ଭୁବନେଶ୍ୱର : ଡାକ୍ତରଖାନା ପରିସରରେ କୋଠା ପରେ କୋଠା ନିର୍ମାଣ ହେଉଛି । ଆବଶ୍ୟକ ସାଜ ସରଞ୍ଜାମ ବି ଲାଗୁଛି । ହେଲେ ଡାକ୍ତର ନିଯୁକ୍ତ ହେଉନଥିବାରୁ ରୋଗୀମାନେ ନିରାଶ ହେବା ସହିତ ସ୍ୱାସ୍ଥ୍ୟ ବିଭାଗର ଉଦ୍ଦେଶ୍ୟ ସାଧନ ହୋଇପାରୁ ନାହିଁ ।
ଏଭଳି ଡାକ୍ତରଖାନା ରାଜ୍ୟର କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀର ଚାରି ନମ୍ବର ଅଞ୍ଚଳରେ ରହିଛି । ଜୋନାଲ ଡାକ୍ତରଖାନାର ମାନ୍ୟତା ପାଇଥିବା ଏହି ହସ୍ପିଟାଲରେ ଏବେ କୋଠା ପରେ କୋଠା ନିର୍ମାଣ ହୋଇ ଭିତ୍ତିଭୂମିର ଜୋରଦାର ବିକାଶ କରାଯାଇଛି । ଏଠାକୁ ଅଧିକ ରୋଗୀ ପଠାଇ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ କମାଇବାକୁ କର୍ତ୍ତୃପକ୍ଷ ବାରମ୍ବାର କହୁଛନ୍ତି । ହେଲେ ଏହି ଡାକ୍ତରଖାନାକୁ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଦେଉ ନାହାନ୍ତି ।
ଏହି ଜୋନାଲ ଡାକ୍ତରଖାନା ପାଇଁ ଦୁଇଟି ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ପଦବୀ ମଞ୍ଜୁର ଥିବାବେଳେ ଏବେ ଜଣେ ହେଲେ ନାହାନ୍ତି । ଡାକ୍ତରଖାନା ଅଧିକାରୀ ନିଜେ ଏହି ବିଭାଗର ଡାକ୍ତର ହୋଇଥିବାରୁ ସେ ସମୟ ବାହାର କରି ରୋଗୀ ଦେଖୁଛନ୍ତି । ତାଙ୍କ ଉପରେ ପ୍ରଶାସନିକ କାର୍ଯ୍ୟର ଚାପ ରହିଥିଲେ ମଧ୍ୟ ସେ କିଛିଟା କାମ ଚଳାଇ ନେଉଛନ୍ତି । ତେବେ ଏହି ଡାକ୍ତରଖାନାରେ ପ୍ରସବ ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଥିବାବେଳେ ସ୍ତ୍ରୀ ପ୍ରସୂତୀ ଡାକ୍ତରଙ୍କ ସମେତ ନିଶ୍ଚେତକ ଡାକ୍ତର କିମ୍ବା ଆବଶ୍ୟକ ସଂଖ୍ୟକ ନର୍ସ ପଠାଉ ନାହାନ୍ତି ।
ଡାକ୍ତରଖାନାରେ ଅତ୍ୟାଧୁନିକ ଓଟି, ଶଯ୍ୟା ସମେତ ଅନ୍ୟାନ୍ୟ ଭିତ୍ତିଭୂମି ରହିଛି । ହେଲେ ଏଠାରେ ୮ଜଣ ନର୍ସ ପଦବୀରେ ୭ଜଣ ନିଯୁକ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଫଳରେ ମାତ୍ର ୫ଜଣ ନର୍ସ ରୋଗୀସେବା ଠାରୁ ଔଷଧ ବଣ୍ଟନ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସମୟ ପାଉ ନାହାନ୍ତି । ଏଥି ସହିତ ଏଠାରେ ଆବଶ୍ୟକ ସଂଖ୍ୟକ ଝାଡୁଦାର ବି ନିଯୁକ୍ତ ହେଉନାହିଁ । ଫଳରେ ଡାକ୍ତର ପରିସରରେ ପ୍ରତିଦିନ ଝାଡୁମାରିବା ଏବେ କଷ୍ଟକର ହେଲାଣି ।
ନିକଟରେ ଥିବା କଳିଙ୍ଗ ଷ୍ଟାଡିୟରେ ବିଶ୍ୱକପ୍ ହକି ଆୟୋଜନ ହେବାକୁ ଯାଉଥିବାବେଳେ ଏବେ ପ୍ରତିଦିନ କିଛି ନା କିଛି ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର କ୍ରୀଡା ଆୟୋଜନ ହେଉଛି । ଯଦି ସେଠାରେ କିଛି ଜରୁରୀ ଚିକିତ୍ସା ଦରକାର ପଡେ ତେବେ ଖୋଳାଳିଙ୍କୁ ତୁରନ୍ତ ୪ନମ୍ବର ଡାକ୍ତରଖାନାକୁ ଅଣାଯାଇ ପାରିବ । ହେଲେ ଏଠାରେ ଅସ୍ଥିଶଲ୍ୟ କିମ୍ବା ନିଶ୍ଚେତକ ଡାକ୍ତର ନାହାନ୍ତି । ପୂର୍ବରୁ ଏଠାରେ କ୍ରୀଡାବିତ୍ମାନଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଥିବାବେଳେ କାହିଁକି ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରୁନାହାନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନେ ଟିକଟ କରିବା ଠାରୁ ନେଇ ଡାକ୍ତରଙ୍କୁ ଦେଖାଇବା, ଔଷଧ ନେବା, ରକ୍ତ ପରୀକ୍ଷା ଆଦି ଲାଗି ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇ ସ୍ୱାସ୍ଥ୍ୟ ପ୍ରଶାସନକୁ ଗାଳି ଦେଉଥିବାବେଳେ ଅନତି ଦୂରରେ ଥିବା ଜୋନାଲ ଡାକ୍ତରଖାନାରେ କିନ୍ତୁ କର୍ତ୍ତୃପକ୍ଷ ଆବଶ୍ୟକ ଡାକ୍ତର ନିଯୁକ୍ତ କରି କ୍ୟାପିଟାଲ ହସ୍ପିଟାଲ ଉପରୁ ଚାପ ହ୍ରାସ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ନିକଟରେ ଏହି ଡାକ୍ତରଖାନର ଜୋରଦାର ଭିତ୍ତିଭୂମି ସମ୍ପ୍ରସାରଣ ହୋଇଥିବାବେଳେ ତୁରନ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)