Home Mining ଖଣି ରାଜସ୍ୱ ଉତ୍ସାହଜନକ ନୁହେଁ

ଖଣି ରାଜସ୍ୱ ଉତ୍ସାହଜନକ ନୁହେଁ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟରୁ ଖଣି ରାଜସ୍ୱ ଆଦାୟ ସେତେଟା ଉତ୍ସାହଜନକ ହେଉନାହିଁ । ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୫୮ ପ୍ରତିଶତ ଖଣିଜ ଟିକସ ଆଦାୟ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ଏହା ପ୍ରାୟ ୧୧ ପ୍ରତିଶତ କମ୍‍ ରହିଛି ।

ଖଣିଜ କ୍ଷେତ୍ରରୁ ବିପୁଳ ରାଜସ୍ୱ ଆଦାୟକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରେ ଏହି ସ୍ରୋତରୁ ରାଜକୋଷକୁ ୪୩,୪୪୪ କୋଟି ଟଙ୍କା ଆସିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ ଆଠ ମାସ ମଧ୍ୟରେ ଆଦାୟ ହୋଇଛି ୨୫,୧୫୨.୮୦ କୋଟି ଟଙ୍କା ଯାହା ଧାର୍ଯ୍ୟ ଲକ୍ଷ୍ୟର ୫୭.୯୦ ପ୍ରତିଶତ । ୨୦୨୧-୨୨ ବର୍ଷରେ ଖଣିଜ ରାଜସ୍ୱ ବାବଦରେ ରାଜକୋଷକୁ ୪୮,୬୪୨ କୋଟି ଟଙ୍କା ଆସିଥିବାବେଳେ ଗତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ୨୮,୧୯୬.୧୪ କୋଟି ଟଙ୍କା ଆଦାୟ ହୋଇଥିଲା । ତେବେ ଚଳିତବର୍ଷ ନଭେମ୍ବର ମାସରେ ୨୪୮୨ କୋଟି ଟଙ୍କାର ରାଜସ୍ୱ ଖଣିଜ କ୍ଷେତ୍ରରୁ ଆଦାୟ ହୋଇଛି ।

ସେହିଭଳି ରାଜ୍ୟରେ ଷ୍ଟାମ୍ପ ଓ ପଞ୍ଜିକରଣ ଟିକସ ଆଦାୟ ମଧ୍ୟ ଗତବର୍ଷ ତୁଳନାରେ କମ୍‍ ରହିଛି । ଚଳିତ ଆର୍ଥିକ ବର୍ଷରେ ଏ ବାବଦରୁ ରାଜକୋଷକୁ ୨୦୧୦ କୋଟି ଟଙ୍କା ଆସିବାର ଆକଳନ ହୋଇଥିବାବେଳେ ନଭେମ୍ବର ଶେଷ ସୁଦ୍ଧା ୧୨୬୬.୮୪ କୋଟି ଟଙ୍କା ଆଦାୟ ହୋଇଛି । ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୬୩ ପ୍ରତିଶତ । ଅନୁରୂପ ଭାବେ ଜଙ୍ଗଲ କ୍ଷେତ୍ରରୁ ମିଳିଥିବା ଟିକସ ମଧ୍ୟ ସେତେଟା ଉତ୍ସାହଜନକ ନୁହେଁ । ଏହି କ୍ଷେତ୍ରରୁ ନଭେମ୍ବର ଶେଷ ସୁଦ୍ଧା ୮.୫୭ କୋଟି ଟଙ୍କାର ଟିକସ ଆଦାୟ ହୋଇଛି ଯାହାକି ଗତବର୍ଷର ଏହି ସମୟ ତୁଳନାରେ ପ୍ରାୟ ୪୦ ପ୍ରତିଶତ କମ୍‍ ରହିଛି ।

ସେହିଭଳି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ମୋଟ୍‍ ୬୯,୭୬୬.୫୨ କୋଟି ଟଙ୍କା ମିଳିବ ବୋଲି ଆକଳନ ହୋଇଛି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୦ହଜାର କୋଟି ଟଙ୍କାରୁ ଅଧିକ ରହିଛି । ତେବେ ନଭେମ୍ବର ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪୭.୩୧ ପ୍ରତିଶତ ଅର୍ଥ କେନ୍ଦ୍ରରୁ ମିଳିଛି । ନଭେମ୍ବର ମାସରେ କେନ୍ଦ୍ରରୁ ୬୩୦୯. ୧୫ କୋଟି ଟଙ୍କା ମିଳିଛି ।

ନିଜସ୍ୱ ଟିକସ ଆକାରରେ ଚଳିତ ଆର୍ଥିକ ବର୍ଷରେ ୪୬ହଜାର କୋଟି ଟଙ୍କା ରାଜକୋଷକୁ ଆସିବାର ଧାର୍ଯ୍ୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଆସିଛି ୨୨,୨୧୬.୯୮ କୋଟି ଟଙ୍କା । ଏହା ହେଉଛି ଧାର୍ଯ୍ୟ ଲକ୍ଷ୍ୟର ୬୧.୩୪ ପ୍ରତିଶତ । ଅବଶ୍ୟ ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ନିଜସ୍ୱ ଟିକସ ଆଦାୟ ପରିମାଣ ୧୨.୨୧ ପ୍ରତିଶତ ଅଧିକ ରହିଛି ।

ତେବେ ରାଜ୍ୟରେ ଅଣଟିକସ ଆଦାୟ ଗତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ସାମାନ୍ୟ କମ୍‍ ରହିଛି । ଚଳିତ ଆର୍ଥିକ ବର୍ଷରେ ୪୮,୨୦୦ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ନଭେମ୍ବର ଶେଷ ସୁଦ୍ଧା ୨୮,୨୦୪ କୋଟି ଟଙ୍କା ଆଦାୟ ହୋଇଛି । ଯାହା କି ଧାର୍ଯ୍ୟ ଲକ୍ଷ୍ୟର ୫୮.୫୧ ପ୍ରତିଶତ । ତେବେ ଏହା ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ୭.୬୧ ପ୍ରତିଶତ କମ୍‍ ରହିଛି । କିନ୍ତୁ ମୋଟ ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ ଆଦାୟ ପରିମାଣ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୬୦ ପ୍ରତିଶତ ହୋଇଥିବାବେଳେ ଗତ ବର୍ଷର ଏହି ସମୟ ତୁଳନାରେ ୧.୩୪ ପ୍ରତିଶତ ଅଧିକ ରହିଛି ।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରରୁ ୩୨,୭୮୮.୬୪ କୋଟି ଟଙ୍କାର ଅନୁଦାନ ପାଇବାର ଲକ୍ଷ୍ୟ ଥିବାବେଳେ ନଭେମ୍ବର ଶେଷସୁଦ୍ଧା ମିଳିଛି ମାତ୍ର ୮୦୫୩.୧୭ କୋଟି ଟଙ୍କା । ଯାହା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୪.୫୬ ପ୍ରତିଶତ । ମିଳିଥିବା ଅନୁଦାନ ଗତବର୍ଷର ଏହି ସମୟ ତୁଳନାରେ ୨୫ ପ୍ରତିଶତ କମ୍‍ ରହିଛି । (ତଥ୍ୟ)