Home Infrastructure ରେଳପଥ ପାଇଁ ରାଜ୍ୟ ଦେଲା ୧୫୦ କୋଟି

ରେଳପଥ ପାଇଁ ରାଜ୍ୟ ଦେଲା ୧୫୦ କୋଟି

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଓଡିଶା ସରକାର ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି ମର୍ମରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରେଳପଥ ଲାଗି ଅର୍ଥ ମଞ୍ଜୁର ସହିତ ଏଜିଙ୍କୁ ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥର ୧୧୨ ରୁ ୨୮୯ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ୨୦୨୨-୨୩ ବର୍ଷ ସକାଶେ ୧୫୦ କୋଟି ଟଙ୍କା ମଞ୍ଜୁର ନେଇ ବିଭାଗର ଅର୍ଥ ପରାମର୍ଶଦତା ତଥା ସ୍ୱତନ୍ତ୍ର ସଚିବ ଏଜିଙ୍କୁ ଜଣାଇଛନ୍ତି । ଏହି ଅର୍ଥ ମଞ୍ଜୁରରୁ ଜଣାଯାଇଛି ଯେ ରାଜ୍ୟ ସରକାର ଯଥାଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଚାହୁଁଛନ୍ତି ।

ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇବା ସହିତ ନିର୍ମାଣ କାର୍ଯ୍ୟର ୫୦ ପ୍ରତିଶତ ବହନ କରୁଛନ୍ତି । ନିକଟରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ରେଳବାଇ, ଜଙ୍ଗଲ ଓ ପରିବେଶ, ରାଜସ୍ୱ ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ତ୍ୱରିତ ଜଙ୍ଗଲ ଅନୁମତି ପ୍ରଦାନ ସହିତ ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବାକୁ ସ୍ଥିର ହୋଇଥିଲା ।

ସୂଚନା ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ପାଇବାରେ ବିଳମ୍ବ ଯୋଗୁଁ ଧିମେଇ ଯାଇଛି । ମୋଟ୍‍ ୩୦୧ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ ମଧ୍ୟରୁ ଖୋର୍ଦ୍ଧାରୋଡ-ନୂଆଗାଁ ମଧ୍ୟରେ ୯୧ କିଲୋମିଟରରେ ରେଳ ଚଳାଚଳ କରୁଛି ଏବଂ ନୂଆଗାଁ ରୁ ଦଶପଲ୍ଲା (୯୧ ରୁ ୧୦୬ କଲୋମିଟର) କାର୍ଯ୍ୟ ଆଗେଇ ଚାଲିଛି । ଏହାକୁ ମାର୍ଚ୍ଚ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି ।

ଦଶପଲ୍ଲା ରୁ ବୁଗୁଡା (୧୦୬ ରୁ ୧୨୧ କିଲୋମିଟର) କାର୍ଯ୍ୟ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟରୁ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ନମିଳିବା ଯୋଗୁଁ ଧିମେଇ ଯାଇଛି । ଅନୁରୂପ ଭାବେ ବୁଗୁଡାରୁ ବାଣିଗୋଚ୍ଛା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳିନଥିବାରୁ ଆରମ୍ଭ ହୋଇପାରି ନାହିଁ । ମୋଟାମୋଟି ଭାବେ କେନ୍ଦ୍ର ସରକାର ୧୧୨ ରୁ ୧୮୦ କିଲୋମିଟର ପର୍ଯ୍ୟନ୍ତ ରେଳପଥ ପାଇଁ ଜଙ୍ଗଲ ଅନୁମତି ଦେଇ ନାହାନ୍ତି । ୧୮୦ ରୁ ୨୭୫ କିଲୋମିଟର ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଚାଲିଥିବାବେଳେ ୨୭୫ ରୁ ୩୦୧ କିଲୋମିଟର ପର୍ଯ୍ୟନ୍ତ ଥିବା ରେଳପଥରେ ରେଳ ଚଳାଚଳ କରୁଛି ।

ଜଙ୍ଗଲ ଅନୁମତି ପାଇଁ ରାଜ୍ୟ ସରକାର କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଭୁବନେଶ୍ୱର ଠାରେ ଥିବା ଆଞ୍ଚଳିକ ଦପ୍ତରକୁ ପ୍ରସ୍ତାବ ପଠାଇଛନ୍ତି । ବର୍ତ୍ତମାନ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ କେନ୍ଦ୍ରୀୟ ଅଧିକାରୀମାନଙ୍କୁ କୁହାଯାଇଛି, ଯାହା ଫଳରେ ନୂତନ ରେଳଲାଇନ୍‍ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇପାରିବ । (ତଥ୍ୟ)