ଭୁବନେଶ୍ୱର : ଓଡିଶା ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ଜାପାନୀ ଋଣ ଆଣିବାକୁ ଆଗ୍ରହୀ ଥିବାବେଳେ ଜାପାନ ସରକାର ମଧ୍ୟ ରାଜ୍ୟର ବିକାଶ ଲାଗି ଏଥିପାଇଁ ଆଗ୍ରହୀ । ଜାପାନର ଏଭଳି ସହାୟତା ପାଇଁ ଭାରତ ସରକାର ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।
ତଦନୁଯାୟୀ ରାଜ୍ୟ ସରକାର ସମସ୍ତ ବିଭାଗକୁ ଜାପାନ ସରକାରଙ୍କ ଠାରୁ ଜାପାନ ଆର୍ନ୍ତଜାତିକ ସହଯୋଗ ସଂସ୍ଥା (ଜାଇକା) ର ସରକାରୀ ବିକାଶ ସହାୟତା (ଓଡିଏ) ଋଣ ପାଇଁ ପ୍ରସ୍ତାବ ଦେବାକୁ କହିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗର ଅନୁରୋଧ ଅନୁଯାୟୀ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସମସ୍ତ ବିଭାଗର ସଚିବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।
ଅର୍ଥ ବିଭାଗ ଲେଖିଥିବା ପତ୍ରରେ ଜାଇକା-ଓଡିଏ ଋଣ ପାଇବାପାଇଁ ରାଜ୍ୟ ସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି ନିକଟରେ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି । ଆଗ୍ରହୀ ବିଭାଗଗୁଡିକୁ ସେମାନଙ୍କ ପ୍ରସ୍ତାବ ଇ-ପିପିଆର (http://eapdea.gov.in/ppr) ପୋର୍ଟାଲରେ ଦାଖଲ କରିବାକୁ କୁହାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍ ଲେଖିଥିବା ପତ୍ରର ଉଲ୍ଲେଖ କରିଛନ୍ତି ଯେ ୨୦୨୨ ମାର୍ଚ୍ଚ ୧୦ରେ ଅନୁଷ୍ଠିତ ଶେଷ ଭାରତ-ଜାପନ ଶିଖର ସମ୍ମିଳନୀରେ ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ଆସନ୍ତା ୫ବର୍ଷରେ ଭାରତରେ ଜାପାନର ୫ଟ୍ରିଲିୟନ ଜେପିୱାଇ ଘରୋଇ ଓ ସରକାରୀ ନିବେଶ ହେବାନେଇ ମତ ଦେଇଥିଲେ ।
ଧାର୍ଯ୍ୟ ଲକ୍ଷ୍ୟର ଅତି କମ୍ରେ ୫୦ ପ୍ରତିଶତ ଓଡିଏ ଭାବେ ପରବର୍ତ୍ତୀ ପାଞ୍ଚ ବର୍ଷରେ ଆସିବା ନେଇ ଆଶା କରାଯ।।ଉଛି । ତେଣୁ ସରକାରୀ ନିବେଶ ସହିତ ଜାପାନରୁ ପୁଞ୍ଜି ଆସିବା କ୍ଷେତ୍ରରେ ଜାଇକାର ପ୍ରମୁଖ ଭୂମିକା ରହିଛି । ଦୁଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ ଲାଗି ଜାଇକା ସହ ସହଭାଗିତା ପାଇଁ ପ୍ରଭାବଶାଳୀ ତଥା ଅଭିନବ ପ୍ରକଳ୍ପ ଆଣିବା ଆମର ବଡ ଦାୟିତ୍ୱ ବୋଲି ସଚିବ କହିଛନ୍ତି ।
ରାଜ୍ୟ ଠାରୁ ଏଭଳି ପ୍ରସ୍ତାବ ମାଗି ସେ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ପ୍ରକଳ୍ପଗୁଡିକ ଜାଇକା ଅଧିନରେ ରହିଛି କିନ୍ତୁ ଏଥିରେ ଅଗ୍ରଗତି ପରିଲକ୍ଷିତ କରିନାହାନ୍ତି ତାହାର ଡିପିଆର ପ୍ରସ୍ତୁତି, ବୈଧାନିକ ଅନୁମୋଦନ, ଜମି ଅଧିଗ୍ରହଣ ଆଦିର ସମୀକ୍ଷା କରାଯାଇପାରେ । ଯାହାଦ୍ୱାରା ଜାଇକା/ଜାପାନ ସରକାରଙ୍କ ସହ ପ୍ରକଳ୍ପ ପ୍ରସ୍ତାବ ଗ୍ରହଣ କରିବାପାଇଁ ଏକ ପ୍ରଭାବଶାଳୀ ଉପାୟ ଅବଲମ୍ବନ କରାଯାଇପାରିବ । (ତଥ୍ୟ)