ଭୁବନେଶ୍ୱର : ବାତ୍ୟା ସହନଶୀଳ ବିଦ୍ୟୁତ ଭିତ୍ତିଭୂମି ପ୍ରତିଷ୍ଠା ଲାଗି ଓଡିଶା ସରକାର କେନ୍ଦ୍ରକୁ ୨୫,୦୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଛନ୍ତି । ଏହି ଅର୍ଥରେ ବେଳାଭୂମି ଠାରୁ ୩୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଭୂତଳ କେବୁଲ ବିଛାଯାଇ ପାରିବ ।
ଦେଶର ଉପକୂଳଗୁଡିକରେ ବାତ୍ୟା ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ୨୦୨୧ ମସିହାରେ ସିଇଏ ଟାସ୍କଫୋର୍ସ ତାଙ୍କର ରିପୋର୍ଟରେ ଦର୍ଶାଇଥିଲେ ଯେ ଏହି ଅଞ୍ଚଳରେ ବିଦ୍ୟୁତ୍ ବଣ୍ଟନ ଓ ପରିବହନ ବ୍ୟବସ୍ଥାକୁ ବାତ୍ୟା ସହନଶୀଳ କରାଯିବା ଆବଶ୍ୟକ । ଏଥିରେ ଦର୍ଶାଯାଇଥିଲା ଯେ ରାଜ୍ୟର ଉପକୂଳରେ ବର୍ଷକୁ ବର୍ଷ ବଡ ବାତ୍ୟା ଆସିବାରେ ଲାଗିଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ କେବଳ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁନାହିଁ, ଅନ୍ୟ ଭିତ୍ତିଭୂମି ସହିତ ବିଦ୍ୟୁତ୍ ଭିତ୍ତିଭୂମିର ଗୁରୁତର କ୍ଷତି ଘଟାଉଛି । ଯେଉଁଥିପାଇଁ ବିଜୁଳି ଅଭାବରୁ ଲୋକେ ଦିନ ଦିନ ଧରି ସମସ୍ୟା ଭୋଗୁଛନ୍ତି ।
ସମସ୍ତ ପ୍ରକାର ପ୍ରତିଷେଧ ବ୍ୟବସ୍ଥା ସତ୍ୱେ, ବିଦ୍ୟୁତ୍ ତାର ଛିଣ୍ଡି ହେବାକୁ ଥିବା ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରାଯାଇ ପାରିନାହିଁ । ଅମ୍ଫାନ ବାତ୍ୟା ସମୟରେ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିବାବେଳେ ଏହା ପରେ ପରେ ବାତ୍ୟା ୟାସ ଆସିଥିଲା । ସେତେବେଳେ ବାତ୍ୟା ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ଲାଗି ଓଡିଶା ସରକାର ଅନୁରୋଧ କରିଥିଲେ । ତେଣୁ ବାତ୍ୟା ପ୍ରବଣ ଫ୍ଲୋରିଡା ଏବଂ ଜାପାନରେ ଯେଭଳି ବାତ୍ୟା ସହନଶୀଳ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି ଅନୁରୂପ ଭାବେ କେନ୍ଦ୍ର ସରକାର ଓଡିଶା ଉପକୂଳରେ ବାତ୍ୟା ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ବିଚାର କରିବାକଥା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ରାଜ୍ୟର ଘରୋଇ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଶକ୍ତି ସଂସ୍କାର ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ ଯେଭଳି ଲାଭ ପାଇବେ ସେମାନଙ୍କୁ ସେଥିଲାଗି ଅନୁମତି ଦେବାକୁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଫେବୃୟାରୀ ଏକ ତାରିଖରେ ସଂସଦରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟ୍ରେ ଏହି ବ୍ୟବସ୍ଥା ଅର୍ନ୍ତଭୁକ୍ତ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ କୁହାଯାଇଛି ।
ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ଓଡିଶା ୧୯୯୫ ମସିହାରୁ ବିଦ୍ୟୁତ୍ ସଂସ୍କାର ବ୍ୟବସ୍ଥାକୁ ଆପଣେଇଥିବାବେଳେ ସରକାରୀ ଘରୋଇ ସହଭାଗିତା (ପିପିପି) ଜରିଆରେ ବିଦ୍ୟୁତ୍ ବଣ୍ଟନ କରାଯାଉଛି । ପିପିପି ରେ ରାଜ୍ୟ ସରକାରଙ୍କର ୪୯ ପ୍ରତିଶତ ଅଂଶଧନ ରହିଛି । କେନ୍ଦ୍ର ସରକାରଙ୍କର ଯେକୌଣସି ସଂସ୍କାରମୂଳକ ଯୋଜନାରେ ଘରୋଇ ବିତରଣ କମ୍ପାନୀକୁ ସହାୟତା ଦେବାର ବ୍ୟବସ୍ଥା ରହିବା ଉଚିତ୍ ।
ଅତୀତରେ ଓଡିଶାର ବିତରଣ କମ୍ପାନୀଗୁଡିକ ଘରୋଇ ମାଲିକାରେ ଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ଉଦୟ, ଏପିଡିଆରପି/ଆରଏଡିଆରପି ଆଦି ଯୋଜନାରୁ ଲାଭ ପାଇପାରୁ ନଥିଲେ । ଯେକୌଣସି ସଂସ୍କାର ଭିତ୍ତିକ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ହେଲେ ମାଲିକାନା ରାଜ୍ୟ ସରକାରଙ୍କ ନିକଟରେ ଥିଲେ ବିଦ୍ୟୁତ୍ ଦର କମ୍ ରହିବା ସହିତ ଏହାର ଲାଭ ଗ୍ରାହକମାନେ ପାଇଥାନ୍ତି । ଓଡିଶାକୁ ଏହି ଯୋଜନାରେ ସାମିଲ କରାଗେଲେ ଦର ନିର୍ଦ୍ଧାରଣ ବ୍ୟବସ୍ଥା ଜରିଆରେ ଏହାର ଲାଭ ଖାଉଟିଙ୍କ ପାଇବେ ବୋଲି କୁହାଯାଇଛି । (ତଥ୍ୟ)