ଭୁବନେଶ୍ୱର : ପୁରୀର ବାଙ୍କି ମୁହାଣରେ ବସିଥିବା ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଅଚଳ ହୋଇଯିବା ଯୋଗୁଁ ସମୁଦ୍ରରେ ପ୍ରଦୂଷିତ ଜଳ ମିଶିଥିଲା । ଏହି ବର୍ଜ୍ୟଜଳ ସହିତ ବିଷାକ୍ତ ଫେଣ ଆଦି ସମୁଦ୍ରରେ ମିଶୁଥିଲା ।
ବାଙ୍କି ମୁହାଣ ନିକଟରେ ସମୁଦ୍ରଜଳର ଏଭଳି ପ୍ରଦୂଷଣକୁ ଧରିଛନ୍ତି ସିଏଜି । ନିକଟରେ ପ୍ରକାଶିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୮ ମସିହାରେ ବାଙ୍କିମୁହାଣ ନିକଟରେ ୫ନିୟୁତ ଲିଟର କ୍ଷମତା ବିଶିଷ୍ଟ ଏକ ଏସ୍ଟିପି ପ୍ରତିଷ୍ଠା ହୋଇଥିଲା । ଏ ବାବଦରେ ୧.୭୩ କୋଟି ଟଙ୍କା ଖର୍ଚ୍ଚ ବି ହୋଇଥିଲା । ତେବେ ନିର୍ମାଣ ହୋଇଥିବା ଏସ୍ଟିପି ଟି କାର୍ଯ୍ୟକ୍ଷମ ନଥିବାରୁ ବର୍ଜ୍ୟଜଳ ପରିଷ୍କୃତ ନହୋଇ ବଙ୍ଗୋପସାଗରରେ ମିଶୁଥିଲା ଏବଂ ସମୁଦ୍ର ବେଳାଭୂମି ଗନ୍ଧାଉଥିଲା । ଫଳରେ ଏ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ କାମରେ ଆସିନଥିଲା ବୋଲି ସିଏଜି ଦର୍ଶାଇଛନ୍ତି ।
ସେହିଭଳି ସମ୍ବଲପୁର ପୌରାଞ୍ଚଳରେ ଏସ୍ଟିପିର ଅଭାବ ହେତୁ ମିଶ୍ରିତ କଠିନ ବର୍ଜ୍ୟବସ୍ତୁ ଅଶୋଧିତ ସ୍ୱରେଜ ସହ ମହାନଦୀ ମଧ୍ୟକୁ ଛଡାଯାଉଲା । ଏଥିଯୋଗୁଁ ମହାନଦୀର ଜଳ ପ୍ରଦୂଷିତ ହେଉଥିଲା । କେବଳ ସମ୍ବଲପୁର ନୁହେଁ, ଅନ୍ୟ ଯେଉଁସବୁ ପୌରାଞ୍ଚଳରେ ଏସଟିବି ସୁବିଧା ନାହିଁ ସେଠାରେ ସହରର ବର୍ଜ୍ୟଜଳ ନିକଟରେ ଥିବା ଜଳାଶୟଗୁଡିକରେ ମିଶିବା ସହିତ ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଛି ।
ରାୟଗଡା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ ସେଠାରେ ଏସ୍ଟିପି ନିର୍ମାଣ ସରକାରଙ୍କର ବିଚାରାଧିନ ରହିଛି । ସେହିଭଳି ଜୟପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଗତବର୍ଷ କହିଛନ୍ତି ଯେ ଏସ୍ଟିପି ନିର୍ମାଣ ପ୍ରସ୍ତାବ ସରକାରଙ୍କ ନିକଟରେ ଦାଖଲ ହେବ ।
ସିଏଜି ତାଙ୍କ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ସିଏମସିରେ ଥିବା କଂସେଇଖାନାଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନାନୁମତିରେ ଚାଲୁଛି । ବୋର୍ଡର ବିନାନୁମତିରେ କଂସେଇଖାନା ଚାଲିବା ପଶୁମାନଙ୍କୁ ବେଆଇନ୍ ବଧ ସହ ସମାନ । ସେହିଭଳି କୌଣସି ବି କଂସେଇଖାନାରେ ବର୍ଜ୍ୟ ପ୍ରକ୍ରିୟାକରଣ ଏବଂ ବିସର୍ଜନ ସୁବିଧା ନଥିବା ସିଏଜିଙ୍କ ଦୃଷ୍ଟିକୁ ଆସିଛି । କଂସେଇଖାନାରୁ ବାହାରୁଥିବା ତରଳ ବର୍ଜ୍ୟବସ୍ତୁଗୁଡିକୁ ସିଧାସଳଖ ନିକଟରେ ଥିବା ନାଳକୁ ଛାଡି ଦିଆଯାଉଛି । ପଶୁମାନଙ୍କ ମୃତ ଶରୀରଗୁଡିକୁ ଗଭୀର ଖାତରେ ନପୋତି ସେଗୁଡିକୁ ଖାଲ ଖମାରେ ପକାଯାଉଥିଲା ।
ସେହିଭଳି କଂସେଇଖାନାଗୁଡିକରେ ଦୁର୍ଗନ୍ଧ ବାୟୁ ନିଗର୍ମନ ନିୟନ୍ତ୍ରଣ ପାଇଁ ଉପକରଣ ବି ନଥିଲା । ଫଳରେ କଂସେଇଖାନାଗୁଡିକ ଠିକଣା ଭାବେ ବର୍ଜ୍ୟ ପରିଚାଳନା କରିପାରିନଥିଲେ । ଯେଉଁଥିପାଇଁ ଅସ୍ୱାସ୍ଥ୍ୟକର ପରିସ୍ଥିତି ଓ ପରିବେଶର ଦୂଷିତ ହେବା ସହିତ ସ୍ୱାସ୍ଥ୍ୟପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଥିଲା । (ତଥ୍ୟ)