ଭୁବନେଶ୍ୱର : ଧାମନଗର ବିଧାନସଭା ଆସନଟିକୁ ବିଜେପି ନିଜ ପାଖରେ ରଖିବାରେ ସଫଳ ହୋଇଛି । ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଡା ମୁକାବିଲାରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେପି ସ୍ୱର୍ଗତ ବିଧାୟକ ଶ୍ରୀ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ଦଳୀୟ ପ୍ରାର୍ଥୀ କରିଥିବାବେଳେ ବିଜେଡି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ମଇଦାନକୁ ଓହ୍ଲାଇଥିଲା । ବିଜେଡି ଟିକଟ ପାଇଁ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏଠାରୁ ସ୍ୱାଧୀନ ଭାବେ ଲଢିଥିବାବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିଲା ।
ଗତ ୩ ତାରିଖ ଦିନ ହୋଇଥିବା ଉପନିର୍ବାଚନ ପାଇଁ ମତଗ୍ରହଣ ହୋଇଥିବାବେଳେ ଆଜି ଭୋଟ ଗଣତି ହୋଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀଙ୍କ ସୂଚନା ଅନୁଯାୟୀ ବିଜେପି ପ୍ରାର୍ଥୀ ସୂଯର୍ଯ୍ୟବଂଶୀ ମୋଟ୍ ୮୦,୩୫୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦,୪୭୦ ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮୧୫୩ ଏବଂ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସେଠୀ ୩୫୬୧ ଖଣ୍ଡ ଭୋଟ ପାଇଛନ୍ତି । ନୋଟାରେ ୬୫୦ ଖଣ୍ଡ ଭୋଟ ପଡିଛି ।
ଆଜିର ଏହି ବିଜୟ ବିଜେପି ପାଇଁ ଏକ ପ୍ରକାର ସଞ୍ଜୀବନୀ ସଦୃଶ ହୋଇଛି । କାରଣ ଦୀର୍ଘଦିନ ଧରି ଅନୁଷ୍ଠିତ ବିଭିନ୍ନ ଉପନିର୍ବାଚନରେ ବିଜେଡି ଏକତରଫା ଭାବେ ବିଜୟ ଲାଭ କରୁଥିବାବେଳେ ବିଜେପି କେବଳ ପରାଜୟର ମୁହଁ ଦେଖୁଥିଲା । ଏପରିକି ବାଲେଶ୍ୱରର ପୂର୍ବତନ ବିଜେପି ବିଧାୟକଙ୍କ ମୃତ୍ୟୁପରେ ତାଙ୍କ ପୁଅଙ୍କୁ ବିଜେପି ପ୍ରାର୍ଥୀ କରିଥିଲେ ମଧ୍ୟ ସେହି ଆସନଟିକୁ ବିଜେଡି ଛଡାଇ ନେଇଥିଲା ।
କେବଳ ସେତିକି ନୁହେଁ ନିକଟରେ ଅନୁଷ୍ଠିତ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନକୁ ଖସି ଆସିଥିଲେ । ସେଠାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ।
ବାରମ୍ବାର ଉପନିର୍ବାଚନରେ ପରାଜୟର ସ୍ୱାଦ ଚାଖୁଥିବା ବିଜେପି କିନ୍ତୁ ଧାମନଗରରେ ନିଜର ସମସ୍ତ ଶକ୍ତି ଖଟାଇଥିଲା । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡା ଏଠାରେ ପ୍ରଚାର କରିଥିବାବେଳେ ବିଜେପିର ବହୁ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମକର୍ତ୍ତା ଏଠାରେ ପ୍ରଚାର ପାଇଁ ଡେରା ପକାଇଥିଲେ ।
ଶାସକ ବିଜେଡି ମଧ୍ୟ ଧାମନଗର ଉପନିର୍ବାଚନକୁ ଗୁରୁତ୍ୱର ସହ ନେଇ ଜୋରଦାର ପ୍ରଚାର କରିଥିଲା । ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ କର୍ମୀମାନେ ଘନ ଘନ ପ୍ରଚାର କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ୧୩ଟି ସ୍ଥାନରେ ସଭା କରିଥିଲେ ।
ତେବେ ଏହି ଉପନିର୍ବାଚନରେ ପ୍ରଥମଥର ପାଇଁ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ଉଭା ହୋଇଥିଲେ । ସେ ପାଇଥିବା ୮ହଜାରରୁ ଅଧିକ ଭୋଟ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଶେଷ ମୂହୂର୍ତ୍ତରେ ଶ୍ରୀ ଦାସ ନାମାଙ୍କନପତ୍ର ଦାଖଲ କରିବାରୁ ଧାମନଗରରେ ଚର୍ତୁମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା ।
ଆଜିର ନିର୍ବାଚନ ଫଳାଫଳ ପ୍ରକାଶ ପରେ ଜନମତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଜଣାଇ ବିଜେପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଥିବା କହିଥିବାବେଳେ ଏହା ଧାମନଗରବାସୀଙ୍କ ବିଜୟ ବୋଲି କହିଛନ୍ତି ବିଜୟୀ ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ।