Home General ଶତବାର୍ଷିକୀ ପାଇଁ ରାଜନୈତିକ ତତ୍ପରତା

ଶତବାର୍ଷିକୀ ପାଇଁ ରାଜନୈତିକ ତତ୍ପରତା

ଭୁବନେଶ୍ୱର : ଗାନ୍ଧୀ ବିଚାରକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଲୋକଙ୍କ ପାଖକୁ ଯିବାକୁ ସଜବାଜ ହେଉଛନ୍ତି । ଓଡ଼ିଶାକୁ ଗାନ୍ଧୀଜୀଙ୍କ ପ୍ରଥମ ଆଗମନର ଶତବାର୍ଷିକୀ ସହ ପ୍ରଥମ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ ଓ ଅସହଯୋଗ ଆନ୍ଦୋଳନର ଏ ବର୍ଷ ଶତବାର୍ଷିକୀ ପଡ଼ୁଥିବା ବେଳେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ମଧ୍ୟ ରାଷ୍ଟ୍ରବ୍ୟାପୀ ପାଳିତ ହେବ । ଏହାଛଡ଼ା ଆସନ୍ତାବର୍ଷ ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ବା ପ୍ଲାଟିନମ୍‍ ଜୁବୁଲି ପାଳିତ ହେବାକୁ ଥିବା ବେଳେ ରାଜ୍ୟର ପ୍ରମୁଖ ରାଜୈନତିକ ଦଳ ଏ ପ୍ରସଙ୍ଗରେ ପଛରେ ରହିବାକୁ ପସନ୍ଦ କରୁନାହାନ୍ତି ।

ଗାନ୍ଧୀଜୀ ଓ କସ୍ତୂରବାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅନ୍ୟ ବହୁ ରାଜ୍ୟ ତୁଳନାରେ ଓଡ଼ିଶାରେ ବେଶ୍‍ ଭଲ ଭାବରେ ପାଳିତ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରତିପାଳନ ପାଇଁ ଯେତେସବୁ କାର୍ଯ୍ୟକ୍ରମ ରଖିଥିଲେ ତାହା କରୋନା କୋଳାହଳରେ ସମ୍ପୂର୍ଣ୍ଣ ହୋଇପାରିନାହିଁ ।

ଏବେ ରାଜ୍ୟ କ୍ୟାବିନେଟ୍‍ ତାଙ୍କ ବିଧିବଦ୍ଧ ପ୍ରସ୍ତାବରେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ନିଷ୍ପତ୍ତି ନେଇଥିବା ବେଳେ ଏଯାବତ୍‍ ରାଜ୍ୟସ୍ତରୀୟ କମିଟି ଗଢ଼ାଯାଇନାହିଁ କିମ୍ବା ଏହି ପ୍ରତିପାଳନର କ’ଣସବୁ କାର୍ଯ୍ୟକ୍ରମ ରହିବ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ତେବେ ସପ୍ତାହକ ମଧ୍ୟରେ ଏ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯିବ ।

ପ୍ରତି ବ୍ଲକ୍‍ରେ ଆଦର୍ଶ ଗ୍ରାମ ପଞ୍ଚାୟତ ସମେତ ଗାନ୍ଧୀ: ୧୫୦ର ଯେତେସବୁ ଘୋଷିତ କାର୍ଯ୍ୟକ୍ରମ ପୂର୍ଣ୍ଣ ମାତ୍ରାରେ ପାଳନ ହୋଇନାହିଁ ସେ ସବୁକୁ ଏହି ନୂଆ ପ୍ରତିପାଳନରେ ଯୋଡ଼ିବା ସହ ଗାନ୍ଧୀ:୧୫୦ ଢାଞ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ ଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ଇତିମଧ୍ୟରେ ଗାନ୍ଧୀ ବିଚାର ଅଭିଯାନ, ସ୍ୱାଧୀନତା ସଂଗ୍ରାମ ସମିତି ସମେତ ଅନେକ ବେସରକାରୀ ଅନୁଷ୍ଠାନ ଏହି ପ୍ରତିପାଳନ ଲାଗି ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି ।

କଂଗ୍ରେସ ଏ ସବୁ ପ୍ରତିପାଳନକୁ ନେଇ ଗାଁ ଗହଳକୁ ଯାଇ ଦଳ ସହ ଗାନ୍ଧୀଜୀଙ୍କ ନିବିଡ଼ତା ଉପସ୍ଥାପନ କରିବାକୁ ପ୍ରସ୍ତୁତି ଚଳାଇଛି । ରାଜ୍ୟ ସରକାରଙ୍କ ଯେଉଁସବୁ କାର୍ଯ୍ୟକ୍ରମକୁ କଂଗ୍ରେସ ବିରୋଧ କରୁଛି ସେ ସବୁକୁ ଅସହଯୋଗ ଶତବାର୍ଷିକୀର ଅନ୍ତର୍ଭୁକ୍ତ କରାଯାଇପାରେ । ଭାରତୀୟ ଜନତା ପାର୍ଟି ସୃଷ୍ଟି ହେବା ବେଳେ ଏହାର ଯେଉଁ କେତୋଟି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଘୋଷଣା କରାଯାଇଥିଲା ତାହା ମଧ୍ୟରେ ଗାନ୍ଧୀବାଦୀ ସମାଜବାଦ ଅନ୍ୟତମ ।

ଏହାକୁ ଆଧାର କରି ଓଡ଼ିଶାରେ ଗାନ୍ଧୀଜୀ ଗସ୍ତ କରିଥିବା ସମସ୍ତ ସ୍ଥାନ, ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ସ୍ମାରକୀପୀଠ ଆଦିରେ କିଭଳି ଦୁଇବର୍ଷ ଧରି କାର୍ଯ୍ୟକ୍ରମ ହୋଇପାରିବ ସେ ସଂକ୍ରାନ୍ତରେ ଏବେ ନକ୍ସା ପ୍ରସ୍ତୁତି ଚାଲିଥିବା ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି । ଅନ୍ୟପକ୍ଷରେ ଶତବାର୍ଷିକୀ ପାଳନ ଲାଗି ରାଜ୍ୟ କ୍ୟାବିନେଟ୍‍ର ନିଷ୍ପତ୍ତି ପରିପ୍ରେକ୍ଷୀରେ ବିଜେଡିର ପରିବାର ଅଭିଯାନ ସମେତ ବିଭିନ୍ନ ଛାମୁଆ ସଙ୍ଗଠନ ମଧ୍ୟ ରାଜନୈତିକ ଓ ସାମାଜିକ ସ୍ତରରେ ଏହି ଶତବାର୍ଷିକୀ ପାଳନ କରିବାଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।