Home Health ତମାଖୁ ବିଜ୍ଞାପନ ଉପରେ କଟକଣା ଜରୁରୀ

ତମାଖୁ ବିଜ୍ଞାପନ ଉପରେ କଟକଣା ଜରୁରୀ

ଭୁବନେଶ୍ୱର : ତମାଖୁ ବିଜ୍ଞାପନ ବିଶେଷକରି ଓଟିଟି ପ୍ଲାଟଫର୍ମରେ ସିଗାରେଟ ଓ ତମାଖୁର ଯେଭଳି ଖୋଲାଖୋଲି ବିଜ୍ଞାପନ ହେଉଛି ତାହା ଉପରେ କଟକଣା ଜରୁରୀ ବୋଲି ଆଜି ରାଜ୍ୟସଭାରେ ଦୃଢ ଭାବେ କହିଛନ୍ତି ବିଜେଡି ସାଂସଦ ସୁଜିତ କୁମାର ।

ଶ୍ରୀ ସୁଜିତ କୁମାର ଆଜି ରାଜ୍ୟସଭାରେ କହିଛନ୍ତି ଯେ ସିଗାରେଟ ଓ ତମାଖୁ ସେବନ ଦ୍ୱାରା ଗୁରୁତର ରୋଗବ୍ୟାଧି ଦେଖା ଦେଉଛି । ବିଶେଷକରି ୪୦ ପ୍ରତିଶତ ଅଣ ସଂକ୍ରାମକ ରୋଗ (ଏନସିଡି) ଏଥିଯୋଗୁଁ ହେଉଛି । ଗ୍ଲୋବାଲ ୟୁଥ୍‍ ଟବାକୋ ସର୍ଭେ ନାମକ ଏକ ସଂସ୍ଥା କରିଥିବା ସର୍ବେକ୍ଷଣରୁ ଜଣାଯାଇଛି ଯେ ସିଗାରେଟ ଓ ତମାଖୁ ସେବନ ଦ୍ୱାରା ଦେଶରେ ବର୍ଷକୁ ୧୪ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ।

ସାଂସଦ ଶ୍ରୀ ସୁଜିତ କୁମାର କହିଛନ୍ତି ଯେ ଏହି ସର୍ଭେ ଅନୁଯାୟୀ ଆମ ଦେଶରେ ଚଳଚିତ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ତମାଖୁ ବିଜ୍ଞାପନ ଦେଖି ୧୩ ରୁ ୧୯ ବର୍ଷ ବୟସର ଯୁବବର୍ଗ ସେଥିପ୍ରତି ଆକୃଷ୍ଟ ହେଉଛନ୍ତି । ଦେଶର ୯.୬ ପ୍ରତିଶତ ଯୁବକ ଓ ୭.୪ ପ୍ରତିଶତ ଯୁବତୀ ସିଗାରେଟ ଓ ତମାଖୁ ସେବନ କରୁଥିବା ସର୍ଭେରୁ ଜଣାଯାଇଛି ।

ସେହିଭଳି ନୂଆଦିଲ୍ଲୀରେ ହୋଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ୧୨ ରୁ ୧୬ବର୍ଷ ବୟସର ଯୁବକ ଯୁବତୀ ଯେଉଁମାନେ କି ଅଧିକ ମାତ୍ରାରେ ବଲିଉଡ୍‍ ଚଳଚିତ୍ର ଦେଖନ୍ତି ସେମାନେ ଅନ୍ୟମାନଙ୍କ ଅପେକ୍ଷା ୨.୬ ପ୍ରତିଶତ ଅଧିକ ତମାଖୁ ଜନିତ ସାମଗ୍ରୀ ସେବନ କରିଥାନ୍ତି ।

ସାଂସଦ ଦର୍ଶାଇଛନ୍ତି ଯେ କରୋନା ସମୟରେ ଓଟିଟି ପ୍ଲାଟପର୍ମରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାର ନିଶା ଲୋକଙ୍କ ମଧ୍ୟରେ ବଢିଯାଇଛି । ଯୁବ ବର୍ଗ ଏସବୁ ଦେଖିବା ସହିତ କଳାକାରମାନେ ସେବନ କରୁଥିବା ତମାଖୁ ଜାତୀୟ ପଦାର୍ଥ ପ୍ରତି ଅତିମାତ୍ରାରେ ଆକର୍ଷିତ ହେଉଛନ୍ତି । ଏଭଳି ସ୍ଥିତିରେ ଯୁବବର୍ଗଙ୍କୁ ତମାଖୁ ଠାରୁ ଦୂରେଇ ରଖିବାପାଇଁ ଓଟିଟି ପ୍ଲାଟଫର୍ମରେ ଏହି ଜାତୀୟ ସାମଗ୍ରୀର ଖୋଲାଖୋଲି ବିଜ୍ଞାପନ ଉପରେ ତୁରନ୍ତ କଟକଣା ଲଗାଇବାକୁ ଶ୍ରୀ ସୁଜିତ କୁମାର ଆଜି ରାଜ୍ୟସଭାରେ ଦୃଢ ଦାବି ଉପସ୍ଥାପନ କରିଛନ୍ତି ।