ଭୁବନେଶ୍ୱର : ବିଶ୍ୱକପ୍ ହକି ପାଇଁ ରାଜଧାନୀର ରାସ୍ତାଘାଟ ପାଶ୍ୱର୍ରେ ଥିବା ଦୋକାନଗୁଡିକୁ ବିଏମ୍ସି କର୍ତ୍ତୃପକ୍ଷ ହଟାଇବା ପରେ ସେମାନେ ଏବେ ସହରର ଗଳିକନ୍ଦିରେ ଆସ୍ଥାନ ଜମାଇଛନ୍ତି । କିଛି ବ୍ୟବସାୟୀ କନଜନଭେନ୍ସି ଲେନ୍ରେ ପସରା ମେଲାଇଥିବାବେଳେ ସେହିସବୁ ଅଞ୍ଚଳରେ ଜବରଦଖଲ ବଢିବା ଆଶଙ୍କା ଉପୁଜିଲାଣି ।
ବିଶ୍ୱକପ୍ ହକି ଲାଗି କଳିଙ୍ଗଷ୍ଟାଡିୟମ ଆଖପାଖ ସମେତ ସହରର ପ୍ରାୟ ସବୁ ଅଞ୍ଚଳରେ ବିଏମ୍ସି ଉଚ୍ଛେଦ ଚଳାଇଥିଲା । ଏପରିକି କିଛି ନିତିଦିନିଆ ହାଟ ଚାରିପଟେ ବି ଜେସିବି ବୁଲିଥିଲା । ଷ୍ଟାଡିୟମ ଠାରୁ ୧୦/୧୫ କିଲୋମିଟର ଦୂରରେ ଥିବା ଉଠାଦୋକାନ ଓ କ୍ୟାବିନ୍କୁ ହଟାଯାଇଛି ନଚେତ୍ ଭାଙ୍ଗି ଦିଆଯାଇଛି ।
ଭାଙ୍ଗିବା ପୂର୍ବରୁ ବିଏମ୍ସି ବହୁ ଆଗୁଆ ସୂଚନା ଦେଇଥିବାରୁ ଅନେକ ଦୋକାନୀ ସେମାନଙ୍କୁ କ୍ୟାବିନ୍କୁ ନେଇ ସହରର ବିଭିନ୍ନ ଗଳିକନ୍ଦି ଓ କନଜରଭେନ୍ସି ଆଦିରେ ରଖିଛନ୍ତି । ତେବେ ଯେଉଁସବୁ କ୍ୟାବିନ୍ରେ ବିଦ୍ୟୁତ୍ ସଂଯୋଗ ହୋଇଥିଲା ସେଗୁଡିକ ମଧ୍ୟରୁ ଅଧିକାଂଶ ମାଟିରେ ମିଶିଛି । ଏହାର କାରଣ ହେଉଛି ବିଦ୍ୟୁତ୍ ବିଭାଗ ଆସି ଲାଇନ୍ କାଟିବାରେ ବିଳମ୍ବ କରିବାରୁ ବ୍ୟବସାୟୀମାନେ ସେମାନଙ୍କ କ୍ୟାବିନ୍କୁ ହଟାଇ ପାରିନଥିଲେ ।
ପୂର୍ବରୁ ସହରର ଅନେକ ରାସ୍ତାପାଶ୍ୱର୍ ଓ କନଜରଭେନ୍ସି ଆଦି ଜବରଦଖଲ ହୋଇଥିବାବେଳେ ଯେଉଁଠି କିଛି ଖାଲି ସ୍ଥାନ ଥିଲା ଏବେ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନେ ସେଠାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ପେଟ ପାଟଣା ପାଇଁ ସେଠାରେ ନିଜ ନିଜ ବ୍ୟବସାୟ ବି ଆରମ୍ଭ କଲେଣି । ତେଣୁ ଆଗାମୀ ଦିନରେ ଏହି ସ୍ଥାନରେ ଆସ୍ଥାନ ଜମାଇଥିବା ବ୍ୟବସାୟୀ ଓ କ୍ୟାବିନ୍ ମାଲିକ ଆଉ ଉଠିବେ ନାହିଁ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି ।
ତେବେ ରାଜଧାନୀର ଉଠାଦୋକାନୀଙ୍କ ଚାପ ଯୋଗୁଁ ବିଏମ୍ସି ତାହାର ଉଚ୍ଛେଦ ପ୍ରକ୍ରିୟାକୁ ଏବେ ସ୍ଥଗିତ ରଖିଛି । ରାସ୍ତାପାଶ୍ୱର୍ରେ ଯେଉଁଠାରେ କ୍ୟାବିନ୍ ପକାଇ ବ୍ୟବସାୟୀମାନେ କାରବାର କରୁଥିଲେ ସେଠାରେ ଏବେ ରଙ୍ଗ ବେରଙ୍ଗର ଛତାମାରି ବସୁଥିବା ଲକ୍ଷ୍ୟ କରାଯାଉଛି । ଛତା ତଳେ ଫଳ ବ୍ୟବସାୟ ଠାରୁ ଆରମ୍ଭ କରି ଗାଡି ମରାମତି ବି ହେଉଛି । ଏହାରି ଭିତରେ ଉଚ୍ଛେଦ ଦୋକାନୀଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ଘୋଷଣା ହୋଇଥିବାରୁ ସେମାନଙ୍କ ପାଳି କେବେ ପଡିବ ତାହାକୁ ଅନେକ ବ୍ୟବସାୟୀ ଚାହିଁ ବସିଛନ୍ତି ।
ଉଲ୍ଲେଖନୀୟ ଯେ ବିଏମ୍ସି, ବିଡିଏ ଠାରୁ ଆରମ୍ଭ କରି ସାଧାରଣ ପ୍ରଶାସନ ବିଭାଗର ସ୍କ୍ୱାଡ୍ ବିଭିନ୍ନ ସମୟରେ ସହରର ପ୍ରମୁଖ ରାସ୍ତାକଡରେ ଜେସିବି ଲଗାଇ ଉଚ୍ଛେଦ ଚଳାଉଥିବାରୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭକରି ବସ୍ତିବାସିନ୍ଦାମାନେ ଏବେ ରାଜଧାନୀର ଗଳିକନ୍ଦିରେ ଥିବା ସରକାରୀ ଜମି ଓ କନଜରଭେନ୍ସିକୁ ଜବରଦଖଲ କରିବାରେ ଲାଗିଛନ୍ତି । ସହରରେ ମଶାବଂଶ ବୃଦ୍ଧିର ଅନ୍ୟତମ କାରଣ କନଜରଭେନ୍ସି ଅବରୋଧ ବୋଲି ଜାଣିବାପରେ ବିଏମ୍ସି ବାରମ୍ବାର ଏଠାରୁ ଜବରଦଖଲ ହଟାଇବ ବୋଲି ଘୋଷଣା କରୁଥିଲେ ମଧ୍ୟ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଯିଏ ଯେଉଁଠୁ ଉଚ୍ଛେଦ ହେଉଛି ସିଏ କନଜନଭେନ୍ସି ଅଞ୍ଚଳକୁ ପଳାଇ ଆସୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)