Home Education ଓଡିଆରେ ପଢେଇବାକୁ ଅଧ୍ୟାପକ କୁନ୍ଥୁ କୁନ୍ଥୁ

ଓଡିଆରେ ପଢେଇବାକୁ ଅଧ୍ୟାପକ କୁନ୍ଥୁ କୁନ୍ଥୁ

ଭୁବନେଶ୍ୱର : ଓଡିଆ ଭାଷାରେ ଓଏଏସ୍‍ ପଦବୀ ପାଇଁ ପରୀକ୍ଷା କରାଇବାକୁ ରାଜ୍ୟ ସରକାର ସ୍ଥିର କରିଥିବାବେଳେ ଅଧ୍ୟାପକମାନେ କିନ୍ତୁ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷାରେ ପଢାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଅଧିକାଂଶ ସ୍ଥାନରେ ପିଲାଙ୍କୁ ଓଡିଆ ଭାଷା ପରିବର୍ତ୍ତେ ଇଂରାଜୀରେ ପଢିବା ଏବଂ ପରୀକ୍ଷା ଦେବାକୁ ପ୍ରବର୍ତ୍ତାଉଥିବା ଲକ୍ଷ୍ୟ କରାଯାଉଛି ।

ବର୍ତ୍ତମାନ ମହାବିଦ୍ୟାଳୟଗୁଡିକରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ପରେ ପାଠପଢା ଆରମ୍ଭ ହୋଇଛି । ତେବେ ଓଡିଶା ଲୋକସେବା ଆୟୋଗ ଓଡିଆ ଭାଷାରେ ପରୀକ୍ଷା କରିବା ଖବର ଶୁଣିବାପରେ ବହୁ ଛାତ୍ରଛାତ୍ରୀ ଓଡିଆ ଭାଷାରେ ବିଭିନ୍ନ ବିଷୟ ପଢିବାକୁ ଆଗ୍ରହୀ । ହେଲେ ଅଧ୍ୟାପକମାନେ ପଢାଇବାକୁ ନାରାଜ । ଅନେକ ଅଧ୍ୟାପକ ଖୋଲାଖୋଲି ଭାବେ ଓଡିଆ ଭାଷାରେ ପଢାଇପାରିବେ ନାହିଁ ବୋଲି ଶୁଣାଇ ଦେଲେଣି । ଯଦି କେଉଁଠାରେ ପିଲାମାନେ ଓଡିଆରେ ପଢିବାକୁ ଜିଦ୍‍ ଧରୁଛନ୍ତି ତେବେ ସେଠାରେ ସେମାନଙ୍କୁ ଇଂରାଜୀ ଭାଷାରେ ପରୀକ୍ଷା ନଦେଲେ ଆଗକୁ କିଛି କରିପାରିବ ନାହିଁ ବୋଲି ପ୍ରବର୍ତ୍ତାଇବା ସହିତ ନାଲିଆଖି ଦେଖାଇବାକୁ ଅଧ୍ୟାପକମାନେ ପଛାଉ ନାହାନ୍ତି । ଏପରିକି ସେମାନେ ଓଡିଆରେ ପଢି ନାହାନ୍ତି କି ପଢାଇ ପାରିବେ ବୋଲି ରୋକଠୋକ୍‍ ଶୁଣାଇ ଦେଉଛନ୍ତି ।

ବିଶେଷକରି ଯୁକ୍ତ ତିନି ଛାତ୍ରଛାତ୍ରୀମାନେ ଏବେ ଏହାକୁ ନେଇ ଅଡୁଆରେ ପଡିଛନ୍ତି । ଅନେକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶ୍ରେଣୀରେ ବିଭିନ୍ନ ବିଷୟ ଓଡିଆ ଭାଷାରେ ପଢି ଉତ୍ତୀର୍ଣ୍ଣ ହୋଇଛନ୍ତି । ଯୁକ୍ତ ତିନି ଶ୍ରେଣୀରେ ସେମାନେ ଓଡିଆ ଭାଷାରେ ପଢିବାକୁ ଚାହୁଁଥିବା ଏବଂ ବଜାରରେ ଓଡିଆ ଭାଷାରେ ବିଭିନ୍ନ ବିଷୟର ବହି ଉପଲବ୍ଧ ଥିଲେ ମଧ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ପଢାଇବାକୁ ନାରାଜ ।

ଗୋଟିଏ ପଟେ ଓଡିଆ ଭାଷାକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ଯୁକ୍ତ ଦୁଇରେ ଓଡିଆ ସମ୍ମାନ ନେଇ ପଢୁଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଫି ସମେତ ଅନ୍ୟାନ୍ୟ ଫି ଛାଡ ଘୋଷଣା କରିଥିବାବେଳେ ଅନ୍ୟ ପଟେ ଅଧ୍ୟାପକମାନେ ଓଡିଆ ଭାଷାରେ ପଢାଇ ପାରିବେ ନାହିଁ ବୋଲି ଖୋଲାଖୋଲି ଭାବେ କହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ଯୁକ୍ତ ତିନି ଶ୍ରେଣୀରେ ଫି ଛାଡ ନୁହେଁ, ମାଟ୍ରିକ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ସାହିତ୍ୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ସେମାନଙ୍କ ପାଇଁ ମଧ୍ୟ ଆର୍ଥିକ ପୁରସ୍କାର ରାଶି ଘୋଷଣା ହୋଇଛି ।

ଏଭଳି ସ୍ଥିତିରେ ଅଧ୍ୟାପକମାନେ ଓଡିଆ ଭାଷାରେ ପଢାଇବା ପରିବର୍ତ୍ତେ ଇଂରାଜୀ ଭାଷାକୁ ଗୁରୁତ୍ୱ ଦେବା ଓ ଶ୍ରେଣୀରେ ଇଂରାଜୀ ନୋଟ୍‍ ଡାକିବା ଏବେ ସରକାରଙ୍କ ଓଡିଆ ଭାଷା ପ୍ରୋତ୍ସାହନ ପ୍ରତି ଏକ ପ୍ରକାର ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ସ୍ତରରେ ଏଭଳି ସ୍ଥିତି ଉପୁଜୁଥିବାରୁ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)