Home Health ପରଦା ଆଢୁଆଳରେ ଅସଲ ହୀରୋ

ପରଦା ଆଢୁଆଳରେ ଅସଲ ହୀରୋ

ଭୁବନେଶ୍ୱର : ମ୍ୟାଲେରିଆ ନିରାକରଣକୁ ନେଇ ପ୍ରସ୍ତୁତ ଓଡିଆ ଚଳଚିତ୍ର ‘ଦମନ’ ଏବେ ସବୁ ସ୍ତରରେ ସଫଳତା ସାଉଁଟୁଥିବାବେଳେ ଦମନ ଯୋଜନା ପଛର ଅସଲ ହୀରୋ କିନ୍ତୁ ଏବେ ଅନାଲୋଚିତ । ଓଡିଶାରେ ‘ଦମନ’ ଯୋଜନା ଜରିଆରେ ମ୍ୟାଲେରିଆକୁ ଦମନ କରି ଜାତିସଂଘରେ ଓଡିଶା ପାଇଁ ପ୍ରଶଂସା ଆଣିଥିବା ଏହି ହୀରୋଙ୍କ ସଂକ୍ରାନ୍ତରେ କିନ୍ତୁ କେହି କିଛି ଜାଣିପାରୁ ନାହାନ୍ତି ।

୨୦୧୮ ମସିହାରେ ମ୍ୟାଲେରିଆ ନିରାକରଣ ଲାଗି ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା ‘ଦମନ’ ଯୋଜନା । ଏହି ସଫଳ ଯୋଜନାର ସ୍ରଷ୍ଟା ଥିଲେ ସେତେବେଳର ମ୍ୟାଲେରିଆ ନିରାକରଣ ଦାୟିତ୍ୱରେ ଥିବା ରାଜ୍ୟ ନୋଡାଲ ଅଫିସର ଡାକ୍ତର ମଦନ ମୋହନ ପ୍ରଧାନ । ରାଜ୍ୟରୁ ମ୍ୟାଲେରିଆ ହଟାଇବା ପାଇଁ ୨୦୧୫ରୁ ଗବେଷଣା ଆରମ୍ଭ କରି ସରକାରଙ୍କୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଦେଇଥିଲେ । ସେଥିରେ ପ୍ରତ୍ୟେକ ଲୋକଙ୍କର ରକ୍ତ ପରୀକ୍ଷା ସହିତ ଔଷଧିୟ ମଶାରୀ ଯୋଗାଣ ପାଇଁ ପ୍ରସ୍ତାବ ଥିଲା ।

ଶ୍ରୀ ପ୍ରଧାନଙ୍କ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ସହିତ ଏହି ଯୋଜନାର ନାମ ରଖିଥିଲେ ‘ଦମନ’ । ୨୦୧୮ ମସିହାରେ ଏହା କାର୍ଯ୍ୟକାରୀ ହେଲା ବେଳକୁ ରାଜ୍ୟର ୧୯ଟି ଜିଲ୍ଲାରେ ମ୍ୟାଲେରିଆର ପ୍ରକୋପ ଜୋରଦାର ଥିଲା । ହେଲେ ‘ଦମନ’ କାର୍ଯ୍ୟକାରୀ ପରେ ଗୋଟିଏ ବର୍ଷରେ ରାଜ୍ୟରୁ ୮୦ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଥିଲା । ଏହି ଯୋଜନାରେ ରାଜ୍ୟରେ ସଫଳତାର ସହ ଏକ କୋଟି ୧୩ ଲକ୍ଷ ଔଷଧିୟ ମଶାରୀ ବଣ୍ଟନ ହୋଇଥିଲା ।

ଯୋଜନାର ସଫଳତା ଦେଖି ସେତେବେଳେ ଜାତିସଂଘ ଏହାକୁ ପ୍ରଶଂସା କରିବା ସହିତ ମ୍ୟାଲେରିଆର ଦେଶ କୁହାଯାଉଥିବା ଆଫ୍ରିକାରେ ତାଙ୍କର ସଫଳତା ବଖାଣିବାପାଇଁ ଡାକ୍ତର ପ୍ରଧାନଙ୍କୁ ନିମନ୍ତ୍ରଣ କରିଥିଲେ । ଡାକ୍ତର ପ୍ରଧାନ ସେତେବେଳେ ଆଫ୍ରିକାରେ ଓଡିଶା ସରକାରଙ୍କ ସଫଳତା ବଖାଣିଥିବାବେଳେ ପରେ ଆଉ କେତେ ରାଷ୍ଟ୍ରରେ ଓଡିଶାର ‘ଦମନ’ ସଫଳତା ସଂକ୍ରାନ୍ତରେ ବି କହିବାର ସୁଯୋଗ ପାଇଥିଲେ ।

ତେବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମ୍ୟାଲେରିଆକୁ ଦମନ କରାଯାଇଥିବାବେଳେ ୨୦୨୦ରେ ମାଲକାନଗିରି ଜିଲ୍ଲାରେ ଏହି ରୋଗ ପୁଣି ଥରେ କାୟା ବିସ୍ତାର କରିଥିଲା । ପରିସ୍ଥିତିର ଗମ୍ଭୀରତାକୁ ଦେଖି ସେତେବେଳେ ରାଜ୍ୟ ସରକାର ଡାକ୍ତର ପ୍ରଧାନଙ୍କୁ ମାଲକାନଗିରି ପଠାଇଥିଲେ । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଡାକ୍ତର ପ୍ରଧାନ ମିଳିତ ଭାବେ ମ୍ୟାଲେରିଆକୁ ଏକ ପ୍ରକାର ନିପାତ ପାଇଁ କାର୍ଯ୍ୟ ଚଳାଇଥିବାବେଳେ ଜିଲ୍ଲାପାଳଙ୍କର ବଦଳି ହୋଯାଇଥିଲା । ତେବେ ମାଲକାନଗିରିରେ ବି ଡାକ୍ତର ପ୍ରଧାନଙ୍କ ଯୋଜନା ସଫଳ ହୋଇଥିବାରୁ ତାହା ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ ହୋଇଥିଲା ।

ଆଜି ରାଜ୍ୟ ତଥା ଦେଶରେ ଚର୍ଚ୍ଚିତ ହୋଇଥିବା ଦମନ ଚଳଚିତ୍ରଟି ମୁଖ୍ୟତଃ ଏହି ବିଷୟବସ୍ତୁ ଉପରେ ଆଧାରିତ । ଚଳଚିତ୍ରକୁ ନେଇ ଚର୍ଚ୍ଚା ଥମୁନଥିବାବେଳେ ଯେଉଁ ଯୋଜନାର ନାଁକୁ ନେଇ ଏହା ସଫଳ ସେହି ଯୋଜନାର ସ୍ରଷ୍ଟା କିନ୍ତୁ ଏବେ ପରଦା ଆଢୁଆଳରେ । ଡାକ୍ତର ପ୍ରଧାନ ଏବେ ରାଜଧାନୀ ଠାରୁ ଦୂର ବୌଦ୍ଧ ଜିଲ୍ଲାରେ ମ୍ୟାଲେରିଆ ନିରାକରଣରେ ନିମଗ୍ନ ଥିବାବେଳେ ‘ଦମନ’ ସଫଳତା କିନ୍ତୁ ତାଙ୍କୁ ବେଶ ଆତ୍ମସନ୍ତୋଷ ଦେଉଥିବ । (ତଥ୍ୟ)