Home Judiciary ବିଚାର ପ୍ରତୀକ୍ଷାରେ ୧୨ଲକ୍ଷ ଅପରାଧିକ ମାମଲା

ବିଚାର ପ୍ରତୀକ୍ଷାରେ ୧୨ଲକ୍ଷ ଅପରାଧିକ ମାମଲା

ଭୁବନେଶ୍ୱର : ଓଡିଶାରେ ଏବେ ୧୨ଲକ୍ଷରୁ ଅଧିକ ଅପରାଧିକ ମାମଲା ବିଭିନ୍ନ ଅଦାଲତରେ ବିଚାରା ପ୍ରତୀକ୍ଷାରେ ରହିଛି । ବର୍ଷକୁ ବର୍ଷ ମାମଲା ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ସେହି ତୁଳନାରେ ମାମଲା ଫଏସଲା ହୋଇପାରୁନଥିବାରୁ ଅପରାଧିକ ମାମଲା ସଂଖ୍ୟା ବଢି ବଢି ଚାଲିବା ରାଜ୍ୟ ପ୍ରଶାସନ ଏବଂ ବିଶେଷକରି ଆଇନ୍‍ ଅଦାଲତ, ପୁଲିସ୍‍ ଓ ଜେଲ୍‍ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଅପରାଧିକ ମାମଲା ସଂଖ୍ୟା ବଢି ବଢି ଚାଲୁଛି । ଏବେ ଦେଶରେ ପାଖାପାଖି ୫କୋଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପ୍ରାୟ ସାଢେ ୩କୋଟି ହେଉଛି ଅପରାଧିକ ମାମଲା । ଅପରାଧିକ ମାମଲା ଗୁଡିକର ଚାପା ବଢିବା ସହିତ ଜେଲ୍‍ରେ ବିଚାରାଧିନ କଏଦୀମାନଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି । ଏମିତିକି ଛୋଟ ଛୋଟ ଅପରାଧରେ ଜେଲ୍‍ ଯାଉଥିବା ବହୁ ବିଚାରାଧିନ କଏଦୀ ବର୍ଷ ବର୍ଷ ଧରି ଜାମିନ ନପାଇ ଜେଲ୍‍ରେ ଶଢୁଥିବା ପ୍ରସଙ୍ଗରେ ନିକଟ ଅତୀତରେ ଦେଶର ରାଷ୍ଟ୍ରପତି ଉଦବେଗପ୍ରକାଶ କରିବା ସଂଗେ ସଂଗେ ଏମାନଙ୍କ କାରାମୁକ୍ତି ଉପରେ ଗୁରୁତ୍ୱଆରୋପ କରୁଛନ୍ତି । ଏହି କାରଣରୁ ସଂଖ୍ୟାଧିକ ଜେଲ୍‍ରେ ଆବଶ୍ୟକତା ଠାରୁ ଅଧିକ କଏଦୀ ରହୁଥିବା ପରିପ୍ରେକ୍ଷୀରେ ଜେଲ ଗୁଡିକରେ ନୂତନ ୱାର୍ଡ ପ୍ରତିଷ୍ଠା ସହିତ ନୂଆ ନୂଆ ଜେଲ ନିର୍ମାଣ ପାଇଁ ବି ଉଦ୍ୟମ ହେଉଛି ।

କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ସଂସ୍ଥାର ସର୍ବଶେଷ ରିପୋର୍ଟ ଅନୁଯାୟୀ ସାରା ଦେଶରେ ମହିଳମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧ ସଂକ୍ରାନ୍ତୀୟ ମାମଲା ସଂଖ୍ୟା ୨୦ଲକ୍ଷରୁ ଅଧିକ ରହିଛି । ଏଥିରୁ ଓଡିଶାରେ ବାକି ପଡିଥିବା ମାମଲା ସଂଖ୍ୟା ୧.୫୮ଲକ୍ଷରୁ ଅଧିକ । ଦଳ ମତ ନିର୍ବିଶେଷରେ ରାଜନେତାମାନେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ଘେନି ବାରମ୍ବାର ଉଦ୍‍ବେଗପ୍ରକାଶ କରି ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ । ତେବେ ଏଭଳି ସମ୍ବେଦନଶୀଳ ମାମଲାଗୁଡିକରୁ ବାର୍ଷିକ ମାତ୍ର ୫ ପ୍ରତିଶତ ଫଏସଲା ହେଉଥିବାବେଳେ ୯୫ ପ୍ରତିଶତ ମାମଲା ପରବର୍ଷକୁ ବାକିଆ ହୋଇ ଗଡୁଛି ।

ଓଡିଶାରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ଫଏସଲା ହାର ଜାତୀୟ ହାର ଠାରୁ ଢେର କମ୍‍ । ରାଜ୍ୟରେ ଏ ସଂକ୍ରାନ୍ତୀୟ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୮.୩ ପ୍ରତିଶତ ଥିବାବେଳେ ଫଏସଲା ହେଉଥିବା ମାମଲା ହାର ମାତ୍ର ୧.୪ ପ୍ରତିଶତରେ ସୀମିତ ଥିବା ଏନ୍‍ସିଆରବି ରିପୋର୍ଟର ତଥ୍ୟ କହୁଛି ।

ଦଣ୍ଡବିଧାନ କ୍ଷେତ୍ରରେ ଜାତୀୟ ହାର ଠାରୁ ଆନ୍ଧ୍ର, ଆସାମ, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ହାର ଢେର କମ୍‍ । ଏମିତିକି ଗଣଧର୍ଷଣ ସହ ହତ୍ୟା ଭଳି ସମ୍ବେଦନଶୀଳ ମାମଲାରେ ଆମ ଦେଶରେ ପ୍ରାୟ ୪୦୦ ମାମଲା ବିଚାରାଧିନ ଥିବାବେଳେ ସେଥି ମଧ୍ୟରୁ ମାତ୍ର ୪୬ଜଣ ଅପରାଧିଙ୍କୁ ଦଣ୍ଡବିଧାନ କରାଯାଇ ପାରିଛି । ଯୌତୁକ ହତ୍ୟା, ଏସିଡ ଆକ୍ରମଣ, ଯୌତୁକ ନିର୍ଯ୍ୟତନା, ଅପହରଣ, ମହିଳାଙ୍କ ପ୍ରତି ଅସଦାଚରଣ, ଝିଅମାନଙ୍କୁ ବିକା କିଣା କରିବା ସହିତ ମାନବ ଚାଲାଣ, ଦୁଷ୍କର୍ମ, ଦୁଷ୍ମର୍ମ ଉଦ୍ୟମ ଆଦି ଅଭିଯୋଗରେ ପଡି ରହିଥିବା ମାମଲାଗୁଡିକ ମଧ୍ୟରୁ ଅଧିକାଂଶ ବର୍ଷ ବର୍ଷ ଧରି ଗଡୁଛି ।

ଦଶ ପନ୍ଦର ବର୍ଷ ପରେ ତଳ କୋର୍ଟରେ ଯେଉଁ ମାମଲାରେ ଦଣ୍ଡବିଧାନ ହେଉଛି ସେଥିରେ ଅଭିଯୁକ୍ତିମାନେ ଉପର କୋର୍ଟକୁ ଅପିଲରେ ଯାଇ ମାମଲା ଗଡାଇ ଚାଲିବା ସହ ଜାମିନରେ ରହୁଥିବାରୁ ପୀଡିତାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରୁନାହିଁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା । ଏଥିପାଇଁ ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରାଯାଇଥିଲେ ବି ଏଭଳି ମାମଲାରେ ସାରା ଦେଶରେ ଦଣ୍ଡବିଧାନ ହାର ୩୪ ପ୍ରତିଶତରୁ କମ୍‍ ରହୁଥିବାବେଳେ ବର୍ଷରେ ଫଏସଲା ହେଉଛି ମାତ୍ର ୬ ପ୍ରତିଶତ । (ତଥ୍ୟ)