ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ନିୟମିତ ନିଯୁକ୍ତି ଓ ପଦୋନ୍ନତି ଦିଆଯାଉନଥିବାରୁ ଏବେ ବିଶ୍ୱ ବିଦ୍ୟାଳୟ ଗୁଡିକ ପାଇଁ ଠିକା ଶିକ୍ଷକ ଭରସା । ଓଡିଶାରେ ଥିବା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଓ ଇଗ୍ନୁରେ ଅବସ୍ଥା ଅତି ସାଙ୍ଘାତିକ ।
ପ୍ରାକ୍ ସ୍ୱାଧୀନତା କାଳରେ ଓଡିଶାରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଥିଲା ଏକମାତ୍ର ବିଶ୍ୱବିଦ୍ୟାଳୟ । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ ସରକାର ପ୍ରତିଷ୍ଠା କରିଥିଲେ ।
ଇତିମଧ୍ୟରେ ରେଭେନ୍ସା, ଗଙ୍ଗାଧର ମେହେର, ଖଲ୍ଲିକୋଟ, ରମାଦେବୀ, ରାଜେନ୍ଦ୍ର ଓ ଭବାନୀପାଟଣାସ୍ଥିତ ସ୍ୱୟଂଶାସିତ କଲେଜ ଗୁଡିକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି । ଏହାଛଡା ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ଓଡିଶା ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ମଧ୍ୟ ଜନ୍ମ ନେଇଛି । ସରକାରୀ ସଂସ୍ଥାନ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିକୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ କରାଯାଇଛି । ଏହାଛଡା ୯୦ ଦଶକର ଶେଷ ଭାଗରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଇଥିବାବେଳେ ଖୁବ୍ଶୀଘ୍ର ଓଡିଆ ବିଶ୍ୱ ବିଦ୍ୟାଳୟ ଓ ମେଡିକାଲ ବିଶ୍ୱ ବିଦ୍ୟାଳୟ କାର୍ଯ୍ୟାରମ୍ଭ କରିବ ବୋଲି କୁହାଯାଉଛି । ଏହି ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡିକ ଛଡା ଓଡିଶାରେ ସୋଆ, କିଟ୍, ସେଞ୍ଚୁରିଆନ୍, ଶ୍ରୀ ଶ୍ରୀ, ଜାଭିୟର, ସିଭି ରମଣ ଆଦି ଘରୋଇ ବିଶ୍ୱବିଦ୍ୟାଳୟମାନେ ମଧ୍ୟ ମୁଣ୍ଡ ଟେକି ଉଠିଛନ୍ତି । ଆଉ କେତେକ ଘରୋଇ ଓ ସରକାରୀ ବିଶ୍ୱ ବିଦ୍ୟାଳୟ ରାଜ୍ୟରେ ପ୍ରତିଷ୍ଠା ହେବାର ରହିଛି ।
ଉଚ୍ଚ ଶିକ୍ଷାର ବିକାଶ କ୍ଷେତ୍ରରେ ବିଶ୍ୱ ବିଦ୍ୟାଳୟ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ଏଠାରେ ଅଧ୍ୟୟନ, ଗବେଷଣା ଆଦି କାର୍ଯ୍ୟରେ ସହକାରୀ ଓ ସହଯୋଗୀ ପ୍ରଫେସର ଏବଂ ପ୍ରଫେସରମାନେ ଦାୟିତ୍ୱ ନିର୍ବାହ କରିଥାନ୍ତି । ତେବେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ବର୍ତ୍ତମାନ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ରହିଛି । ସରକାରଙ୍କ ଖର୍ଚ୍ଚ କାଟ୍ ନୀତି ଯୋଗୁ କିଛିବର୍ଷ ଧରି ବିଶ୍ୱବିଦ୍ୟାଳୟ ଗୁଡିକର ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଥିବାବେଳେ ପରତବର୍ତ୍ତୀ ସମୟରେ ମାଲିମୋକଦ୍ଦମା ଯୋଗୁ ନିଯୁକ୍ତି ପ୍ରକ୍ରିୟା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ।
ପୂର୍ବରୁ ବିଶ୍ୱ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ନିଯୁକ୍ତି ଓ ପଦୋନ୍ନତି ଦାୟିତ୍ୱ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିଲା । ଏବଂ କୂଳାଧିପତିଙ୍କ ଅନୁମୋଦନ କ୍ରମେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପଦବୀରେ ନିଯୁକ୍ତି ଦିଆଯାଉଥିଲା । ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟ ଆଇନରେ ସଂଶୋଧନ ଆଣି ବିଶ୍ୱ ବିଦ୍ୟାଳୟ ଗୁଡିକ ପାଇଁ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ଓଡିଶା ଲୋକସେବା ଆୟୋଗଙ୍କ ଉପରେ ନ୍ୟସ୍ତ କରିବା ପରେ ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ରାଜ୍ୟ ସରାକରଙ୍କ ଏହି ଆଇନ ବିରୁଦ୍ଧରେ ମୋକଦ୍ଦମା ହାଇକୋର୍ଟରୁ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଚାଲିବା ଫଳରେ ନିଯୁକ୍ତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
ଇତିମଧ୍ୟରେ ସୁପ୍ରିମ୍କୋର୍ଟ ଗୁଜୁରାଟର ସର୍ଦ୍ଦାର ପଟେଲ ବିଶ୍ୱ ବିଦ୍ୟାଳୟ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନୀତି ନିୟମ ଓ ମାର୍ଗ ନିର୍ଦ୍ଦେଶିକାକୁ ଉପେକ୍ଷା କରି ବିଶ୍ୱ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି । ଏହାଫଳରେ ଓଡିଶା ଲୋକସେବା ଆୟୋଗଠାରୁ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି କ୍ଷମତା କାଢି ନିଆଯାଇ ପୁଣି ବିଶ୍ୱ ବିଦ୍ୟାଳୟ ହାତରେ ନ୍ୟସ୍ତ କରାଯିବାର ସମ୍ଭାବନା ଉପୁଜିଥିବାବେଳେ ଏଯାବତ୍ ଆଇନର ସଂଶୋଧନ କରାଯାଇନାହିଁ । ଏ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱ ବିଦ୍ୟାଳୟର ପାଠପଢା ପାଇଁ ଠିକା ଅଧ୍ୟାପକମାନେ ଭରସା ।
ବହୁକ୍ଷେତ୍ରରେ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଯୁକ୍ତି ଦେଉଛନ୍ତି ଏବଂ ଅଉ କେତେକ କ୍ଷେତ୍ରରେ ଅବଶ୍ୟ ଯୁବକ, ଯୁବତୀମାନେ ଠିକା ନିଯୁକ୍ତିରେ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ବିଭିନ୍ନ ବିଷୟରେ ନିୟମିତ ନିଯୁକ୍ତି ଦିଆଯାଉନଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଓ ସ୍ୱନାମଧନ୍ୟ ଗବେଷକ ଅନ୍ୟ ରାଜ୍ୟ ଓ ଦେଶରେ ଅଧ୍ୟାପନା ପାଇଁ ସୁଯୋଗ ପାଇ ଚାଲିଯାଉଛନ୍ତି । (ତଥ୍ୟ)