Home General ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ଦେଇଛି ୩୮୨୩ କୋଟି

ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ଦେଇଛି ୩୮୨୩ କୋଟି

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳ ପାଇଁ ବିଭିନ୍ନ ବିକାଶମୂଳକ ଯୋଜନାରେ କେନ୍ଦ୍ର ସରକାର ଗତ ୫ବର୍ଷ ଭିତରେ ଓଡିଶାକୁ ୩୮୨୩.୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେପି ସାଂସଦ ବସନ୍ତ ପଣ୍ଡା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିକାଶ କାର୍ଯ୍ୟ ହେଉଛି ରାଜ୍ୟର ଦାୟିତ୍ୱ । ତେବେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ବିଭାଗ ତାଙ୍କର ବିଭିନ୍ନ ଉନ୍ନୟନ ଯୋଜନା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ତଦନୁଯାୟୀ କେନ୍ଦ୍ର ସରକାର ଓଡିଶାକୁ ଅମୃତ, ପିଏମଏୱାଇ-ୟୁ, ସ୍ମାର୍ଟ ସିଟି ମିଶନ, ସ୍ୱଚ୍ଛ ଭାରତ ମିଶନ, ସହରାଞ୍ଚଳ ପରିବହନ ଏବଂ ଦୀନ ଦୟାଲ ଅନ୍ତ୍ୟୋଦୟ ଜାତୀୟ ସହରାଞ୍ଚଳର ଜୀବିକା ମିଶନ ଜରିଆରେ ୩୮୨୩.୭୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥରୁ ରାଜ୍ୟ ସରକାର ପାଞ୍ଚ ବର୍ଷ ମଧ୍ୟରେ ୩୧୯୪.୨୭ କୋଟି ଟଙ୍କା ବ୍ୟୟ କରିଛନ୍ତି ।

କେନ୍ଦ୍ର ସରକାର ଅମୃତ ଯୋଜନାରେ ରାଜ୍ୟକୁ ୭୫୭.୪୬ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ବିନିଯୋଗ କରିଛନ୍ତି । ପୁର୍ନବାର ଅମୃତ ୨.୦ ଯୋଜନା ଯାହାକି ଅକ୍ଟୋବର ୨୦୨୧ରେ ଆରମ୍ଭ ହୋଇଥିଲା ସେଥିରେ କେନ୍ଦ୍ର ସରକାର ୧୪୪.୪୪ କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ତାହାକୁ ବିନିଯୋଗ କରିପାରି ନାହାନ୍ତି ।

ଅମୃତ ଯୋଜନାରେ ହିତାଧିକାରୀଙ୍କୁ ୨୪ ଘଣ୍ଟିଆ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଥିବାବେଳେ ଏଥିରେ ୨.୪୧ ଲକ୍ଷ ପରିବାର ଉପକୃତ ହୋଇଛନ୍ତି । ସେହିଭଳି ସ୍ୱେରେଜ ଏବଂ ମଳ ପରିଚାଳନାରେ ୪.୧୪ ଲକ୍ଷ ପରିବାର ଉପକୃତ ହୋଇଛନ୍ତି । ସେହିଭଳି ସବୁଜ ବଳୟ ସୃଷ୍ଟି ଓ ପାର୍କ ଆଦି ପ୍ରତିଷ୍ଠା କ୍ଷେତ୍ରରେ ୪.୮ ଲକ୍ଷ ଲୋକ ଉପକୃତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ।

ଅନୁରୂପ ଭାବେ ସ୍ମାର୍ଟ ସିଟି ମିଶନ ଅଧିନରେ ମନ୍ତ୍ରାଳୟ ପକ୍ଷରୁ ଓଡିଶା ସରକାରଙ୍କୁ ପାଞ୍ଚ ବର୍ଷ ମଧ୍ୟରେ ୮୮୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏଥିରୁ ରାଜ୍ୟ ସରକାର ୭୭୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଉଲ୍ଲେଖନୀୟ ଯେ ଓଡିଶାର ଭୁବନେଶ୍ୱର ଓ ରାଉରକେଲା ସହରରେ ସ୍ମାର୍ଟ ସିଟି ମିଶନ କାର୍ଯ୍ୟକାରୀ ହେଉଛି । ସ୍ୱଚ୍ଛ ଭାରତ ମିଶନରେ କେନ୍ଦ୍ର ପକ୍ଷରୁ ଓଡିଶାକୁ ୩୪୮.୪୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ଯେଉଁଥିରୁ ରାଜ୍ୟ ସରକାର ୨୪୬.୨୯ କୋଟି ବ୍ୟୟ କରିଛନ୍ତି । ରାଜ୍ୟ ସରକାର ଏହି ଯୋଜନାରେ ୩୦ଟି ଜିଲ୍ଲାରେ ୧,୪୨,୨୮୪ ଘରୋଇ ପାଇଖାନା ନିର୍ମାଣ କରିଛନ୍ତି ।

କେନ୍ଦ୍ର ସରକାର ସର୍ବାଧିକ ୧୬୧୦.୨୮ କୋଟି ଟଙ୍କା ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା -ସହରାଞ୍ଚଳ ରେ । ଏଥିରୁ ରାଜ୍ୟ ସରକାର ୧୩୪୧.୨୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଯୋଜନାରେ ସହରାଞ୍ଚଳରେ ୨,୧୩,୮୪୬ ଟି ଘର ନିର୍ମାଣ ହୋଇଛି । ଏଥି ସହିତ ଓଡିଶା ଦୀନ ଦୟାଲ ସହରାଞ୍ଚଳ ଜୀବିକା ମିଶନ ଯୋଜନାରେ ୮୧.୧୧ କୋଟି ଟଙ୍କା ପାଇଥିବାବେଳେ ସେଥିରୁ ୭୩.୩୦ କୋଟି ଟଙ୍କା କରିଛନ୍ତି ।
୨୦୧୭-୧୮ ରୁ ୨୦୨୧-୨୨ ପର୍ଯ୍ୟନ୍ତ ୬୨୭ ଜଣ ସହରାଞ୍ଚଳ ଗରିବ ଲୋକଙ୍କର ନିଯୁକ୍ତିକୁ ଦୃଷ୍ଟିରେ ରଖି ସେମାନଙ୍କ ଦକ୍ଷତା ବିକାଶ କରାଯାଇ ପାରିଛି । ସହରାଞ୍ଚଳରେ ଆତ୍ମ ନିଯୁକ୍ତି ଯୋଜନାରେ ଋଣ ନେଇଥିବା ୨୫,୧୬୫ ହିତାଧିକାରୀଙ୍କ ସୁଧ ରିହାତି ବାବଦରେ ଏହି ଯୋଜନାରେ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)