Home Administration ନୂଆ ଜିଲ୍ଲା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆ ଜିଲ୍ଲା ପାଇଁ ପ୍ରକ୍ରିୟା ଆରମ୍ଭ


ଭୁବନେଶ୍ୱର : ପୁଣି ଥରେ ନୂତନ ଜିଲ୍ଲା ଗଠନ ଲାଗି ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କେଉଁ ଅଞ୍ଚଳକୁ ନେଇ କେତୋଟି ନୂଆ ଜିଲ୍ଲା ସୃଷ୍ଟି କରାଯିବ ସେଥିଘେନି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଛଅଟି ଜିଲ୍ଲାକୁ ନେଇ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିଲା । ଗଡଜାତ ମିଶ୍ରଣ ପର ଓଡିଶାରେ ଜିଲ୍ଲା ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା । ଜିଲ୍ଲା ପୁର୍ନଗଠନ ଲାଗି ବିଭିନ୍ନ ମହଲରୁ ଦାବି ପରେ ଜଷ୍ଟିସ ରାଜକିଶୋର ଦାସ କମିଶନ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ପ୍ରାୟ ୨୦ବର୍ଷ ଧରି ଏହା ଅମଲାତନ୍ତ୍ରର ଶୀତଳଭଣ୍ଡାରରେ ପଡି ରହିଥିଲା । ଏହି କମିଶନ ଜିଲ୍ଲା ସଂଖ୍ୟା ଅନ୍ୟୁନ ୧୭କୁ ବୃଦ୍ଧି କରିବାପାଇଁ ସୁପାରିଶ୍‍ କରିଥିଲେ । ତେବେ ନବେ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଉଦ୍ୟମ କ୍ରମେ ଓଡିଶାରେ ଜିଲ୍ଲା ୩୦କୁ ବୃଦ୍ଧି ପାଇଥିଲା ।

ସେତେବେଳେ ଆଉ କେତେକ ଅଞ୍ଚଳକୁ ନେଇ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜୁ ବାବୁ ଆଶ୍ୱାସନା ଦେଇଥିଲେ । ବିଶେଷକରି ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ଭଳି ବଡ ଜିଲ୍ଲାଗୁଡିକୁ ଜିଲ୍ଲା ପୁର୍ନଗଠନ ସମୟରେ ସ୍ପର୍ଶ କରାଯାଇନଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏହି ବଡ ଜିଲ୍ଲାଗୁଡିକୁ ଭାଙ୍ଗି ଛୋଟ ଛୋଟ ଜିଲ୍ଲାରେ ପରିଣତ କରିବାଲାଗି ବିଭିନ୍ନ ମହଲରୁ ଦାବି ଉଠିଥିଲା । ଏହାଛଡା ପଦ୍ମପୁର ସମେତ ରାଜ୍ୟର ଆଉ କେତେକ ଅଞ୍ଚଳରେ ମଧ୍ୟ ନୂଆ ଜିଲ୍ଲା ଗଠନ ପାଇଁ ସେତେବେଳେ ସରକାରୀ ଓ ବେସରକାରୀ ସ୍ତରରେ ଆଲୋଚନା ହୋଇଥିଲା ।

ନିକଟରେ ପଦ୍ମପୁର ଉପନିର୍ବାଚନ ସମୟରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାପାଇଁ ଜୋରଦାର ଦାବି ଉଠିଥିଲା ଏବଂ ସେ ଅଞ୍ଚଳର ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ ଭେଟିଥିଲେ ଏବଂ ୨୦୨୩ ଡିସେମ୍ବର ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାପାଇଁ ବିଜେଡି ତାହାର ପ୍ରତିବଦ୍ଧତା ଘୋଷଣା କରିଥିଲା । ଏହାପରେ ରାଜ୍ୟର ଆଉ କେତେକ ଅଞ୍ଚଳରେ ନୂଆ ଜିଲ୍ଲା ପାଇଁ ଦାବି ଉଠିଛି ।

ପଦ୍ମପୁର ଉପନିର୍ବାଚନ ପରେ ସେଠାକାର ଦାୟିତ୍ୱ ନେଇଥିବା ନେତାମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବିସ୍ତୃତ ଆଲୋଚନା ପରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ ଏବଂ ଖୁବ୍‍ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯିବେ ବୋଲି ସୂଚନା ଦିଆଯାଇଥିଲା ।

ଇତି ମଧ୍ୟରେ ପ୍ରଶାସନିକ ସ୍ତରରେ ନୂତନ ଜିଲ୍ଲା ଗଠନ ପ୍ରସଙ୍ଗରେ ପ୍ରାଥମିକ ସମୀକ୍ଷା ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ଏହା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ସରକାରୀ ସ୍ତରରେ ଗ୍ରହଣ କରାଯିବା ପୂର୍ବରୁ କୌଣସି ଘୋଷଣା କରାଯାଉ ନାହିଁ ।

୨୦୨୪ରେ ଲୋକସଭା ସହ ଓଡିଶା ବିଧାନସଭା ଲାଗି ନିର୍ବାଚନ ହେବାକଥା । ତେବେ ଦେଶର ରାଜନୈତିକ ପାଣିପାଗ ଏବେ ଯେପରି ଅଛି ୨୦୨୩ ମସିହାରେ ଅନ୍ୟ ୯ଟି ରାଜ୍ୟ ସହିତ ଓଡିଶା ବିଧାନସଭା ଏବଂ ଲୋକସଭା ଲାଗି ନିର୍ବାଚନ ହେବାର ସମ୍ଭାବନାକୁ ଏଡାଇ ଦେଇହେବନାହିଁ । ଇତି ମଧ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ ଭଳି ତିନିଟି ପ୍ରମୁଖ ରାଜନୈତିକଦଳ ପକ୍ଷରୁ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି ଏବଂ ଯେକୌଣସି ସମୟରେ ନିର୍ବାଚନ ଲାଗି ବିଜେଡି ପ୍ରସ୍ତୁତ ବୋଲି ମଧ୍ୟ ଗଣମାଧ୍ୟମରେ ବକ୍ତବ୍ୟ ପ୍ରକାଶ ପାଇଛି । ଏ ଦୃଷ୍ଟିରୁ ନୂତନ ଜିଲ୍ଲା ଗଠନ ପାଇଁ ପ୍ରସ୍ତୁତି ପର୍ବ ପରେ ଯେକୌଣସି ସମୟରେ ଘୋଷଣା ହୋଇପାରେ । (ତଥ୍ୟ)