Home Education ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି

ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାର ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କର ମାସିକ ପାରିଶ୍ରମିକ ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମାସିକ ୩୨୦୦ ଟଙ୍କାରେ ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିବା ଏବଂ ସେମାନେ ନିଜର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରୁଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ରାଜ୍ୟରେ ୨୦୦୭-୦୮ ମସିହାରେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଏବଂ ବିଦ୍ୟାଳୟରେ ଯୋଗଦାନ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ବହୁଭାଷୀ ଶିକ୍ଷକ (ଏମ୍‌.ଏଲ୍‌.ଇ-ଇଭିଏସ୍‌) ନିଯୁକ୍ତି ଦିଆଯାଇଥିଲା ।

ଅନୁସୂଚିତ ଅଞ୍ଚଳର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁକୂଳ ଶିକ୍ଷାଦାନ ଏବଂ ଅନୁସୂଚିତ ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି ପାଇଁ ୨୨୧ ଜଣ ବହୁଭାଷୀ ଶିକ୍ଷକ ନିୟୋଜିତ କରାଯାଇଥିଲା ।

ସେମାନେ କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ୨୦୨୦ ମସିହାରୁ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସେମାନେ ମାସିକ ୩୨୦୦ ଟଙ୍କା ପାରିଶ୍ରମିକ ପାଉଥିଲେ ।