Home Health ମଶା ନିୟନ୍ତ୍ରଣରେ କର୍ତ୍ତୃପକ୍ଷ ବିଫଳ

ମଶା ନିୟନ୍ତ୍ରଣରେ କର୍ତ୍ତୃପକ୍ଷ ବିଫଳ

ଭୁବନେଶ୍ୱର : ରାଜଧାନୀବାସୀ ଏବେ ମଶା କାମୁଡାରେ କଲ ବଲ ହେଉଛନ୍ତି । ଏବେ ମଶାଙ୍କ ପ୍ରଜନନ ଋତୁରେ ସେମାନଙ୍କୁ ନିୟନ୍ତ୍ରଣ କରାନଗଲେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି କୁହାଯାଉଛି ।

ସହରର ଏବେ ଚାରିଆଡେ ମଶାଙ୍କ ଉତ୍ପାତ । ରାଜଧାନୀର ଗଳି କନ୍ଦି କି ବସ୍ତି ଅଞ୍ଚଳ ନୁହେଁ ଖୋଦ ଲୋକସେବା ଭବନ ଓ ରାଜଭବନ ଭଳି ଭିଭିଆଇପି ଅଞ୍ଚଳବାସୀ ବି ମଶା କାମୁଡାରେ ନାକେଦମ ହେଲେଣି । ଗୋଟିଏ ଗୋଟିଏ ସ୍ଥାନରେ ମଶାଙ୍କ ସାନ୍ଧ୍ରତା ୯୦ ଟପି ଯାଇଥିବା ସୂଚନା ମିଳିଛି ।

ତେବେ ପ୍ରଶାସନ ଏବେ ମେକ ଇନ୍‍ ଓଡିଶା ଠାରୁ ଆରମ୍ଭ କରି ବିଶ୍ୱକପ୍‍ ହକି ପାଇଁ ରାଜଧାନୀକୁ ସଫା ସୁତୁରା କରୁଥିବାବେଳେ ମଶା ବଂଶକୁ ନିୟନ୍ତ୍ରଣ କରିନପାରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ମଶା ନିବାରଣ ଦାୟିତ୍ୱରେ ଥିବା ଅଧିକାରୀମାନେ ଦୀର୍ଘଦିନ ଧରି ରାଜଧାନୀରେ ଥିଲେ ମଧ୍ୟ ସେମାନେ ଏ ଦିଗରେ ସଫଳ ହୋଇପାରୁ ନାହାନ୍ତି ।

ରାଜଧାନୀରେ ମଶାମାନଙ୍କୁ ନିୟନ୍ତ୍ରଣ ଲାଗି ୪ଜଣ ଫାଇଲେରିଆ ଇନ୍ସପେକ୍ଟରଙ୍କ ସମେତ ୧୮୦ ଜଣ କର୍ମଚାରୀ ରହିଛନ୍ତି । ରାତି ପାହିଲେ ବହୁ କର୍ମଚାରୀ ମଶାତେଲ ଧରି ସହର ସାରା ଚକ୍କର କାଟୁଛନ୍ତି । ହେଲେ ସହରରୁ ମଶା ବଂଶ କମିବା ବଦଳରେ ବଢିବାରେ ଲାଗିଛନ୍ତି ।

ମଶାମାନଙ୍କୁ ତଡିବାପାଇଁ ବିଏମ୍‍ସି ପୂର୍ବରୁ ଯେଭଳି ସହରର ଗଳି କନ୍ଦିରେ ମଶାଧୁଆଁ ଛାଡୁଥିଲା ତାହା ଆଉ ଦେଖିବାକୁ ମିଳୁନାହିଁ । କାଁ ଭାଁ ମଶାଧୁଆଁ ଛାଡି ତାହାର ଭିଡିଓ ଜାରି କରାଯାଉଥିବାବେଳେ ଲୋକେ କିନ୍ତୁ ମଶାବଦୀ ଠାରୁ ଆରମ୍ଭ କରି ମଶା ବାଡିଆ ର‌୍ୟାକେଟ୍‍ କିଣିବାରେ ଲାଗିଛନ୍ତି । ଗୋଟିଏ ପଟେ ମଶାଙ୍କ ପ୍ରଜନନ ଋତୁ ଚାଲିଥିବାବେଳେ ଅନ୍ୟ ପଟେ ସହରର ଚାରିପଟେ ଥିବା ବଡ ବଡ ନାଳ ସମେତ ବିଭିନ୍ନ ସ୍ଥାନରେ ଗଦା ହେଉଥିବା ଆବର୍ଜନା ଏବେ ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି ।

ବିଶେଷଜ୍ଞଙ୍କ ମତରେ ମଶା ଲାର୍ଭାଙ୍କୁ ମରାଯାଇ ପାରିଲେ ସହରର ମଶା ନିୟନ୍ତ୍ରଣ କରାଯାଇ ପାରିବ । ହେଲେ ସହରର ମଧ୍ୟରେ ଥିବା ୧୧ଟି ବଡ ବଡ ନାଳ ସହିତ ଛୋଟ ଛୋଟ ନାଳ ଓ ବସ୍ତି ଅଞ୍ଚଳରେ ପାଣି ଜମା ହେଉଥିବା ସ୍ଥାନରେ ଯେଉଁ ହାରରେ ମଶାମାନେ ବଂଶ ବିସ୍ତାର କରୁଛନ୍ତି ସେମାନଙ୍କୁ ନିପାତ କରିବା ସହଜ ହେଉନାହିଁ । ମଶା ଲାର୍ଭା ମାରିବାପାଇଁ ଯେଉଁ ତେଲ ସିଞ୍ଚନ ହେଉଛି ତାହା ସେତେଟା ପ୍ରଭାବଶାଳୀ ହେଉନଥିବାବେଳେ ଗମ୍ବୁସିଆ ମାଛ ଯୋଜନା ବି ଅକାମୀ ହୋଇ ଯାଇଛି ।

ରାଜଧାନୀରେ ମଶାଧୁଆଁ ଛାଡିବାପାଇଁ ଅତି କମ୍‍ରେ ୫୦ଟି ମଶାଧୁଆଁ ମେସିନ କିଣିବା ପ୍ରସ୍ତାବ ନାଲିଫିତା ତଳେ ରହିଛି । ହାତଗଣତି ଯେଉଁ କେତୋଟି ମଶାଧୁଆଁ ଛଡା ମେସିନ ରହିଛି ତାହା ପର୍ଯ୍ୟାପ୍ତ ହେଉନାହିଁ । ତେବେ ସବୁଠାରୁ ବଡ କଥା ହେଉଛି ରାଜଧାନୀର ମଶା ନିୟନ୍ତ୍ରଣ ଦାୟିତ୍ୱ ଖୋର୍ଦ୍ଧା ସିଡିଏମଓଙ୍କ ହାତରେ ନ୍ୟସ୍ତ ଥିବାବେଳେ ତାଙ୍କ ଦପ୍ତରଟି ଖୋରଧାରେ ରହିଛି । ତେଣୁ ତୁରନ୍ତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଉପରେ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)