଛଡା ମଧୁବାବୁଙ୍କ ଏନ୍ତୁଡିଶାଳ ଥିବା ଚାଳଘରକୁ ମଧ୍ୟ ଗ୍ରାମ୍ୟ ପରିବେଶ ଭିତରେ ସୁରକ୍ଷିତ ରଖାଯାଉଛି । ଏହି ପରିସର ଭିତରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ହଲ୍‍ ନିର୍ମିତ ହୋଇଥିଲେ ମଧ୍ୟ ସେଠାରେ ଏଯାବତ୍‍ ସଂଗ୍ରହାଳୟ ଖୋଲାଯାଇ ପାରିନାହିଁ ।

ସେହିଭଳି ଦୀର୍ଘଦିନର ଦାବି ପରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଭାର୍ଗବୀ ନଦୀ ଉପରେ ସେତୁ ନିର୍ମିତ ହେବାପରେ ତାଙ୍କ ଜନ୍ମପୀଠକୁ ଅଧିକରୁ ଅଧିକ ସଂଖ୍ୟକ ବହିରାଗତ ପରିଦର୍ଶକ ଆସୁଛନ୍ତି । ଗୋପବନ୍ଧୁଙ୍କ ପୈତୃକ ଗୃହର ସୁରକ୍ଷା ସମେତ ତାଙ୍କ ଇଷ୍ଟଦେବତାଙ୍କ ଲାଗି ବି ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହୋଇଛି । ଏହାଛଡା ଉତ୍କଳମଣିଙ୍କ ଏକ ଆକର୍ଷଣୀୟ ପ୍ରତିମୂର୍ତ୍ତି ସମେତ ତାଙ୍କ ଜୀବନକୁ ଆଧାର କରି ଏଠାରେ ଅନେକଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଅଛି ।

ଇତି ମଧ୍ୟରେ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୁଆଣ୍ଡୋ ଆସି ଉତ୍କଳ ମଣିଙ୍କ ଜନ୍ମପୀଠର ବିକାଶ ଲାଗି ଚାଲିଥିବା ବିଭିନ୍ନ ଯୋଜନାର ପ୍ରତ୍ୟକ୍ଷ ସମୀକ୍ଷା କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟ ଯେଭଳି ସୀମିତ ସମୟ ମଧ୍ୟରେ ଶେଷ ହୁଏ ତାହା ଉପରେ ଗୁରୁତ୍ୱଆରୋପ କରିଛନ୍ତି । ଏହାଛଡା ପଞ୍ଚସଖାଙ୍କ କର୍ମପୀଠ ବକୁଳବନରେ ପ୍ରତିଷ୍ଠିତ ହେବାକୁ ଥିବା ଓଡିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱଆରୋପ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ବର୍ଷରେ ପୁରୀଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ସ୍ୱତନ୍ତ୍ର ବୈଠକରେ ଅନ୍ୟାନ୍ୟ ପ୍ରସ୍ତାବ ସହିତ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା । ଇତି ମଧ୍ୟରେ ୫ବର୍ଷ ସମୟ ବିତିବାକୁ ବସିଥିଲେ ବି ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇନାହିଁ । ପୂର୍ବରୁ ଯେଭଳି ଉତ୍କଳ ବିଶ୍ୱବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଦି ଅସ୍ଥାୟୀ ଗୃହରେ ଆରମ୍ଭ ହୋଇ ପରେ ନିଜସ୍ୱ କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିଲା ସେହିଭଳି ଓଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)