Home Election ଉପନିର୍ବାଚନରେ ଉତ୍ତରାଧିକାରୀଙ୍କ ବିଜୟ

ଉପନିର୍ବାଚନରେ ଉତ୍ତରାଧିକାରୀଙ୍କ ବିଜୟ

ଭୁବନେଶ୍ୱର : ଏଯାବତ୍‍ ଧାମନଗର ବିଧାନସଭା କ୍ଷେତ୍ର ପାଇଁ ତିନି ଥର ଉପନିର୍ବାଚନ ହୋଇଥିବାବେଳେ ପ୍ରତି ଉପନିର୍ବାଚନରେ ଅନୁକମ୍ପା ଓ ସହାନୁଭୂତି ଆଧାରରେ ଦିବଙ୍ଗତ ବିଧାୟକମାନଙ୍କ ଉତ୍ତରାଧିକାରୀମାନେ ହିଁ ଜିଣିଛନ୍ତି ।

ସ୍ୱାଧୀନତା ପରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଧାମନଗର ଥିଲା ପୂର୍ବ ଭଦ୍ରକ ବିଧାନସଭା କ୍ଷେତ୍ରର ଅଂଶବିଶେଷ । ପ୍ରାକ୍‍ ସ୍ୱାଧୀନତା କାଳରେ ହୋଇଥିବା ଦୁଇଟି ନିର୍ବାଚନରେ ୧୯୩୭ରେ ଏଠାରୁ ବିପ୍ଳବୀ ଚକ୍ରଧର ବେହେରା ଓ ୧୯୪୬ରେ ହରେକୃଷ୍ଣ ମହତାବ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ଏବଂ ନିର୍ବାଚନ ଜିଣି ମହତାବ ହୋଇଥିଲେ ଓଡିଶାର ପ୍ରଧାନମନ୍ତ୍ରୀ । ୧୯୫୨ ମସିହାରେ ହୋଇଥିବା ନିର୍ବାଚନରେ ଧାମନଗରରୁ ନୀଳମଣି ରାଉତରାୟ କଂଗ୍ରେସ ପ୍ରାର୍ଥୀଭାବେ ଜିଣି ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ।

ପରବର୍ତ୍ତୀ ଦୁଇଟି ନିର୍ବାଚନରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କଂଗ୍ରେସ ନେତା ମୁରଲୀଧର ଜେନା ଏଠାରୁ ଜିଣିଥିଲେ । ମୁରଲୀଧର ଜେନାଙ୍କ ବିୟୋଗ ଯୋଗୁଁ ଧାମନଗର ଆସନ ପାଇଁ ଯେଉଁ ପ୍ରଥମ ଉପନିର୍ବାଚନ ହୋଇଥିଲା ସେଥିରେ ତାଙ୍କ ପତ୍ନୀ ସତ୍ୟଭାମା ଜେନା କଂଗ୍ରେସ ପ୍ରାର୍ଥୀ ଭାବେ ଲଢି ଜିଣିଥିଲେ । ସଂଗଠନ ସହିତ ସହାନୁଭୂତି ଓ ଅନୁକମ୍ପା ଯୋଗୁଁ ତାଙ୍କ ବିଜୟ ବ୍ୟବଧାନ ୪୦ହଜାରରୁ ଅଧିକ ଥିଲା ।

ଏହାପରେ ଧାମନଗର ଆସନରୁ ହୃଦାନନ୍ଦ ମଲ୍ଲିକ ୧୯୭୧, ୧୯୭୪, ୧୯୭୭ ଓ ୧୯୯୦ରେ ଜିଣିଥିଲେ । ଜନତାଦଳ ପ୍ରାର୍ଥୀଭାବେ ୧୯୯୦ ନିର୍ବାଚନ ଜିଣିବା ରାତିରେ ହୃଦାନନ୍ଦ ମଲ୍ଲିକଙ୍କ ଦେହାନ୍ତ ହେବାରୁ ଧାମନଗର ପାଇଁ ଦ୍ୱିତୀୟଥର ଲାଗି ଉପନିର୍ବାଚନ ହୋଇଥିଲା ଏବଂ ଏଥିରେ ସ୍ୱର୍ଗତ ମଲ୍ଲିକଙ୍କ ଜେଷ୍ଠପୁତ୍ର ମାନସ ରଞ୍ଜନ ମଲ୍ଲିକ ଜନତାଦଳ ପ୍ରାର୍ଥୀଭାବେ ଉପନିର୍ବାଚନ ଲଢି ଲୋକଙ୍କ ସହାନୁଭୂତି ଓ ଅନୁକମ୍ପା ହାସଲ ସହିତ ଦଳୀୟ ସଂଗଠନ ଯୋଗୁଁ ବିଜୟୀ ହୋଇଥିଲେ ।

ଧାମନଗରରୁ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ରାଉତ ୧୯୮୦, ୧୯୮୫ ଓ ୧୯୯୫ରେ ଜିଣିଥିଲେ ଏବଂ ଶେଷ ଥରରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଧାମନଗର ଇତିହାସରେ ପ୍ରଥମଥର ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ମାନସ ରଞ୍ଜନ ମଲ୍ଲିକ ୨୦୦୦ ମସିହାରେ ନିର୍ବାଚନ ଜିଣିଥିଲେ । ଏହାପରେ ବିଜେପିର ମନମୋହନ ସାମଲ ୨୦୦୪ରେ ନିର୍ବାଚନ ଜିଣି ମନ୍ତ୍ରୀ ହୋଇଥିବାବେଳେ ୨୦୦୯ ଓ ୨୦୧୪ରେ ଏହି ଆସନ ବିଜେଡି ଦଖଲ କରିଥିଲା ।

ତେବେ ୨୦୧୯ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ ବିଜୟୀ ହୋଇଥିବାବେଳେ ତାଙ୍କର ଅକାଳ ବିୟୋଗ ଯୋଗୁଁ ଧାମନଗର ବିଧାନସଭା କ୍ଷେତ୍ର ପାଇଁ ତୃତୀୟ ଥର ଲାଗି ଉପନିର୍ବାଚନ ହୋଇଛି । ଏହି ଉପନିର୍ବାଚନରେ ସ୍ୱର୍ଗତ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଲୋକଙ୍କ ଅନୁକମ୍ପା ଓ ସହାନୁଭୂତି ସହିତ ଦଳୀୟ ସଂଗଠନ ଆଧାରରେ ବିଜୟୀ ହୋଇଛନ୍ତି ।

ମୋଟାମୋଟି ଭାବେ ଏଯାବତ୍‍ ହୋଇଥିବା ତିନିଟି ଯାକ ଉପନିର୍ବାଚନରେ ଧାମନଗରବାସୀ କେବେ ହେଲେ ସେମାନଙ୍କ ବିଦଙ୍ଗତ ନେତାଙ୍କ ଉତ୍ତରାଧିକାରୀମାନଙ୍କୁ ନିରାଶ କରିନାହାନ୍ତି । ପୂର୍ବରୁ ଦୁଇଥର ଯେଭଳି ସତ୍ୟଭାମା ଜେନା ଓ ମାନସ ରଞ୍ଜନ ମଲ୍ଲିକଙ୍କ ଉପରେ ଧାମନଗରବାସୀ ସହାନୁଭୂତି ଓ ଅନୁକମ୍ପା ବର୍ଷା କରିଥିଲେ ଏଥର ଅନୁରୂପ ଭାବେ ସୂର୍ଯ୍ୟବଂଶୀଙ୍କ ଉପରେ ବି ତାହା ଅଜାଡି ଦେଇଛନ୍ତି ।(ତଥ୍ୟ)