ଭୁବନେଶ୍ୱର : ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଓ ଏନ୍ଡିପିଏସ୍ ଆଇନ୍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କର୍ମଶାଳାରେ ସମଗ୍ର ରାଜ୍ୟର ଅବକାରୀ ଅଧିକାରୀମାନେ ଯୋଗ ଦେଇଥିଲେ ।
କର୍ମଶାଳାରେ ଖୋରଧା ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ଶରତ ଚନ୍ଦ୍ର ସାମନ୍ତ ଓ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରଶ୍ମୀରଞ୍ଜନ ବ୍ରହ୍ମା ଅବକାରୀ ଓ ଏନ୍.ଡି.ପି.ଏସ୍. ଆଇନ ଅନୁଯାୟୀ ଚଢଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟପ୍ରମାଣର ବିଭିନ୍ନ ଦିଗ ଉପରେ ତର୍ଜମା କରିଥିଲେ । ଯୁଗ୍ମ ଅବକାରୀ କମିଶନର ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ପିଡିଆର୍ ଆଇନ୍ର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।
ଏହି କର୍ମଶାଳାକୁ ଅବକାରୀ ଉପ କମିଶନର ଶ୍ରୀ ରାମଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ଏଥି ସହିତ ଆଇନ୍ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟପ୍ରଦାନ ତଥା ମାମଲାର ରଫାଦଫା ଏବଂ ବ୍ୟାଜ୍ୟାପ୍ତି ଉପରେ ତର୍ଜମା କରିଥିଲେ । କର୍ମଶାଳାରେ ଅତିରିକ୍ତ କମିଶନର ଶ୍ରୀ ରାମଚନ୍ଦ୍ର ପାଲଟା, ଯୁଗ୍ମ କମିଶନର ଡକ୍ଟର ଦିବ୍ୟଲୋଚନ ମହାନ୍ତ, ରଜତ କୁମାର ପ୍ରହରାଜ, ଡମ୍ବରୁଧର ଖଣ୍ଡା, ଦଣ୍ଡପାଣି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଅବକାରୀ ବିଭାଗକୁ ଅଧିକ ସକ୍ରିୟ କରାଯିବା ସହିତ ମାମଲାର ସଠିକ ପରିଚାଳନା, ଉପଯୁକ୍ତ ସାକ୍ଷ୍ୟପ୍ରଦାନ, ତ୍ୱରିତ ଫଏସଲା, ଦୋଷୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅବକାରୀ କମିଶନର ଶ୍ରୀ ସିଂହଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସରେ ଏଭଳି ତାଲିମ/କର୍ମଶାଳା ଆୟୋଜନ ସହିତ ଅବକାରୀ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଛି ବୋଲି ଉପ କମିଶନର ଶ୍ରୀ ରାମଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।