ଭୁବନେଶ୍ୱର : ଗତ ତିନି ବର୍ଷ ମଧ୍ୟରେ ଓଡିଶାରେ ୧୪.୨୭ କୋଟି ଲିଟର ଇଥାନେଲ ଉତ୍ପାଦନ ହୋଇଥିବାବେଳେ ଅଧିକରୁ ଅଧିକ ଉତ୍ପାଦନ ପାଇଁ ଉଦ୍ୟମ ଜାରି ରହିଛି; ଯାହା କି ଦେଶକୁ ବେଶ୍ ସହାୟକ ହେବ ।
ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ଓଡିଶାରେ ପ୍ରଥମ ପୀଢିର ଇଥାନେଲ ଉତ୍ପାଦନ କରୁଛନ୍ତି । ତେବେ ଦ୍ୱିତୀୟ ପୀଢିର ଇଥାନେଲ କାରଖାନା ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି । ବରଗଡ ଠାରେ ଭାରତ ପେଟ୍ରୋଲିୟମ ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପୀଢିର ଇଥାନେଲ କାରଖାନା ପ୍ରତିଷ୍ଠା କରାଯାଉଛି । ଦ୍ୱିତୀୟ ପୀଢିର ଇଥାନେଲ ଖାଦ୍ୟ ଶସ୍ୟ, ଶସ୍ୟର ଅବଶିଷ୍ଟାଂଶ ଓ ନଡା ଆଦିରୁ ଉତ୍ପାଦିତ ହେଉଥିବାବେଳେ ପ୍ରଥମ ପୀଢିର ଇଥାନେଲ ଆଖୁରସ, ମୋଲାସେସ୍ ଏବଂ ନଷ୍ଟ ହେଉଥିବା ଖାଦ୍ୟ ଶସ୍ୟରୁ ପ୍ରସ୍ତୁତ ହେଉଛି । ତୈଳରେ ୨୦ ପ୍ରତିଶତ ଦ୍ୱିତୀୟ ପୀଢିର ଇଥାନେଲ ବ୍ୟବହାର ପାଇଁ ଲକ୍ଷ୍ୟ ରହିଛି ।
ତଦନୁଯାୟୀ ଭାରତ ସରକାର ପ୍ରଧାନ ମନ୍ତ୍ରୀ ଜି-ଭାନ୍ (ଜୈବ ଇନ୍ଧନ-ବାତାବରଣ ଅନୁକୂଳ ଫସଲ ଅବଶେଷ ନିବାରଣ) ଯୋଜନାରେ ଇଥାନେଲ ଉତ୍ପାଦନ ପାଇଁ ଫସଲର ଅବଶିଷ୍ଟାଂଶ ବ୍ୟବହାର ଲାଗି ଦ୍ୱିତୀୟ ପୀଢିର ଇଥାନେଲ କାରଖାନା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ବାୟୋ ମାସ ଆଧାରିତ ଦ୍ୱିତୀୟ ପୀଢିର କାରଖାନା ପାଇଁ ତୈଳ କମ୍ପାନୀଗୁଡିକ ରାଜ୍ୟ ସରକାର, କୃଷକ ଏବଂ ଅନ୍ୟ ସହଯୋଗୀଙ୍କ ସହିତ ସମନ୍ୱୟ ରକ୍ଷା କରୁଛନ୍ତି ।
ଇତି ମଧ୍ୟରେ ଓଡିଶା ସରକାର ତିନିଟି ଇଥାନଲ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଯେଉଁଥରୁ ଉତ୍ପାଦିତ ଇଥାନେଲ ସାଧାରଣତଃ ଯାନବାହାନ ଇନ୍ଧନରେ ମିଶ୍ରଣ ହେବ । ରାଷ୍ଟ୍ରାୟତ ସଂସ୍ଥା ଆଇଓସିଏଲ ପକ୍ଷରୁ ବାଲେଶ୍ୱରର ବାଲଗୋପାଳପୁର ଶିଳ୍ପାଞ୍ଚଳରେ ଦୈନିକ ୫୦୦ କିଲୋଲିଟର କାରଖାନା ପ୍ରତିଷ୍ଠାର ଯୋଜନା ରହିଛି । ଅନ୍ୟତମ ରାଷ୍ଟ୍ରାୟତ ତୈଳ କମ୍ପାନୀ ଏଚ୍ପିସିଏଲ୍ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଇଥାନେଲ କାରଖାନା ପ୍ରତିଷ୍ଠା କରିବ । ଦୁଇ ପର୍ଯ୍ୟାୟରେ ପ୍ରତିଷ୍ଠା ହେବାକୁ ଥିବା ଏହି କାରଖାନାରୁ ଦୈନିକ ୫୦୦ କିଲୋଲିଟର ଇଥାନେଲ ଉତ୍ପାଦନର ଲକ୍ଷ୍ୟ ରହିଛି ।
ସେହିଭଳି ନିଉଆଲ୍ଟ ଏନର୍ଜି ଅନୁଗୁଳ ଜିଲ୍ଲାରେ ଦୈନିକ ୧୦୦ କିଲୋଲିଟର କ୍ଷମତା ବିଶିଷ୍ଟ ଇଥାନେଲ କାରଖାନା ପ୍ରତିଷ୍ଠା କରିବ । ଏହି ସମସ୍ତ କାରଖାନାରେ ଇଥାନେଲ ଉତ୍ପାଦ ପାଇଁ ନଡା ଓ କୁଟା ଆଦି ବ୍ୟବହାର ହେବାକୁ ଥିବାବେଳେ ଏହି କାରଖାନା କାର୍ଯ୍ୟ କେବେ ସରିବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ ।
୨୦୨୦ ଡିସେମ୍ବର ମାସରେ କେନ୍ଦ୍ର ସରକାର ଖାଦ୍ୟ ଶସ୍ୟରୁ ଇଥାନେଲ ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଥିଲେ । ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଭଣ୍ଡାରରେ ଥିବା ଖାଦ୍ୟ ଶସ୍ୟ ମଧ୍ୟରୁ ୭୮,୦୦୦ ମେଟ୍ରିକ ଟନ୍ ଶସ୍ୟ ଇଥାନେଲ ଉତ୍ପାଦନ ପାଇଁ ଡିଷ୍ଟିଲାରିଗୁଡିକୁ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ । ଚଳିତ ବର୍ଷ ସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଓ ୨୦୨୫ ସୁଦ୍ଧା ୨୦ ପ୍ରତିଶତ ଇଥାନେଲ ମିଶ୍ରଣ ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି । (ତଥ୍ୟ)