ଭୁବନେଶ୍ୱର : ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା (ଜିଏସଏସୱାଇ) ରୁ ବୃତ୍ତି ପାଇବା କ୍ଷେତ୍ରରେ ଯେଭଳି ଜଣେ ହେଲେ ଯୋଗ୍ୟ ଛାତ୍ରଛାତ୍ରୀ ବାଦ୍ ନପଡନ୍ତି ସେଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।
ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ଲେଖିଥିବା ପତ୍ରରେ ପ୍ରମୁଖ ସଚିବ ଶ୍ରୀ ସେଠୀ କହିଛନ୍ତି ଯେ ଗୋପବନ୍ଧୁ ଶିକ୍ଷା ଯୋଜନା ହେଉଛି ଏକ ରାଜ୍ୟ ଯୋଜନା ଏବଂ ଏହା ମାଧ୍ୟମରେ ଅବହେଳିତ ବର୍ଗର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାପାଇଁ ବାର୍ଷିକ ୨୦ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ବିଶେଷକରି ଏଚ୍ଆଇଭି/ଏଡ୍ସ ଆକ୍ରାନ୍ତ ବ୍ୟକ୍ତିଙ୍କ ପିଲା, ବାସହୀନ, ନିରାଶ୍ରୟ/ମଇଳା ସଫା କରୁଥିବା ବ୍ୟକ୍ତି, ସମ୍ବେଦନଶୀଳ ଆଦିବାସୀ ସମ୍ପ୍ରଦାୟ, ଆଇନ୍ଗତ ଭାବେ ମୁକୁଳିଥିବା ଗୋତି ଶ୍ରମିକ ଏବଂ ଏକାକୀ ମା’ମାନଙ୍କ ଦ୍ୱାରା ଲାଳିତ ପାଳିତ ପିଲାମାନେ ଏହି ଯୋଜନାରେ ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଲାଗି ଆର୍ଥିକ ସହାୟତା ପାଇପାରିବେ ।
ପ୍ରମୁଖ ସଚିବ ଦର୍ଶାଇଛନ୍ତି ଯେ ନିକଟରେ କେତେକ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନେ ଏହି ଯୋଜନାରେ ଏକୁଟିଆ ଭାବେ ପରିବାର ଚଳାଉଥିବା ମା’ମାନଙ୍କୁ ପ୍ରମାଣପତ୍ର ଦେବାରେ ସହଯୋଗ କରୁନାହାନ୍ତି । ଏହି ପ୍ରମାଣପତ୍ର ଆଧାରରେ ହିଁ ସେମାନଙ୍କ ପିଲାମାନେ ବୃତ୍ତି ପାଇଥାନ୍ତି ।
ଫଳ ସ୍ୱରୂପ ଜିଏଏସୱାଇ ଯୋଜନାରେ ଆବେଦନ ପାଇଁ ଆଗ୍ରହୀ ଥିବା ଏହି ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀମାନେ ଆବେଦନରୁ ବଞ୍ଚିତ ହେଉଛନ୍ତି । ଏହଦ୍ୱାରା ବୃତ୍ତି ପ୍ରଦାନ ପାଇଁ ଯେଉଁ ଲକ୍ଷ୍ୟ ଥିଲା ତାହା ପୂରଣ ହୋଇପାରୁ ନାହିଁ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ପଞ୍ଜିକରଣ ତାଲିକା ରହୁଥିବାବେଳେ ଏହାକୁ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ବ୍ଲକ ସ୍ତରରେ ପ୍ରସ୍ତୁତ ହୋଇଥାଏ ।
ଏହି ସମସ୍ୟାର ସମାଧାନ ପାଇଁ ବ୍ଲକ ସ୍ତରରେ ରିପୋର୍ଟଗୁଡିକର ପୁନଃ ଯାଞ୍ଚ ପାଇଁ କୁହାଯାଇଛି ଯେଉଁଠାରେ ବିଧବା/ମହିଳା ମୁଖ୍ୟ ଥିବା ପରିବାରର ସୂଚନା ରହିଛି । ଏହା ପରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ‘ସିଙ୍ଗଲ ମଦର ସାର୍ଟିଫିକେଟ’ ଜାରି କରିବେ । ଯାଞ୍ଚ ସମୟରେ ଛାତ୍ରଛାତ୍ରୀମାନେ ନିଜ ମା’ଙ୍କ ନିକଟରେ ରହୁଥିବାର ପ୍ରମାଣପତ୍ର ଉପସ୍ଥାପନ କରିବେ ।
ଜିଲ୍ଲା ସ୍ତରରେ ଏହି ଯୋଜନା ମାଧ୍ୟମରେ ଅବହେଳିତ ଛାତ୍ରଛାତ୍ରୀମାନେ ଉପକୃତ ହେବାକୁ ଥିବାରୁ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏଥି ପ୍ରତି ଦୃଷ୍ଟି ଦେବା ସହିତ ଯୋଜନାର ସଫଳତା ପାଇଁ ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଏହା ଫଳରେ କୌଣସି ଅବହେଳିତ ପରିବାରର ଛାତ୍ରଛାତ୍ରୀମାନେ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ପ୍ରମୁଖ ସଚିବ ଜିଲ୍ଲାପାଳମାନଙ୍କୁ କହିଛନ୍ତି । (ତଥ୍ୟ)