Home News in Odia ବରଗଡ ଏସ୍‍ପିଙ୍କ ବଦଳି ଦାବି

ବରଗଡ ଏସ୍‍ପିଙ୍କ ବଦଳି ଦାବି

ଭୁବନେଶ୍ୱର : ବରଗଡ ଏସପିଙ୍କୁ ବଦଳି ପାଇଁ ଆଜି ଡିଜିଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେପି ପକ୍ଷରୁ କୁହାଯାଇଛି ଯେ ଉପନିର୍ବାଚନ ସମୟରେ ପୋଲିସ କର୍ମଚାରୀମାନେ ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି । ବରଗଡ ଜିଲ୍ଲା ଏସ୍‌ପି ବିଜେଡି ନେତା ରୂପେ କାର୍ଯ୍ୟ କରୁଛନ୍ତି । ଏଭଳି ଘୃଣ୍ୟ କାର୍ଯ୍ୟକୁ ବିଜେପି ଦୃଢ଼ ନିନ୍ଦା କରୁଛି ।

ପଦ୍ମପୁର ଥାନାରେ ବିଜେପି କାର୍ଯ୍ୟକର୍ତାଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ବିଜେଡି ଦଳର ବିଭିନ୍ନ ଅପରାଧୀ କାର୍ଯ୍ୟକର୍ତାଙ୍କ ନାଁରେ ଚାରି ଚାରିଟି ଏଫଆଇଆର ରୁଜୁ କରାଯାଇଛି । ଆଜି ପର୍ଯ୍ୟନ୍ତ ପଦ୍ମପୁର ପୋଲିସ ହାତବାନ୍ଧି ବସିଛି ଓ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ଏନେଇ ସିଇଓଙ୍କ ପାଖରେ ବାରମ୍ବାର ବିଜେପି ପକ୍ଷରୁ ଫେରାଦ ହେବା ସତ୍ୱେ କୌଣସି ସୁଫଳ ମିଳିନାହିଁ । “ରକ୍ଷକ ଯଦି ଭକ୍ଷକ ସାଜେ” ତାହାଲେ ବିରୋଧୀ ଗୁହାରୀ କରିବ କାହା ପାଖରେ?

ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ବରଗଡ ଏସ୍‌ପିଙ୍କୁ ତୁରନ୍ତ ବଦଳି କରି ସ୍ୱଚ୍ଛ ଓ ନୀରପେକ୍ଷତା ଅବଲମ୍ବନ କରୁଥିବା ଆଇପିଏସ୍ ଅଫିସରଙ୍କୁ ତାଙ୍କ ଜାଗାରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।

ଶାସକ ଦଳ ହାରିବା ଭୟରେ ପୂର୍ବରୁ ବିଜେପିର କାର୍ଯ୍ୟକର୍ତାଙ୍କୁ ଅପହରଣ କରିବା ସହ ମାଡମାରି ରକ୍ତାକ୍ତ କରିଛନ୍ତି । ବିଜେପିର କିଛି କାର୍ଯ୍ୟକର୍ତା ହସ୍ପିଟାଲରେ ଭର୍ତି ହୋଇଥିଲେ ମଧ୍ୟ ପୁଲିସ ବିଜେଡିର କାର୍ଯ୍ୟକର୍ତାକୁ ଗିରଫ କରୁନାହିଁ । ପୋଲିସର ଏଭଳି ପକ୍ଷପାତିତା ସାମ୍ବିଧାନିକ ବିରୋଧୀ । ପଦ୍ମପୁର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ, ଭୟମୁକ୍ତ କରିବା ଏବେ ଚିନ୍ତାର ବିଷୟ ହୋଇଛି । ଶାସନ କ୍ଷମତା ଏବଂ ସରକାରୀ କଳ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛନ୍ତି ।

ଆଗାମୀ ପଦ୍ମପୁର ଉପନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ କରାଇବା ଦାୟିତ୍ୱ ହେଉଛି ପୋଲିସ ବିଭାଗର । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ବରଗଡ ଏସ୍‌ପିଙ୍କୁ ବଦଳି ଦାବି କରିଛି ବିଜେପି । ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟମୂଳକ ଓ ମାତ୍ରାଧିକ କାର୍ଯ୍ୟ ପଛରେ ବରଗଡ ଏସ୍‌ପିଙ୍କ ହାତଥିବା ସନ୍ଦେହ କରୁଛି ବିଜେପି ।

ଏହି ଅବସରରେ ବିଧାୟକ ଭାସ୍କର ମଢ଼େଇ, ସନାତନ ବିଜୁଳି, ନବଚରଣ ମାଝୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଲିଗାଲ୍ ସେଲ୍ ସଂଯୋଜକ ଜୟନ୍ତ ଜେନା, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।