Home Education ମହିଳା ବିଶ୍ୱବିଦ୍ୟାଳୟକୁ ଜମି ମିଳିବ କେବେ?

ମହିଳା ବିଶ୍ୱବିଦ୍ୟାଳୟକୁ ଜମି ମିଳିବ କେବେ?

ଭୁବନେଶ୍ୱର : ଅଗ୍ରଗଣ୍ୟା ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ଜନନେତ୍ରୀ ମା’ ରମା ଦେବୀଙ୍କ ନାମରେ ନାମିତ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ରାଜଧାନୀରେ ଜମି ଚୂଡାନ୍ତ ହୋଇପାରୁ ନଥିବାରୁ ଏହାର ନୂତନ କ୍ୟାମ୍ପସ ନିର୍ମାଣ କରାଯାଇପାରୁ ନାହିଁ ।

ଇତିମଧ୍ୟରେ ରାଜ୍ୟର ଏହି ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନର ୭ବର୍ଷ ପୂରଣ ହେବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ଅବ୍ୟବହୃତ ଜମିରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଏହା ବିବାଦୀୟ ହୋଇପଡିବାରୁ ବିକଳ୍ପ ଜମି ଖୋଜା ଚାଲିଥିଲା । ତେବେ ଭୁବନେଶ୍ୱର ମହାନଗର ନିଗମ ଇଲାକା ବାହାରେ ଏହି ମହିଳା ବିଶ୍ୱବିଦ୍ୟାଳୟ ଲାଗି ଜମି ଚିହ୍ନଟ ହୋଇଥିବା ବେଳେ ଭିତ୍ତିଭୂମି, ଦୂରତା, ନିରାପତ୍ତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠିବାରୁ ଚିହ୍ନିତ ଜମିରେ ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ କାର୍ଯ୍ୟ ହୋଇପାରିଲା ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ମା’ ରମା ଦେବୀଙ୍କ ପବିତ୍ର ଜନ୍ମଦିନରେ ୨୦୧୫ ଡିସେମ୍ବର ୩ ତାରିଖରେ ଏହି ମହିଳା ବିଶ୍ୱବିଦ୍ୟାଳୟ ଉଦ୍‍ଘାଟିତ ହୋଇଥିଲା । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ମହିଳା ଡିଗ୍ରୀ କଲେଜଗୁଡିକ ମଧ୍ୟରୁ ଅନ୍ୟୂନ ୪୬ଟି ଅନୁବନ୍ଧିତ ହୋଇ ରହିଛି । ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ସ୍ନାତକ, ସ୍ନାତକୋତ୍ତର ଓ ପିଏଚଡି ପାଠ୍ୟକ୍ରମ ସହିତ ଛାତ୍ରୀ ନିବାସ, ପ୍ରଶାସନିକ ସୌଧ ଆଦି ରହିଛି । ଗୋଟିଏପଟେ ଏହି କ୍ୟାମ୍ପସରେ ହଜାରେରୁ ଅଧିକ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଶାସନିକ କାର୍ଯ୍ୟରେ ପ୍ରତିଦିନ ବିଭିନ୍ନ ଡିଗ୍ରୀ କଲେଜରୁ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକ, କର୍ମଚାରୀ ଏବଂ ଛାତ୍ରୀମାନେ ଆସୁଛନ୍ତି ।

ଏବେ ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାର ଡିଭାଇଡରରେ ବତାବାଡ ଲାଗିଛି । ଏହି ବତାବାଡ ମଝିରେ ଥିବା ୪ଫୁଟିଆ ଫାଙ୍କରେ ଛାତ୍ରୀ ଓ ଅଧ୍ୟାପିକାମାନେ ଅତି ବିପଦ ସଂକୁଳ ଭାବେ ରାସ୍ତା ଅତିକ୍ରମ କରୁଛନ୍ତି । ରମା ଦେବୀ ମହିଳା ସ୍ୱୟଂଶାସିତ କଲେଜ ୨୦୧୪ରେ ତାହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିଥିଲା । ସେତେବେଳେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଉତ୍ସବ ପୂର୍ବରୁ କଲେଜ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ୨୦୧୧ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସେତେବେଳେ ୫ଜଣ ମନ୍ତ୍ରୀ, ଜଣେ ସାଂସଦ, ଜଣେ ବିଧାୟକ, ମେୟର ଓ ୪ଜଣ କର୍ପୋରେଟର ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସେମାନଙ୍କ ଏହି କାର୍ଯ୍ୟକ୍ରମର ସ୍ମାରକୀ ସ୍ୱରୂପ ଭିତ୍ତିପ୍ରସ୍ତର ଫଳକଟି ୧୧ବର୍ଷ ମଧ୍ୟରେ ବିବର୍ଣ୍ଣ ହୋଇ ରାସ୍ତା ମଝିରେ ପଡି ରହିଛି । କିନ୍ତୁ ଏଯାବତ୍‍ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ କାମ ହୋଇନାହିଁ ।

କ୍ୟାମ୍ପସରେ ଜାଗା ନଥିବାରୁ ଛାତ୍ରୀମାନଙ୍କ ଖେଳକୁଦ ମଧ୍ୟ ଭଲ ଭାବେ ହୋଇପାରୁ ନାହିଁ । ତୁରନ୍ତ ଏହି ଗୌରବାବହ ବିଶ୍ୱବିଦ୍ୟାଳୟ ପାଇଁ ଅନ୍ୟୂନ ୫୦ ଏକର ଜମି ବ୍ୟବସ୍ଥା କରିବା ସଂଗେ ସଂଗେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଛାତ୍ରୀ ମହଲରୁ ଦାବି ହେଉଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅଭିଭାବକ ମହଲ ବି ମତପ୍ରକାଶ କରୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ସଶକ୍ତିକରଣ ଓ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରୁଥିବା ଏବଂ ଏହି ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରୀ ଏବେ ଭାରତ ବର୍ଷର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବା ପରିପ୍ରେକ୍ଷୀରେ ଉକ୍ତ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ଯଥାଶୀଘ୍ର ଜମି ଆବଣ୍ଟନ ସହ କ୍ୟାମ୍ପସ ନିର୍ମାଣ ଏବଂ ଅନ୍ୟାନ୍ୟ ଅସୁବିଧାଗୁଡିକ ଦୂର ହେବ ବୋଲି ଶିକ୍ଷାବିତମାନେ ଆଶା ରଖୁଛନ୍ତି । (ତଥ୍ୟ)