ଭୁବନେଶ୍ୱର : ରାଜ୍ୟ ସରକାର ପାଞ୍ଚଟି ନୂଆ ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧିନରେ ଥିବା ଖଣି ଏବଂ ଭୂତତ୍ୱ ନିର୍ଦ୍ଦେଶାଳୟ ଖଣି (ନିଲାମ) ଅଧିନିୟମ ୨୦୧୫ ବଳରେ ଯେଉଁ ୫ଟି ଖଣି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଗୁଡିକ ମଧ୍ୟରେ ତିନିଟି ବକ୍ସାଇଟ୍ ଓ ଦୁଇଟି ଚୂନପଥର ଖଣି ରହିଛି ।
ବକ୍ସାଇଟ୍ ଖଣି ମଧ୍ୟରେ କୋରାପୁଟ ଜିଲ୍ଲାର ବଳଦା ବକ୍ସାଇଟ୍ ଖଣି, କଳାହାଣ୍ଡି ଏବଂ ରାୟଗଡା ସୀମାରେ ଥିବା ସିଜିମାଳି ବକ୍ସାଇଟ୍ ଖଣି ଏବଂ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ଥିବା କୁଟ୍ରୁମାଳି ବକ୍ସାଇଟ୍ ଖଣି । ସେହିଭଳି ନୂନପଥର ଖଣି ମଧ୍ୟରେ ରହିଛି ନୂଆପଡା ଜିଲ୍ଲାର ଗାରାମୁରା ଖଣି ଏବଂ ମାଲକାନଗିରି ଜିଲ୍ଲାର ଉସକାଲାଭାଗା ଖଣି ।
ଟେଣ୍ଡରରେ ଅଂଶଗ୍ରହଣ ପାଇଁ ଆଗ୍ରହୀ ଯୋଗ୍ୟ ସଂସ୍ଥାମାନେ ଏମଏସଟିସି ଲିମିଟେଡର ୱେବସାଇଟ୍ ଜରିଆରେ ନିଜକୁ ପଞ୍ଜିକରଣ କରିପାରିବେ । ୨୦୨୩ ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଅଂଶଗ୍ରହଣକାରୀମାନେ ଧାର୍ଯ୍ୟ ଫି ଦେଇ ଟେଣ୍ଡର କାଗଜ ୱେବସାଇଟ୍ରୁ ଖରିଦ କରିପାରିବେ । ଟେଣ୍ଡର ଦାଖଲ କରିବାର ଶେଷ ସମୟ ୨୦୨୩ ଜାନୁୟାରୀ ୧୬ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରହିଛି । ପ୍ରତ୍ୟେକ ବକ୍ସାଇଟ୍ ଖଣି ପାଇଁ ଟେଣ୍ଡର ଫି ୫ଲକ୍ଷ ଟଙ୍କା କରି ଥିବାବେଳେ ଚୂନପଥର ଖଣି ପାଇଁ ୨ଲକ୍ଷ ଟଙ୍କା କରି ରହିଛି ।
ତେବେ ଦୁଇ ଚୂନପଥର ଖଣି ଗାରାମୁରା ଓ ଉସକାଲାଭାଗୁ ପାଇଁ ଦ୍ୱିତୀୟଥର ସକାଶେ ଟେଣ୍ଡର ହେଉଛି । ତେଣୁ ଯେଉଁମାନେ ୨୦୨୧ ମସିହାରେ ଏହି ଦୁଇ ଖଣି ପାଇଁ ଟେଣ୍ଡର କାଗଜ କିଣିଥିଲେ ସେମାନଙ୍କୁ ଆଉ ଟେଣ୍ଡର ଫି ଦେବାକୁ ପଡିବ ନାହିଁ ।
ଟେଣ୍ଡର ପାଇଁ ଆଗ୍ରହୀ ସଂସ୍ଥାମାନେ ସେମାନଙ୍କର ଟେଣ୍ଡର କାଗଜପତ୍ର ଡିଜିଟାଲ ବ୍ୟବସ୍ଥାରେ କିମ୍ବା ନିଜେ ଆଣି ଦାଖଲ କରି ପାରିବେ । ତେବେ ଆର୍ଥିକ କାଗଜପତ୍ର କେବଳ ଡିଜିଟାଲ ମୋଡରେ ଦାଖଲ କରିବାକୁ ପଡିବ । ଇତି ମଧ୍ୟରେ ରାଜ୍ୟ ସରକାର ମାର୍ଚ୍ଚ ୨୦୨୨ରେ ଚାରିଟି ଖଣି ପାଇଁ ଜାରି ହୋଇଥିବା ଟେଣ୍ଡରକୁ ବାତିଲ କରିଦେଇଛନ୍ତି । ଏହି ୪ଟି ଖଣି ହେଉଛି କୋଇରା ଲୁହାପଥର ଖଣି, କେଡେଶାଳା ଉତ୍ତର ପୂର୍ବ ଲୁହାପଥର ଖଣି, କୁସୁମିଡିହି ମାଙ୍ଗାନିଜ ଓ ଲୁହାପଥର ଖଣି ଏବଂ ଓରାହୁରି ମାଙ୍ଗାନିଜ ଓ ଲୁହାପଥର ଖଣି । (ତଥ୍ୟ)