ଭୁବନେଶ୍ୱର : ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୩୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ନିୟମିତ ଅଧ୍ୟାପକ ଅଧ୍ୟାପିକା ପଦବୀ ଖାଲି ପଡିଥିବାରୁ ଅଧିକାଂଶ କ୍ଷେତ୍ରରେ ଅତିଥି ଅଧ୍ୟାପକମାନଙ୍କ ଉପରେ ଭରସା କରିବାକୁ ହେଉଛି ।
ମା’ ରମାଦେବୀଙ୍କ ନାମରେ ନାମିତ ରାଜ୍ୟର ଏହି ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ସହିତ ୯ଟି ଜିଲ୍ଲାର ଅନ୍ୟୁନ ୪୮ଟି କଲେଜ ଅନୁବନ୍ଧିତ ହୋଇ ରହିଛି । ଏଗୁଡିକ ମଧ୍ୟରେ ଗୁଡିଏ ସ୍ୱୟଂଶାସିତ କଲେଜ ବି ଅଛି । ରମାଦେବୀ ସ୍ୱୟଂଶାସିତ ମହିଳା କଲେଜକୁ ସାତବର୍ଷ ତଳେ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଥିଲା । ଏପର୍ଯ୍ୟନ୍ତ ଏହି ନବଗଠିତ ବିଶ୍ୱବିଦ୍ୟାଳୟରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ବସ୍ତୁତଃ ରମାଦେବୀ ସ୍ୱୟଂଶାସିତ କଲେଜର ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉପରେ ଚାପ ରହୁଛି ।
ଏହି ବିଶ୍ୱବିଦ୍ୟାଳୟ ପରିସରରେ ପାଖାପାଖି ୫ହଜାର ଛାତ୍ରୀ ଯୁକ୍ତ ଦୁଇରୁ ସ୍ନାତକ,ସ୍ନାତକୋତ୍ତର ଓ ପିଏଚ୍ଡି ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମରେ ରହିଛନ୍ତି । କଲେଜରୁ ଯୁକ୍ତ ଦୁଇକୁ କାଗଜପତ୍ରରେ ପୃଥକ କରାଯାଇଥିଲେ ମଧ୍ୟ ବସ୍ତୁତଃ ଯୁକ୍ତ ଦୁଇ କଲେଜ ବି ଏହି ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଚାଲୁଛି । ବିଶ୍ୱବିଦ୍ୟାଳୟ ପରିସର ବାହାରେ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ଏଯାବତ୍ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନାହିଁ ।
ରମାଦେବୀ ସ୍ୱୟଂଶାସିତ ମହିଳା କଲେଜର ପୂର୍ବରୁ ଥିବା ଉଚ୍ଚ ମାନର ନାକ୍ ଗ୍ରେଡ୍ ମାନ୍ୟତାର ସମୟସୀମା କେବେ ଠାରୁ ସରିଗଲାଣି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ସାତବର୍ଷ ମଧ୍ୟରେ ଏଯାବତ୍ ଏହାପାଇଁ ଉଚ୍ଚମାନର ନାକ୍ ମାନ୍ୟତା ହାସଲ କରାଯାଇ ନାହିଁ । ଶିକ୍ଷାବିତ୍ମାନେ କହୁଛନ୍ତି ଯେ ଅନ୍ତତଃ ପକ୍ଷେ ଏହି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେତେ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଆବଶ୍ୟକ ସେ ସବୁ ତୁରନ୍ତ କରାଯିବା ଦରକାର । ବିଶେଷକରି ଯେଉଁ ବିଭାଗଗୁଡିକରେ ପ୍ରଫେସର ପଦବୀଗୁଡିକ ଫାଙ୍କା ପଡିଛି ସେସବୁକୁ ଅଗ୍ରାଧିକାର ଭିତ୍ତିରେ ପୂରଣ ହେବା ଆବଶ୍ୟକ ।
ଏହାଛଡା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର କ୍ୟାମ୍ପସ ପାଇଁ ଏଯାବତ୍ ସ୍ଥାନ ମିଳିନାହିଁ । ଏହି ବିଶ୍ୱବିଦ୍ୟାଳୟ ପାଖରେ ଥିବା ଗ୍ରିଡ୍କୋ ଦପ୍ତର ସମେତ କଲୋନୀ ଏବଂ ନଅ ନମ୍ବର ଫ୍ଲାଟ୍ ଅଞ୍ଚଳରୁ ଅନ୍ତତଃ ପକ୍ଷେ ୪୦ଏକର ପରିମିତି ଜମି ଦିଆଯାଇ ପାରିଲେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କର କ୍ୱାଟର୍ସ ସମସ୍ୟା ରହିବନାହିଁ ଏବଂ ବିଶ୍ୱବିଦ୍ୟାଳୟ ନିକଟରେ ଏହାର ନୂତନ କ୍ୟାମ୍ପସ ଯୋଜନାବଦ୍ଧ ଭାବେ ବିକଶିତ ହୋଇପାରିବ ।
ସେହିଭଳି ଏହି ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରୂପାଲି-ବାଣୀବିହାର ରାସ୍ତାରେ ବ୍ୟାପକ ସ୍ୟଂଖକ ଗାଡି ଚଳାଚଳ କରିଥିବାରୁ ରାସ୍ତା ପାର ହେବାବେଳେ ଛାତ୍ରୀ ଅଧ୍ୟାପିକାଙ୍କ ଠାରୁ ଆରମ୍ଭ କରି କର୍ମଚାରୀମାନେ ପ୍ରାୟତଃ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ଲାଗି ୧୧ବର୍ଷ ତଳେ ୨୦୧୧ ମସିହାରେ କଲେଜ ସମ୍ମୁଖ ରାସ୍ତା ଉପରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ୫ଜଣ ମନ୍ତ୍ରୀଙ୍କ ସମେତ ୧୧ଜଣ ବିଶିଷ୍ଟ ବ୍ୟକ୍ତି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହାର ଢେର ପଛରେ ପାଲ୍ହାଇଟ୍ ଓ କଳିଙ୍ଗ ଷ୍ଟାଡିୟମ ନିକଟରେ ତିନିଟି ଫୁଟ୍ ଓଭରବ୍ରିଜ ନିର୍ମାଣ କାମ ଆରମ୍ଭ କରାଯାଇ ଅଳ୍ପ କେତେମାସ ମଧ୍ୟରେ ଶେଷ କରାଯାଇଥିଲେ ବି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଫୁଟ୍ ଓଭରବ୍ରିଜ୍ ୧୧ବର୍ଷ ଧରି ଶିଳାନ୍ୟାସ ଫଳକରେ ସୀମିତ ରହିଯାଇଛି । ଦୁଇବର୍ଷ ଏହି ଶିକ୍ଷାନୁଷ୍ଠାନ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବାବେଳେ ସୀମିତ ସମୟ ମଧ୍ୟରେ କିଭଳି ଏଠାରେ ପୂର୍ଣ୍ଣ ସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି ହେବେ ଓ ନୂତନ କ୍ୟାମ୍ପସ କାର୍ଯ୍ୟ କରିବ ତାହା ଉପରେ ସରକାର ଧ୍ୟାନ ଦେବାକୁ ପ୍ରତିଷ୍ଠା ଦିବସରେ ବହୁ ଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରିଛନ୍ତି । (ତଥ୍ୟ)