Home Health କନଜରଭେନ୍ସି ପାଲଟିଛି ଡେଙ୍ଗୁ ଉତ୍ପତି ସ୍ଥଳ

କନଜରଭେନ୍ସି ପାଲଟିଛି ଡେଙ୍ଗୁ ଉତ୍ପତି ସ୍ଥଳ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା କନଜରଭେନ୍ସି ଗୁଡିକ ଏବେ ଡେଙ୍ଗୁ ମଶାଙ୍କ ଉତ୍ପତିସ୍ଥଳ ପାଲଟିଛି । ବିଏମ୍‍ସି କର୍ତ୍ତୃପକ୍ଷ ଘର ସାମ୍ନାପଟକୁ ଝାଡୁମାରି ସଫାସୁତୁରା କରୁଥିବାବେଳେ ପଛପଟ ଅଞ୍ଚଳରେ କିନ୍ତୁ ଅରମା ବଣ ସହିତ ମଶାବଂଶ ବୃଦ୍ଧି ପାଇଁ ସମସ୍ତ ପ୍ରକାର ପରିବେଶ ସୃଷ୍ଟି ହୋଇଛି ।

ସହରର ବିଭିନ୍ନ ୟୁନିଟ୍‍ରେ ଥିବା ସରକାରୀ ଓ ବେସରକାରୀ ଘରର ପଛପଟେ ରହିଛି କନଜନଭେନ୍ସି ଅଞ୍ଚଳ । ଏହି ସ୍ଥାନ ଏବେ ମଶା ଓ ମୂଷାଙ୍କ ଉତ୍ପତି ଓ ବିଚରଣ ସ୍ଥଳ । ବିଶେଷକରି ସରକାରୀ କ୍ୱାର୍ଟର ପଛପଟେ ଲୋକେ ଅଳିଆ ଆବର୍ଜନା ଜମା କରୁଥିବା ଓ ଏଠାରେ ଗଛଲତା ମାଡୁଥିବାରୁ ସହଜରେ ମଶାବଂଶ ବଢିବାରେ ଲାଗିଛନ୍ତି ।

ବିଏମ୍‍ସିର ଅଳିଆ ଗାଡି ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଛି । ହେଲେ ଅଧିକାଂଶ ଲୋକେ ଘରର ଆବର୍ଜନାକୁ କନଜରଭେନ୍ସିକୁ ଫୋପାଡି ଦେଉଛନ୍ତି । ସେହିଭଳି ବିଏମ୍‍ସି ପକ୍ଷରୁ ଘର ଆଗପଟେ ଝାଡୁ ମାରି ସଫାସୁତୁରା କରାଯାଉଥିବାବେଳେ ସରକାରୀ କ୍ୱାଟର୍ସ ପଛପଟକୁ କେହି ନଜର ଦେଉ ନାହାନ୍ତି । ଏହା ଏବେ ବଣବୁଦାରେ ପରିପୂର୍ଣ୍ଣ । ଘର ଆଗରୁ ମେସିନ ଲଗାଇ ଘାସ କଟାଯାଉଥିବାବେଳେ ଏହି ଅରମା ବଣକୁ କେହି ସଫା କରୁନାହାନ୍ତି ।

ସେହିଭଳି ସରକାରୀ କ୍ୱାଟର୍ସ କାମ କରୁଥିବା ଠିକାଦାରମାନେ ବି ବର୍ଜ୍ୟବସ୍ତୁ ସବୁକୁ କନଜରଭେନ୍ସିରେ ଜମାକରି ପଳାଉଛନ୍ତି । ଯଦିଓ ଏହି ବର୍ଜ୍ୟକୁ ଉଠାଇ ନେବାପାଇଁ ସେମାନଙ୍କ ସକାଶେ ଅର୍ଥର ବ୍ୟବସ୍ଥା ହେଉଛି ତଥାପି ଅଧିକାଂଶ ସ୍ଥାନରେ ଭଙ୍ଗା ଟାଇଲ୍‍ ଠାରୁ ଆରମ୍ଭକରି ଇଟା,ପଥର ସବୁ କନଜରଭେନ୍ସିରେ ପକାଉଛନ୍ତି । ଫଳରେ ଅଧିକାଂଶ କନଜରଭେନ୍ସିରେ ଅସରାଏ ବର୍ଷା ହେଲେ ପାଣି ଜମିବା ସହିତ ସେଠାରେ ସହଜରେ ମଶାବଂଶ ବଢିବାରେ ଲାଗୁଛନ୍ତି । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ବି ନଜର ଦେଉନାହାନ୍ତି ।

କେତେକ ସ୍ଥାନରେ କନଜରଭେନ୍ସି ଜବରଦଖଲ ସହିତ ସେଠାରେ ବେଆଇନ୍‍ ଘର ତିଆରି ହେବାରୁ କର୍ତ୍ତୃପକ୍ଷ ଚାହିଁଲେ ବି ତାହାକୁ ସହଜରେ ସଫା କରିପାରୁ ନାହାନ୍ତି । ଅଳିଆବୁହା ଗାଡି ପଶିବା ତ ଦୂରରକଥା କନଜରଭେନ୍ସି ପ୍ରବେଶ ପଥରେ ଲୋକେ ରୋଷେଇବାସ କରୁଥିବାରୁ ସେଠାକୁ ସଫେଇ କର୍ମଚାରୀ ପଶିବା ବି ମୁସ୍କିଲ ହୋଇଯାଉଛି । କେତେକ ସ୍ଥାନରେ କନଜରଭେନ୍ସିଂ ଜବରଦଖଲ କରି ଲୋକେ ଗାଈ, କୁକୁଡା, ଛେଳି ଆଦି ରଖି ପରିବେଶକୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର କରୁଥିଲେ ବି ପୂର୍ତ୍ତ ବିଭାଗର ଯନ୍ତ୍ରୀ କିମ୍ବା ଅଧିକାରୀମାନେ ଏଥିପ୍ରତି ନଜର ଦେଉନାହାନ୍ତି ।

ରାଜ୍ୟରେ ଆଜି ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫ହଜାର ଅତିକ୍ରମ କରିଥିବାବେଳେ ଖୋରଧାରେ ଏହି ସଂଖ୍ୟା ୨୫୬୪ ହୋଇଛି । ଏହାର ସିଂହଭାଗ ଆକ୍ରାନ୍ତ ରହିଛନ୍ତି ଭୁବନେଶ୍ୱର ମହାନଗର ଅଞ୍ଚଳରେ । ତେଣୁ ଏଭଳି ସ୍ଥିତିରେ ତୁରନ୍ତ କନଜରଭେନ୍ସି ସଫେଇ ଉପରେ ବିଏମ୍‍ସି ଗୁରୁତ୍ୱ ନଦେଲେ ସହରରେ ଡେଙ୍ଗୁକୁ କାବୁ କରିବା ସମ୍ଭବପର ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)