ଭୁବନେଶ୍ୱର : ରାଜ୍ୟରେ ମ୍ୟାଲେରିଆର ପ୍ରକୋପ ଏବେ ୬ଟି ଜିଲ୍ଲାକୁ ହ୍ରାସ ପାଇଥିବାବେଳେ ଏଠାରେ ଏହାକୁ ମୂଳପୋଛ ପାଇଁ ଜଳବାୟୁ ପରିବର୍ତ୍ତନକୁ ଅନୁଧ୍ୟାନ କରାଯାଉଛି । ମ୍ୟାଲେରିଆ ମଶାବଂଶ ବୃଦ୍ଧି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରମୁଖ ଭୂମିକା ଥିବାରୁ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ପୂର୍ବରୁ ରାଜ୍ୟର ୧୯ଟି ଜିଲ୍ଲା ମ୍ୟାଲେରିଆ ପ୍ରବଣ ଥିବାବେଳେ ଏବେ ସେହି ସଂଖ୍ୟା ୬କୁ ଆସିଛି । ଏହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, ରାୟଗଡା, କଳାହାଣ୍ଡି, କୋରାପୁଟ, ଫୁଲବାଣୀ ଓ କନ୍ଧମାଳ । ଏହି ଛଅଟି ଜିଲ୍ଲାର ୩୫ଟି ବ୍ଲକରେ ଏବେ ବି ମ୍ୟାଲେରିଆର ପ୍ରକୋପ ରହିଛି ।
ତେବେ ୨୦୧୭ ମସିହାରେ ରାଜ୍ୟରେ ଦମନ ଯୋଜନାରେ ଔଷଧିୟ ମଶାରୀ ବଣ୍ଟନ ପରେ ମ୍ୟାଲେରିଆକୁ ରୋକାଯାଇ ପାରିଥିଲା । ସେତେବେଳେ ରାଜ୍ୟ ସରକାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏକ କୋଟି ୩୦ଲକ୍ଷ ଔଷଧିୟ ମଶାରୀ ବଣ୍ଟନ କରିଥିଲେ । ଏହାର ସଫଳତା ଦେଖି ରାଜ୍ୟ ସରକାର ୨୦୨୦-୨୧ ବର୍ଷରେ ପୁର୍ନବାର ଔଷଧିୟ ମଶାରୀ ବଣ୍ଟନ କରିଛନ୍ତି ।
ତେବେ ମ୍ୟାଲେରିଆ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀମାନେ କହିଛନ୍ତି ଯେ ଔଷଧିୟ ମଶାରୀକୁ କେତେକ ସ୍ଥାନରେ ଅଜ୍ଞତା ଯୋଗୁଁ ଲୋକେ ବାରମ୍ବାର ଧୋଇଦେବା ଫଳରେ ତାହାର ଗୁଣାତ୍ମକମାନ ହ୍ରାସ ପାଇଥିଲା । ଏଥିଯୋଗୁଁ କେତେକ ଅଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁ ହାରରେ ମ୍ୟାଲେରିଆକୁ ରୋକାଯିବ କଥା ତାହା ହୋଇପାରି ନଥିଲା । ଯେଉଁ ମଶାରୀ ୫ବର୍ଷ ପାଇଁ ମଶା ଦାଉରୁ ଲୋକଙ୍କୁ ରକ୍ଷା କରିବାକଥା ତାହା ୨/୩ ବର୍ଷରେ ତାହାର ଔଷଧିୟ ଗୁଣ ହରାଉଥିଲା ।
ତେବେ ଓଡିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ପାଣିପାଗରେ ଦ୍ରୁତ ପରିବର୍ତ୍ତନ ହେଉଥିବାରୁ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଏହା ଉପରେ ଅନୁଧ୍ୟାନ ଏବେ ଜରୁରୀ ହୋଇପଡିଛି । ଭାରତୀୟ ପାଣିପାଗ କେନ୍ଦ୍ର ସହିତ ମିଳିତ ଭାବେ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି । ମ୍ୟାଲେରିଆ ପ୍ରବଣ ପ୍ରତି ସ୍ଥାନକୁ ଛୋଟ ଛୋଟ ଅଞ୍ଚଳରେ ବିଭକ୍ତ କରି ସେଠାରେ ପାଣିପାଗରେ କିଭଳି ପରିବର୍ତ୍ତନ ହେଉଛି ଓ ମଶାମାନଙ୍କ ଉପରେ ଏହାର କିଭଳି ପ୍ରଭାବ ରହୁଛି ତାହାର ଅନୁଧ୍ୟାନ କରାଯାଉଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପାଣିପାଗରେ ପରିବର୍ତ୍ତନ ବିଶେଷକରି କେତେକ ସ୍ଥାନରେ ବର୍ଷା, ଶୀତ ଓ ଉତ୍ତାପବୃଦ୍ଧି ଘଟୁଥିବାରୁ ଏହି ଆଧାରରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯିବ ତାହା ଉପରେ କାର୍ଯ୍ୟ ହୋଇଥିବାରୁ ଆଗାମୀ ଦିନରେ ରାଜ୍ୟର ଅବଶିଷ୍ଟ ମ୍ୟାଲେରିଆ ପ୍ରବଣ ଅଞ୍ଚଳକୁ ମ୍ୟାଲେରିଆ ମୁକ୍ତ କରାଯାଇ ପାରିବ । (ତଥ୍ୟ)