ଭୂବନେଶ୍ବର : ଉତ୍ତମ ଜନସ୍ବାସ୍ଥ୍ୟ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ବରୁପ ସରକାର ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗର ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ କାର୍ଯ୍ୟାଳୟ ଆଦେଶନାମାରୁ ଏହା ଜଣାପଡିଛି ।
ଏ ବିଷୟରେ ସୁଚନା ଦେଇ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଥିଲେ ଯେ ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗ ନିରାକରଣ ନିମନ୍ତେ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ତଦନୁଯାୟୀ ଆଜି ରାଜ୍ୟସ୍ତରୀୟ ସବ-କମିଟି, ଜିଲ୍ଲା କମିଟି ଏବଂ ବ୍ଲକ୍ କମିଟି ଗଠନ ନିମନ୍ତେ ନିର୍ଦେଶ ଦିଆଯାଇଛି । ଏହି ସବୁ କମିଟି ସିକିଲ୍ ସେଲ୍ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରିବେ ।
ରାଜ୍ୟ ସ୍ତରୀୟ ସବ-କମିଟି, ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଏଥିରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ନିର୍ଦେଶକ ସହ-ଅଧ୍ୟକ୍ଷ ଅଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦେଶକ ମାନଙ୍କୁ ଏଥିରେ ସଦସ୍ୟଭାବେ ନିଆଯାଇଛି ।
ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବିଶେଷଞ, ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ସଦସ୍ୟଭାବେ ସାମିଲ କରାଯାଇଛି । ଭେଲୋର ସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ ଏବଂ ଭୁବନେଶ୍ବର ସ୍ଥିତ ଆଂଚଳିକ ଭେଷଜ ଗବେଶଣା କେନ୍ଦ୍ରର ନିର୍ଦେଶକଙ୍କୁ ବୈଷୟିକ ସହଯୋଗୀ ଭାବେ କମିଟିରେ ଗ୍ରହଣ କରାଯାଇଛି । ରକ୍ତ-ନିରାପତ୍ତା ନିର୍ଦେଶକ କମିଟିର ଆବାହକ ସଦସ୍ୟ ଭାବେ କାର୍ଯ୍ୟକରିବେ ।
ସେହିପରି ଜିଲ୍ଲା ସ୍ତରୀୟ କମିଟି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ସଂପୃକ୍ତ ସାଂସଦ କମିଟିର ସ୍ବତନ୍ତ୍ର ଅତିଥି ସଦସ୍ୟ ରହିବେ । ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଦୁଇଟି ଶକ୍ଷାନୁଷ୍ଠାନର ବିଶେଷଞ ପ୍ରତିନିଧି ଏବଂ ସିକିଲ୍ ସେଲ୍ ବିଷୟରେ କାର୍ଯ୍ୟରତ ତିନିଟି ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧି ଜିଲ୍ଲାସ୍ତରୀୟ କମିଟିର ସଦସ୍ୟ ଭାବେ କାର୍ଯ୍ୟକରିବେ ।
ବ୍ଲକସ୍ତରୀୟ କମିଟି ବ୍ଲକ ମେଡିକାଲ ଅଫିସରଙ୍କ ଅଧ୍ୟକ୍ଷତାରେ କାମ କରିବ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସହ-ଅଧ୍ୟକ୍ଷ ରହିବେ । ବ୍ଲକ ଶିକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ସଂପୃକ୍ତ ଅଂଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାମକରୁଥିବା ତିନିଟି ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧିମାନେ ଏବଂ କମିଟିର ସଦସ୍ୟ ରହିବେ ।
ଶ୍ରୀମତୀ ପଣ୍ଡିତ୍ ଆହୁରିମଧ୍ୟ କହିଥିଲେ ଯେ ରକ୍ତ-ନିରାପତ୍ତା ନିର୍ଦେଶକ ସିକିଲ୍ ସେଲ୍ ମିଶନର ନୋଡ଼ାଲ୍ ଅଧିକାରୀଭାବେ କାର୍ଯ୍ୟକରିବେ । ରକ୍ତ-ଶିକୁଳୀ (ସିକିଲ୍ ସେଲ୍) ରୋଗର ଚିହ୍ନଟ, ନିରାକରଣ ନିମନ୍ତେ କାର୍ଯ୍ୟଯୋଜନା ପ୍ରସ୍ତୁତି, ବିଭିନ୍ନ ସୁତ୍ରରୁ ଉପଲବ୍ଧ-ଯୋଗ୍ୟ ଅର୍ଥର ଆହରଣ, ସଂପୃକ୍ତ ସଂସ୍ଥା, ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ରମାନଙ୍କ ସହ ସଂଯୋଗ, ଟେଲି-ପରାମର୍ଶ ବ୍ୟବସ୍ଥା ଆଦି ଦିଗରେ ନୋଡ଼ାଲ ଅଧିକାରୀ କାର୍ଯ୍ୟକରିବେ ।